ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ଅରୁଣ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିର ଉତ୍ତର ଦେଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ପିଏମ କିଷାନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଥିବା ଧର୍ମେନ୍ଦ୍ରଙ୍କ ଗଠନମୂଳକ ସହଯୋଗ ଲୋଡିଛନ୍ତି କୃଷିମନ୍ତ୍ରୀ । ତେବେ କାହିଁକି ଓଡିଶାର ଚାଷୀ ପିଏମ କିଷାନରୁ ବଞ୍ଚିତ ହେଉଛନ୍ତି? ତୃଟି କେଉଁଠି ଓ କାହାର? ଏନେଇ କୃଷିମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । 
 
ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ୪୦ ଲକ୍ଷ ୫୦ ହଜାର ଚାଷୀଙ୍କୁ ପିଏମ କିଷାନରେ ସାମିଲ କରିବା ନେଇ ଚିଠି ଲେଖିଥିଲେ । ହେଲେ ରାଜ୍ୟ କୃଷି ମନ୍ତ୍ରୀଙ୍କ ହିସାବ କହୁଛି, କେନ୍ଦ୍ର ସରକାରଙ୍କ ପିଏମ କିଷାନ ମାର୍ଗଦର୍ଶିକା ଅନୁଯାୟୀ ୪୩ ଲକ୍ଷ ୧୭ହଜାର ଚାଷୀଙ୍କ ନାମ ଏହି ଯୋଜନା ପାଇଁ ପଂଜିକରଣ କରାଯାଇଛି । ସେ ମଧ୍ୟରୁ ୩୮ ଲକ୍ଷ ୬୫ ହଜାର ଚାଷୀଙ୍କୁ ପିଏମ କିଷାନ ସହାୟତା ମିଳିବାକୁ ମଂଜୁରୀ ମିଳିଛି । ବଳକା ୪ଲକ୍ଷ ୫୨ ହଜାର ଚାଷୀଙ୍କୁ କାହିଁକି ବାଦ ଦିଆଯାଇଛି । ଏଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହଯୋଗ ଲୋଡିଛନ୍ତି ଅରୁଣ । 
 
ସେହିଭଳି ମଂଜୁରୀପ୍ରାପ୍ତ ୩୮ ଲକ୍ଷ ୧୯ ହଜାର ଚାଷୀଙ୍କ ମଧ୍ୟରୁ ୩୭ ଲକ୍ଷ ୧୯ ହଜାର ଚାଷୀ ଗୋଟିଏ କିମ୍ବା ତତୋଧିକ ଇଷ୍ଟାଲମେଣ୍ଟ ପାଇଛନ୍ତି । ରାଜ୍ୟ ସରକାର ତଥ୍ୟ ଦେବା ପରେ ମଧ୍ୟ କାହିଁକି ଚାଷୀ ପରବର୍ତ୍ତି ଇଷ୍ଟାଲମେଣ୍ଟ ପାଉନାହାଁନ୍ତି ସେ ନେଇ ବାରମ୍ବାର ପିଏମ କିଷାନ ବୈଷୟିକ ଟିମ ସହ ଯୋଗାଯୋଗ କରାଯାଉଛି । ହେଲେ ସୁଫଳ ମିଳୁନି । ପଂଜିକରଣ ସମୟରେ ନାମ ଓ ଆଧାର କାର୍ଡରେ ଉଲ୍ଲେଖ କରାଯାଇଥିବା ନାମ ମେଳ ନଖାଇବା, ବ୍ୟାଙ୍କ ଅଟୋମେସନ ସମସ୍ୟା, ପିଏମ କିଷାନ ସହ ବ୍ୟାଙ୍କର ଇଣ୍ଟିଗ୍ରେସନ ନହେବା ଭଳି ବିଭିନ୍ନ କାରଣରୁ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । 
 
ଏହାର ସମାଧାନ ପାଇଁ ପିଏମ କିଷାନ ପୋର୍ଟାଲରେ ରାଜ୍ୟ ସରକାରଙ୍କୁ ଚାଷୀଙ୍କ ଡ଼ାଟାରେ ସଂଶୋଧନ କ୍ଷମତା ଦେବାକୁ ବାରମ୍ବାର ଦାବି କରାଯାଉଥିଲେ ବି କେନ୍ଦ୍ରୀୟ ବୈଷୟୀକ ଟିମ ଶୁଣୁନାହିଁ ବୋଲି କହିଛନ୍ତି ଅରୁଣ । ଗୋଟେ ସମୟରେ ରାଜ୍ୟ ସରକାରଙ୍କ ନିଜସ୍ବ କାଳିଆ ଯୋଜନାରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଥିଲା । ହେଲେ ରାଜ୍ୟ ସରକାର ନିଜ ଅଭିଜ୍ଞତା ଓ ଦକ୍ଷତାରୁ ଏହାର ସମାଧାନ କରିପାରିଛନ୍ତି ।
Share

Leave a Reply

Your email address will not be published. Required fields are marked *

2 × 4 =