ବାପା-ପୁଅ ଯୋଡି ଓ ଦଳବଦଳକାରୀ ପ୍ରତ୍ୟାକ୍ଷାତ

ଭୁବନେଶ୍ବର () ଓଡିଶା ରାଜନୀତିରେ ଦୀର୍ଘ ବର୍ଷ ଧରି ଚାଲିଥିବା ପାରିବାରିକ ରାଜନୀତିରେ ଭୋଟର ବ୍ରେକ ଦେଇଛନ୍ତି । ରାଜନୀତିକୁ ଓହ୍ଲାଇଥିବା ବାପା-ପୁଅ/ଝିଅ ଏବଂ ଦଳବଦଳକାରୀଙ୍କୁ ପ୍ରତ୍ୟାକ୍ଷାନ କରିଛନ୍ତି । ରାଜନୀତିର ଏମିତି କିଛି ତୁଙ୍ଗ ନେତା ନିଜେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ସହ ପୁଅ ଓ ଝିଅଙ୍କୁ ମଧ୍ୟ ରାଜନୀତିର ମଙ୍ଗ ଧରାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ମିଳିନି ଭୋଟରଙ୍କ ସମର୍ଥନ । ସେହିଭଳି ଦାମୋଦର ରାଉତଙ୍କ ଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡା ଓ ଜର୍ଜ ତୀର୍କିଙ୍କ ପର୍ଯ୍ୟନ୍ତ ଏମିତି କିଛି ଚର୍ଚ୍ଚିତ ଦଳବଦଳକାରୀଙ୍କୁ ମଧ୍ୟ ପରାଜୟର ସ୍ବାଦ ଚାଖିବାକୁ ପଡିଛି ।

ଓଡିଶାରେ ପ୍ରଦେଶ କଂଗ୍ରେସକୁ ଏହି ରାଜନୀତିରେ ସବୁଠାରୁ ବେଶି ଅପମାନିତ ହେବାକୁ ପଡିଛି, ଯେତେବେଳେ ଦଳର ତିନିଜଣ ବାପା-ପୁଅ ଯୋଡିକୁ ଭୋଟର ପ୍ରତ୍ୟାକ୍ଷାନ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଉଭୟ ଏଥର ନିର୍ବାଚନ ଲଢିଥିଲେ । ନିରଂଜନ ପଟ୍ଟନାୟକ ଉଭୟ ଘସିପୁରା ଓ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ତାଙ୍କ ପୁଅ ନବଜ୍ୟୋତି ବାଲେଶ୍ବର ଲୋକସଭା ଆସନରୁ ଲଢିଥିଲେ । ଉଭୟ ବାପା ଓ ପୁଅଙ୍କୁ ତିନୋଟି ଯାକ ନିର୍ବାଚନମଣ୍ଡଳୀର ଭୋଟର ଗ୍ରହଣ କରିନାହାଁନ୍ତି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ଭକ୍ତ ଦାସଙ୍କୁ ମଧ୍ୟ ଭୋଟର ଅପମାନ ଦେଇଛନ୍ତି । ଭକ୍ତ ନିଜେ କଳାହାଣ୍ଡି ଲୋକସଭାରୁ ଲଢିଥିବା ବେଳେ ତାଙ୍କ ପୁଅ ସାଗର ଦାସ ଭବାନିପାଟଣା ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ରିଜେକ୍ଟ ହେଲେ । ଅନ୍ୟ ଜଣେ କଂଗ୍ରେସ ନେତା ହେଲେ ଅନନ୍ତ ପ୍ରସାଦ ସେଠୀ । ସେ ନିଜେ ସିମୁଳିଆ ବିଧାନସଭାରୁ ଲଢୁଥିବା ବେଳେ ତାଙ୍କ ଝିଅ ମଧୁମିତା ସେଠୀ ଭଦ୍ରକ ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ । ନା ଅନନ୍ତ ନା ତାଙ୍କ ଝିଅ କେହି ବି ନିର୍ବାଚନ ଜିତିପାରିଲେ ନାହିଁ । ଏପରିକି ପ୍ରତିଯୋଗିତାରେ ମଧ୍ୟ ରହିଲେ ନାହିଁ ।

ନିର୍ବାଚନ ପୂର୍ବରୁ ମସତା କ୍ରାନ୍ତି ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିବା ବରିଷ୍ଠ ଟ୍ରେଡ ୟୁନିୟନ ନେତା ଜର୍ଜ ତିର୍କୀ ଓ ତାଙ୍କ ପୁଅଙ୍କୁ ସେହିପରି ଭୋଟର ଗ୍ରହଣ କରିନାହାଁନ୍ତି । ଜର୍ଜ ନିଜେ ସୁନ୍ଦରଗଡ ଲୋକସଭା ଆସନରୁ ଲଢୁଥିବା ବେଳେ ତାଙ୍କ ପୁଅ ରୋହିତ ଜୋସେଫ ତିର୍କୀ ବିରମିତ୍ରପୁର ଆସନରୁ ଲଢିଥିଲେ । କିନ୍ତୁ ଉଭୟ ହାରିଗଲେ । ଜର୍ଜ ୨୦୧୪ରେ ସମତାକ୍ରାନ୍ତି ପ୍ରାର୍ଥୀ ଭାବେ ବିରମିତ୍ରପୁରରୁ ନିର୍ବାଚିତ ହୋଇଥିଲେ । ବିରମିତ୍ରପୁର ଆସନରୁ ସେ ୧୯୯୫ ଓ ୨୦୦୦ ମସିହାରେ ଜେଏମଏମ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଥିଲା ବେଳେ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ । ଏଥର କିନ୍ତୁ ତାଙ୍କ ପୁଅ ତାଙ୍କ ଗଡ ରକ୍ଷା କରିପାରିଲେ ନାହିଁ ।

କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ନିଜେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇପାରିଲେ ନାହିଁ । କିନ୍ତୁ ତାଙ୍କ ଗୋଟିଏ ଝିଅ ସୁନିତା ବିଜେଡିରୁ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ହୋଇଥିଲେ ଏବଂ ଆଉ ଜଣେ ଝିଅ ଅନିତା ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ଉଭୟଙ୍କୁ ସୁନ୍ଦରଗଡବାସୀ ପ୍ରତ୍ୟାକ୍ଷାନ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ଜିତିଥିଲେ ମଧ୍ୟ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଲୋକସଭା ନିର୍ବାଚନରେ ହାରିଯାଇଛନ୍ତି ।

ସେଭଳି ଏଥର ନିର୍ବାଚନରେ ଭୋଟର କିଛି ଚର୍ଚ୍ଚିତ ଦଳବଦଳକାରୀଙ୍କୁ ମଧ୍ୟ ପାନେ ଚଖେଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଜୟରାମ ପାଙ୍ଗି, ବଳଭଦ୍ର ମାଝୀ, ଅଭିମନ୍ୟୁ ସେଠୀ, ରଘୁନାଥ ମହାନ୍ତି, ଜେଏମଏମ ଛାଡି ବିଜେଡିରେ ଯୋଗ ଦେଇଥିବା ଡାକ୍ତର ଦେବାଶିଷ ମାରାଣ୍ଡି, ଉକ୍ରଳ ଭାରତ ଦଳକୁ ବିଜେପିରେ ବିଲୟ କରି କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ବାଇଁ, ବିଜେଡିରୁ ସମ୍ବୃଦ୍ଧ ଓଡିଶା ଓ ପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପଂଚାନନ କାନୁନଗୋ, କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଯୋଗେଶ ସିଂହ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା, ବିଭୁପ୍ରସାଦ ତରାଇ, କଂଗ୍ରେସ ଛାଡି ବିଏସପିରେ ମିଶିଥିବା କୃଣ୍ଣଚନ୍ଦ୍ର ସଗରିଆ ସମସ୍ତଙ୍କୁ ଭୋଟର ପରାଜୟର ଧୁଳି ଚଟେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + fifteen =