ବିଜୟ ଓ ସ୍ବରୂପଙ୍କୁ ନବୀନଙ୍କ ମନ୍ତ୍ର : ଲୋକଙ୍କ ପାଖକୁ ଯାଅ, ସମସ୍ୟା ବୁଝ

ଭୁବନେଶ୍ବର () ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ନିର୍ବାଚନମଣ୍ଡଳିର ଭୋଟର ଓ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ନବାଗତ ଦୁଇ ବିଧାୟକଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ଦୁଇଟି ଆସନରେ ବିଜେଡିକୁ ବିଶ୍ବାସ କରି ବିଜେତା କରିଥିବାରୁ ବାଲେଶ୍ବର ଏବଂ ତିର୍ତ୍ତୋଲବାସୀଙ୍କୁ ଧନ୍ୟବାଦ ଦେବା ସହ ନବୀନ କହିଲେ ମୁଁ ଆପଣଙ୍କ ପାଖେ ଋଣୀ । ଏଥିସହ କରୋନା ଭିତରେ କଠିନ ପରିଶ୍ରମ କରି ବିଜୟ ଆଣିଦେଇଥିବା କର୍ମକର୍ତ୍ତାଙ୍କୁ ବି ଧନ୍ୟବାଦ ଜଣାଇଲେ ଦଳର ସଭାପତି ।

ପ୍ରଥମେ ତିର୍ତ୍ତୋଲବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇବା ପରେ ବାଲେଶ୍ବରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଜୟ ପାଇଁ ଆମ କର୍ମୀମାନେ ବହୁତ ପରିଶ୍ରମ କରିଛନ୍ତି । କରୋନା କାଳରେ ନିୟମ ମାନି କାମ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ବିଜୟୀ ହୋଇଥିବା ବିଜୟ ଶଙ୍କରଙ୍କୁ ମୋର ଅଭିନନ୍ଦନ । ତିର୍ତ୍ତୋଲର ବିକାଶ ପାଇଁ ଆପଣ କାମ ଜାରି ରଖନ୍ତୁ । କରୋନା ସମୟରେ ଲୋକଙ୍କ ପାଖକୁ ଯାଆନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସେମାନଙ୍କ ପ୍ରତିଟି ସମସ୍ୟା ଶୁଣି ମତେ କୁହନ୍ତୁ ଆଉ ତାର ସମାଧାନ କରନ୍ତୁ ବୋଲି ନବୀନ ତିର୍ତ୍ତୋଲର ନୂଆ ବିଧାୟକ ବିଜୟ ଶଙ୍କରଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ବାଲେଶ୍ବରର ବିକାଶ ଦାୟିତ୍ବ ନେଇଥିବା ନବୀନ ବିଜୟ ପରେ ବାଲେଶ୍ବରବାସୀଙ୍କ ପାଖରେ ଋଣୀ ଥିବା କହିଛନ୍ତି । ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଧନ୍ୟବାଦ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟ । କରୋନା କାଳରେ ପ୍ରଚାର ଏତେ ସହଜ ନଥିଲା । ମାତ୍ର ଦଳର ବିଜୟ ପାଇଁ ଆପଣ ସବୁ ନିୟମ ମାନି ଯେଉଁ ପରିଶ୍ରମ କରିଛନ୍ତି ସେଥିପାଇଁ ଧନ୍ୟବାଦ । ଭୂତାଣୁ ଭୟ ଭିତରେ ଘରୁ ବାହାରି ଭୋଟ ଦେଇଥିବା ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଲେ ନବୀନ । ବାଲେଶ୍ବରର ବିକାଶ ଜାରି ରଖନ୍ତୁ ନୂଆ ବିଧାୟକ ବୋଲି ସ୍ବରୂପଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ଦୁଇ ନବାଗତ ବିଧାୟକଙ୍କୁ ନବୀନ କହିଥିଲେ ଯେ, ସେ କଥାରେ ନୁହେଁ ସବୁବେଳେ କାମରେ ବିଶ୍ବାସ କରନ୍ତି । ନିର୍ବାଚନ ସମୟରେ ଦଳ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ନିଷ୍ଠାପର ଉଦ୍ୟମ କରାଯିବ । ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କକୁ ବଜାୟ ରଖିବା ପଂଚାୟତ ଓ ୱାର୍ଡ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ଓ ନେତାମାନେ ନିଜ ନିଜ ପଂଚାୟତ ଓ ୱାର୍ଡକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ଲୋକଙ୍କ ଆବଶ୍ୟକତା ସମ୍ପର୍କରେ ତାଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × one =