ଯୋଗୀ ଓ ମୋଦୀଙ୍କ ଗଡରେ ପ୍ରିୟଙ୍କା

ଲକ୍ଷ୍ନୋ () ଗାନ୍ଧୀ ପରିବାରର କନ୍ୟା ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଓ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଦାୟିତ୍ବ ଗ୍ରହଣ କରିବା ପରେ ଏବେ ନିର୍ବାଚନ ଅଭିଯାନର ମୁଡ଼ରେ ଆଗେଇବାରେ ଲାଗିଛନ୍ତି। ଦଳକୁ କିପରି ଉତ୍ତରପ୍ରଦେଶରେ ଶକ୍ତିଶାଳୀ କରିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରିୟଙ୍କା ବନାଇଥିବା କୁହାଯାଉଛି । ଲୋକସଭାର ୪୨ଟି ଆସନ ଏବେ ତାଙ୍କର ଟାର୍ଗେଟରେ। ରାହୁଲ ଗାନ୍ଧୀଙ୍କ ଉପରୁ ଚାପ କମାଇବା ଏବଂ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ପାଇଁ ବିଶେଷ ଫୋକସ କରିବା ଲକ୍ଷ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ବ ଦିଆଯାଇ ଉତ୍ତରପ୍ରଦେଶ ପୂର୍ବର ପ୍ରଭାରୀ ନିଯୁକ୍ତ କରାଯାଇଛି।

ସର୍ବଭାରତୀୟ କଂଗ୍ରେସ ଦଳର ମୁଖ୍ୟାଳୟକୁ ଆସି ପ୍ରିୟଙ୍କା କିଛି ଦିନ ତଳେ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ବ ନେବା ମାତ୍ରକେ ସ୍ବତନ୍ତ୍ର ଅଭିଯାନ ମୁଡ଼ରେ ପ୍ରିୟଙ୍କା ରହିଥିବା ଜଣାପଡିଗଲାଣି। କାରଣ ଆଜିଠାରୁ ପ୍ରିୟଙ୍କା ଉତ୍ତରପ୍ରଦେଶ ଗସ୍ତ ଆରମ୍ଭ କରିଛନ୍ତି। ଛତ୍ତରପ୍ରଦେଶ ଗସ୍ତ ଆରମ୍ଭ କରି କିଛି ଦିନ ସେଠାରେ ପ୍ରିୟଙ୍କା କାଟିବେ। ଏହାର କିଛି ଦିନ ପରେ ପୁଣି ୟୁପି ଗସ୍ତରେ ଆସି ଲମ୍ବା ସମୟ ପ୍ରିୟଙ୍କା ରହିବେ ବୋଲି ଜଣାପଡିଛି।

ଫେବୃଆରୀ ୧୮ତାରିଖରୁ ପ୍ରିୟଙ୍କାର ୟୁପିର ପୂର୍ବଭାଗର ଅଭିଯାନ ଆରମ୍ଭ ହେବ। ପୁରା ଏକମାସ ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ରହିବାର ଯୋଜନା ପ୍ରସ୍ତୁତ ହୋଇଛି । ଏହାର ଅଧୀନରେ ପ୍ରତ୍ୟେକ ଦିନ ସେ ଗୋଟିଏ ଲୋକସଭା କ୍ଷେତ୍ରରେ ସମୟ କାଟିବେ। କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସେଠାରେ ସଭା ବି କରିବେ। ଏହି ଏକମାସ ଭିତରେ ରୋଡ଼ ଶୋ’ ବ୍ୟାପକ ଭାବରେ କରିବା ପାଇଁ ପ୍ରିୟଙ୍କା ଯୋଜନା କରିଥିବା କୁହାଯାଉଛି।

ତାଙ୍କର ଲକ୍ଷ୍ୟ ହେଉଛି ଏହି ରୋଡ଼ ଶୋ’ ମାଧ୍ୟମରେ ସେ ସାଧାରଣ ଲୋକଙ୍କ ସହ ଭେଟି କଥା ହେବେ ଓ ତୃଣମୂଳ ସ୍ତରରେ ଥିବା କଂଗ୍ରେସ କର୍ମୀମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇବେ। ପ୍ରିୟଙ୍କାଙ୍କର ଆଜିର କାର୍ଯ୍ୟକ୍ରମ ଗୁଡ଼ିକରେ ତାଙ୍କ ଭାଇ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ହେଲେ ସନ୍ଧ୍ୟାରେ ରାହୁଲ ଦିଲ୍ଲୀ ଫେରିଆସିବାକୁ ଥିବାବେଳେ ପ୍ରିୟଙ୍କା କିନ୍ତୁ ଲକ୍ଷ୍ନୌରେ ରହିବେ। ପ୍ରଶାସନିକ ସ୍ତରରେ ଉତ୍ତରପ୍ରଦେଶ ୧୮ମଣ୍ଡଳରେ ଭାଗ ହୋଇଛି। ପ୍ରିୟଙ୍କାଙ୍କୁ ୯ମଣ୍ଡଳର ଦାୟିତ୍ବ ଦିଆଯାଇଛି। ଏଥିରେ ୪୨ଟି ଲୋକସଭା ଆସନ ଆସୁଛି।

ଆଉ ଏକ ରଣନୀତି ଆଧାରରେ ପ୍ରିୟଙ୍କା ପୂର୍ବ ଉତ୍ତରପ୍ରଦେଶ ଲାଗି ଜଣେ ଅଧ୍ୟକ୍ଷ ନିଯୁକ୍ତ ହେବାକୁ ଚାହୁଁଛନ୍ତି। କୁହାଯାଉଛି ଜଣେ ବ୍ରାହ୍ମଣ ନେତାଙ୍କୁ ପୂର୍ବ ଉତ୍ତରପ୍ରଦେଶର ଅଧ୍ୟକ୍ଷ ପଦ କଂଗ୍ରେସ ଦେବ। ରାଜନୈତିକ ସମୀକରଣ ଦୃଷ୍ଟିରୁ ଏହା ଦଳକୁ ସହାୟକ ହେବ ବୋଲି ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଧାନସଭା କ୍ଷେତ୍ର ଗୋରଖପୁର ପୂର୍ବ ଉତ୍ତରପ୍ରଦେଶରେ ପଡୁଛି। ସେ ଦୃଷ୍ଟିରୁ ବିଜେପିର ମଜଭୁତ ଗଡ଼ରେ ଦଳକୁ ସକ୍ରିୟ କରି ସାଧାରଣ ନିର୍ବାଚନବେଳକୁ ଆଶା ସଞ୍ଚାର କରିରଖିବାର ଗୁରୁ ଦାୟିତ୍ବ ପ୍ରିୟଙ୍କା ଗ୍ରହଣ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 1 =