ବିଜେପି ପ୍ରଚାରରେ ଲାଗିଥିବା ସରକାରୀ ଉଦ୍ୟୋଗ ହୋର୍ଡିଂସ୍ କେବେ ହଟିବ?

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡ଼ିର ଆପତ୍ତି

ଭୁବନେଶ୍ୱର () : ନିର୍ବାଚନ ଆଚରଣ ବିଧି ଲାଗୁ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକର ହୋର୍ଡିଂସ୍ ଏବଂ ବିଜ୍ଞାପନ ସର୍ବସାଧାରଣ ସ୍ଥାନରୁ ହଟାଯାଇନାହିଁ । ବିଭିନ୍ନ ସ୍ଥାନ, ରେଳଷ୍ଟେସନ୍ ଏବଂ ବିମାନବନ୍ଦରରେ ଏହା ଶୋଭା ପାଉଛି । ଟ୍ରେନ୍ରେ ବିଜେପିର ପୋଷ୍ଟରଗୁଡ଼ିକ ପୂର୍ବଭଳି ଲାଗିରହିଛି । ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଏହା ଅଣାଯାଇଥିଲେ ମଧ୍ୟ ସେଗୁଡ଼ିକୁ ହଟାଇବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ । ବିଜେଡ଼ିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହା ଉପରେ ଆପତ୍ତି ଜଣାଇବା ସହ ସଂପୃକ୍ତ ହୋର୍ଡିଂସ୍ ଓ ପୋଷ୍ଟରଗୁଡ଼ିକୁ ତୁରନ୍ତ ହଟାଇବା ଲାଗି ଦାବି କରିଛନ୍ତି ।

ଅଭିଯୋଗରେ କୁହାଯାଇଛି ଯେ ପିଏସୟୁ ହୋର୍ଡିଂସ୍ ଏବଂ ବିଜେପି ବିଜ୍ଞାପନ ସଂକ୍ରାନ୍ତରେ ଗତ ୧୧ ତାରିଖ ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡ଼ି ଲିଖିତ ଭାବେ ଜଣାଇଥିଲା । ସର୍ବସାଧାରଣ ଜାଗାରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର କରି ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରାଇବା ଏହାର ଲକ୍ଷ୍ୟ ଥିବାରୁ ତାହା ଆଦର୍ଶ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ କରୁଛି । ତୁରନ୍ତ ସେଗୁଡ଼ିକୁ ହଟାଇ ଦେବା କଥା, ମାତ୍ର ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପ, ଗ୍ୟାସ୍ ଏଜେନ୍ସି, ବିମାନବନ୍ଦର ତଥା ଅନ୍ୟାନ୍ୟ ସ୍ଥାନରେ ସେଗୁଡ଼ିକ ଶୋଭାପାଉଛି ।  ଟ୍ରେନ ଗୁଡ଼ିକରେ ଲାଗିଥିବା ବିଜେପି ପୋଷ୍ଟର ହଟାଯାଇନାହିଁ ।  ମୋଟାମୋଟି ଦେଖିବାକୁ ଗଲେ, ଏଭଳି ଉପାୟରେ କେନ୍ଦ୍ର ସରକାରଙ୍କ ପ୍ରଚାର କୌଶଳକୁ ଆଖି ବୁଜି ଦିଆଯାଇଛି । ନିର୍ବାଚନ ଆଚରଣ ବିଧି ସଂକ୍ରାନ୍ତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ପାଳନ କରାଯାଉନାହିଁ ।

ନିର୍ବାଚନ କମିଶନଙ୍କ ନିରବଦ୍ରଷ୍ଟା ବିଜୁ ଜନତା ଦଳ ଓ ଓଡ଼ିଶାବାସୀଙ୍କୁ ଅସନ୍ତୁଷ୍ଟ କରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ଏହା ବ୍ୟାଘାତ ଘଟାଇବାକୁ ଯାଉଥିବାରୁ ନିର୍ବାଚନ କମିଶନ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡ଼ି ଜଣାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡ଼ି ପ୍ରତିନିଧି ଦଳରେ ଲେଲିନ୍ ମହାନ୍ତି, ସୁଲତା ଦେଓ ଏବଂ ଡ. ସସ୍ମିତ୍ ପାତ୍ର ଥିଲେ ।

Share

Leave a Reply

Your email address will not be published. Required fields are marked *

six + sixteen =