ଲୋକଙ୍କ ସହ ବିଜେଡି : ନବୀନଙ୍କ ଚକ୍ରବ୍ୟୁହ ଭେଦି ପାରୁନାହାନ୍ତି ବିରୋଧୀ

ଭୁବନେଶ୍ବର () : ବିଜେପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ଦଳ ଯେଭଳିଭାବେ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି ତାହା ଏବେ ବିରୋଧିଙ୍କୁ ଚିନ୍ତାରେ ପକାଇଛି । ଏହି ଧାରା ବଜାୟ ରହିଲେ ଲୋକଙ୍କ ନିକଟକୁ ଯିବା କଷ୍ଟକର ହୋଇପଡିବ ବୋଲି ବିରୋଧି ବିଜେପି ଓ କଂଗ୍ରେସ ନେତାମାନେ ଖୋଲା ମତ ଦେଉଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ୧୦ଟି ଜିଲ୍ଲା ହାତଛଡା ହୋଇଯିବା ପରେ ବିଜେଡି ଚେଇଁ ଉଠିଥିଲା । ରଣନୀତିରେ କରିଥିଲା ପରିବର୍ତ୍ତନ । ଯୁବନେତାମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେବା ସହିତ ରାଜ୍ୟ ସ୍ତରରେ ନୂଆ ନୂଆ ଯୋଜନାମାନ ହାତକୁ ନେଇଥିଲା । ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ ଭଳି ଯେଜାନାର ମଙ୍ଗ ଧରିବା ସଂଗେ ସଂଗେ ପଞ୍ଚାୟତକୁ ସିଧାସଳଖ ଅର୍ଥ ପ୍ରଦାନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଦଳର ଲୋକସମ୍ପକ ଯାତ୍ରା । ଏଥି ସହିତ ଦଳ ଲୋକଙ୍କ ନିକଟରେ ପହଞ୍ଚିବାପାଇଁ ଆହୁରି ଅନେକ କାର୍ଯ୍ୟକ୍ରମାନ ହାତକୁ ନେଇଥିଲା ।

ଏବେ କିନ୍ତୁ ସବୁକୁ ବଳିଯାଇଛି ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ହେଉଥିବା ବିଶ୍ବକପ୍‍ ହକି ଖେଳ । କେବଳ ରାଜ୍ୟରେ ନୁହେଁ ବିଜେଡି ସୁପ୍ରିମୋ ନବୀନଙ୍କ ଭାବମୂର୍ତ୍ତି ଏବେ ସମଗ୍ର ବିଶ୍ବରେ ଚମକିବାରେ ଲାଗିଛି । ତିତ୍‍ଲି ବାତ୍ୟାର ସଫଳ ପରିଚାଳନା ନେଇ କେନ୍ଦ୍ର ସରକାର ପ୍ରଶଂସା କରିବାପରେ ଏଭଳି ବିଶ୍ୱକପ୍‍ ଆୟୋଜନ ବିଜେଡି ଓ ସରକାର ପାଇଁ ଆଣି ଦେଇଛି ବିପୁଳ ସଫଳତା । ଘରେ ଘରେ ଏବେ ପହଞ୍ଚିବାରେ ଲାଗିଛି ନବୀନଙ୍କ ସଫଳତାର କାହାଣୀ ।

ଏହା ଏବେ ଅତିଷ୍ଠ କରିଛି ବିରୋଧିଙ୍କୁ । କାରଣ ପଞ୍ଚାୟତ ନିର୍ବାଚନରେ ମିଳିଥିବା ସଫଳତାକୁ ଧରିରଖି ପାରିନାହିଁ ବିଜେପି । ପଞ୍ଚାୟତ ନିର୍ବାଚନ ପରେ ପରେ ହୋଇଥିବା ବିଜେପୁର ଉପନିର୍ବାଚନରେ ଦଳ ଚିତ୍‍ପଟାଙ୍ଗ ମାରିବାରୁ ନେତା ଓ କର୍ମୀଙ୍କ ମନୋବଳ ହ୍ରାସ ପାଇଛି । ଫଳରେ ବିଜେଡି ଲଗାତାର ଭାବମୂର୍ତ୍ତି ସଜଡାକୁ ଏମାନେ ମୁକାବିଲା କରିପାରୁ ନାହାନ୍ତି । ଯେତେବେଳେ ବି ବିଜେପି ଟିକେ ଅଣ୍ଟା ସଳଖୁଛି ସେତେବେଳେ ଉଠୁଛି ରାଜ୍ୟ ସଭାପତି ପରବର୍ତ୍ତନର ସ୍ବର । ଏହାକୁ ନେଇ ଦଳରେ ଚାଲୁଛି ଗୋଷ୍ଠି କନ୍ଦଳ । ଏବେ ପୂର୍ବତନ ପ୍ରଶାସିକା ଅପରାଜିତା ଯୋଗଦେବାପରେ ପୁଣିଥରେ ଉଠିଛି ମୁଖ୍ୟମନ୍ତ୍ରୀ ପଦବୀର ଝଡ । ଅନ୍ୟପଟେ ଦିଲ୍ଲୀପ ରାୟଙ୍କ ଦଳତ୍ୟାଗ ମଧ୍ୟ ଆଣିଦେଇଛି ବଡ ଝଟ୍‍କା ।

ଅନ୍ୟ ପକ୍ଷରେ ରାଜ୍ୟ କଂଗ୍ରେସ ବି ବିଜେଡିର ଲୋକପ୍ରିୟତା ଦୁର୍ଗକୁ ଭେଦ କରିବା ଅବସ୍ଥାରେ ନାହିଁ । କାରଣ ନିରଞ୍ଜନ ଦଳର ମଙ୍ଗ ଧରିବାବେଳେ କଂଗ୍ରେସରେ ଯେଉଁ ଉତ୍ସାହ ଥିଲା ତାହା ଆଉ ନାହିଁ । ଏବେ କୌଣସି ନେତାଙ୍କ ମୁହଁ ଗୋଟିଏ ଦିଗକୁ ନାହିଁ । କର୍ମୀମାନେ ବି ନେତାଙ୍କୁ ଲକ୍ଷ୍ୟକରି ବାଟ କାଟିବାକୁ ବସିଲେଣି । ଥଣ୍ଡା ବସ୍ତାରେ ଥିବା ୪୦ଟି ବିଧାନସଭା ଟିକଟକୁ ନେଇ ଭିତରେ ଭିତରେ ବାଡିଆପିଟା ବି ଲାଗିଛି । ଏହା ସାଙ୍ଗକୁ ସଗରିଆଙ୍କ ଇସ୍ତଫା ଓ ବିଜେପିର ନରସିଂହ ଆକ୍ରମଣ ଦଳକୁ ବ୍ୟାକ୍‍ଫୁଟ୍‍କୁ ନେଇଯାଇଛି । ମୋଟାମୋଟି ଭାବେ ବିଜେଡି ଗତ କିଛି ଦିନ ଧରି ରାଜ୍ୟରେ ଯେଉଁ ଲୋକପ୍ରିୟ ମାହୋଲ ସୃଷ୍ଟି କରିଛି ତାହାକୁ ଭେଦକରି ଲୋକଙ୍କ ନିକଟରେ ପହଞ୍ଚିବାରେ ଦୁଇଦଳର ରଣନୀତି ସଫଳ ହୋଇପାରୁନାହିଁ । ତେବେ ବିଜେଡିର ନେତାମାନେ କେତେଦିନ ଏହି ମାହୋଲକୁ ଧରି ରଖୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର  ।

Share

Leave a Reply

Your email address will not be published. Required fields are marked *

seven + 12 =