ବିଜେଡି ବନାମ ବିଜେପି : ୨୦ ଲକ୍ଷ ଘରର ହିସାବ ପରେ ବି ନାଟକ

ଭୁବନେଶ୍ବର (): ୨୦ ଲକ୍ଷ ପକ୍କା ଘର ନିର୍ମାଣ କରି ରାଜ୍ୟ ସରକାର ଗରିବ ପରିବାର ମୁହଁରେ ହସ ଫୁଟାଇଥିବା ବେଳେ ବିଜେପିର ନାଟକବାଜିକୁ ବିଜୁ ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଏତେବଡ଼ ସଫଳତା ବିଜେପି ଓ ତାଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡ ବିଗାଡ଼ି ଦେଇଛି । ଇର୍ଷା ଏତେ ଯେ ସତ ଜାଣିଲା ପରେ ବି ତାହାକୁ ବାରମ୍ବାର ପ୍ରଶ୍ନ କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି ।

ଡ. ପାତ୍ର କହିଛନ୍ତି, ଅତୀତରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ତାଙ୍କ ଦଳର ଅନ୍ୟ ନେତାମାନେ ରାଜ୍ୟରେ ୨୦ ଲକ୍ଷ ପକ୍କା ଘର ନିର୍ମାଣ ଉପରେ ବାରମ୍ବାର ପ୍ରଶ୍ନ କରିଥିଲେ । ସେମାନଙ୍କ ଭ୍ରମ ଦୂର ପାଇଁ ରାଜ୍ୟ ସରକାର ନିଜ ୱେବସାଇଟ୍ରେ ୨୦ ଲକ୍ଷ ପକ୍କା ଘରର ସମ୍ପୂର୍ଣ୍ଣ ତାଲିକା ଦେଇଥିଲେ । ହିତାଧିକାରୀଙ୍କ ନାଁ ସହ ଜାଗା ଏବଂ ଫଟୋ ସରକାରୀ ୱେବସାଇଟ୍ରେ ଉପଲବ୍ଧ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଦଳର ନେତାମାନେ ଏହା ଦେଖି ମୁହଁ ଲୁଚାଇବା ଛଡ଼ା ଅନ୍ୟ ଗତି ନ ଥିଲା । ମାତ୍ର ବିଜେପି ଏକ ମିଛୁଆ ଦଳ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ହୋଇଥିବାରୁ ୨୦ ଲକ୍ଷ ପକ୍କା ଘର ନିର୍ମାଣ ପ୍ରସଙ୍ଗରେ ଯାହା କହୁଛନ୍ତି ସେଥିରେ ତିଳେମାତ୍ର ସତ୍ୟତା ନାହିଁ ଏବଂ ସମ୍ପୂର୍ଣ୍ଣ ଅବାସ୍ତବ କଥା କହୁଛନ୍ତି । ବରଂ ବିଜେଡ଼ି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲ କାମ ଉପରୁ ଜନସାଧାରଣଙ୍କ ନଜର ହଟାଇବା ପାଇଁ ସେମାନେ ଏଭଳି ମିଥ୍ୟା ଅଭିଯୋଗର ଆଶ୍ରୟ ନେଇଛନ୍ତି । ବାସ୍ତବରେ, ବିଜେଡ଼ି ସରକାରଙ୍କ ସଫଳତା ଓ ପକ୍କା ଘର ନିର୍ମାଣରୁ ଉପକୃତ ୨୦ ଲକ୍ଷ ପରିବାରର ଆନନ୍ଦକୁ ବିଜେପି ସହ୍ୟ କରିପାରୁନାହିଁ ବୋଲି ଡ. ପାତ୍ର କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରିବାରପାଣିଆ  ଏବଂ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଆନ୍ତରିକତାକୁ ପ୍ରଶ୍ନ କରିଛନ୍ତି ଡ. ପାତ୍ର । ଓଡ଼ିଶାରେ ଅନ୍ୟ ସମ୍ପଦର ବିନିଯୋଗ କରିବା ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ସିଏସଆର ପାଣ୍ଠିକୁ ବିହାର ଓ ମଧ୍ୟପ୍ରଦେଶରେ ଖଟାଇ ଆସୁଛନ୍ତି । ପୂର୍ବରୁ ବିହାରରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲା ବେଳେ ବିହାରକୁ ଦେଉଥିଲେ ଏବଂ ଏବେ ମଧ୍ୟପ୍ରଦେଶକୁ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଟେକି ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ନିଜ ଜନ୍ମମାଟିକୁ ଭୁଲିଯାଇ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଅନ୍ୟ ରାଜ୍ୟ ପାଇଁ ଲୁହ ଗଡ଼ାଉଥିବାରୁ ତାଙ୍କୁ ଲଜ୍ଜା ଲାଗିବା କଥା ବୋଲି ଡ. ପାତ୍ର କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଗୋଲକ ମହାପାତ୍ର ରାଜ୍ୟରେ 20 ଲକ୍ଷ ପକ୍କା ଘର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଥିଲା । ବିଜେପିର ଅଭିଯୋଗ ଥିଲା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନିର୍ମିତ ପକ୍କା ଘର ମଧ୍ୟରୁ ଅର୍ଦ୍ଧାଧିକ କେନ୍ଦ୍ରୀୟ ଯୋଜନାରେ ନିର୍ମିତ ହୋଇଛି । ସେହିଭଳି ରାଜ୍ୟର 30 ଲକ୍ଷ ଲୋକ ଆଜି ବିନା ପକ୍କା ଘରେ ଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତଙ୍କୁ ପକ୍କା ଘର ଯୋଗାଣ ପ୍ରତିଶ୍ରୁତି ପାଣିର ଗାର ଭଳି ବୋଲି ସେ ଅଭିଯୋଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − nine =