ନିଦ ହଜାଇ ଦେଇଛି ନିଜସ୍ବ ସର୍ଭେ

ନୂଆଦିଲ୍ଲୀ () ଆଗାମୀ ଲୋକସଭା ନିର୍ବାଚନରେ ଦେଶର ମତଦାତାମାନେ କାହାକୁ ଭୋଟ ଦେବେ ସେ ନେଇ ବିଜେପି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ବିଜେପି ନେତାଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଜେପିର ଭୋଟ ଦୁର୍ଗ କୁହାଯାଉଥିବା କେତେକ ରାଜ୍ୟରେ ମଧ୍ୟ ଆସନ ସଂଖ୍ୟା କମିବାର ଆଶଙ୍କା ଦେଖାଦେଇଛି। ସବୁଠାରୁ ଅଧିକ କ୍ଷତି ଉତ୍ତରପ୍ରଦେଶରେ ହେବ ବୋଲି ଏହି ସର୍ଭେରୁ ଆକଳନ କରାଯାଇଛି। ଏହି କ୍ଷତିରୁ ରକ୍ଷା ପାଇବା ସହିତ ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କରିବା ପାଇଁ ବିଜେପି ଏବେଠାରୁ ସହଯୋଗୀ ଦଳ ଖୋଜିବା ଆରମ୍ଭ କରିଦେଇଛି।

ବିଜେପିର ନିଜସ୍ବ ସର୍ଭେ ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ସର୍ବାଧିକ କ୍ଷତି ହେବ। ଉତ୍ତରପ୍ରଦେଶରେ ବିଜେପିକୁ ପୂର୍ବାପେକ୍ଷା ୫୧ଟି ଆସନ ହରାଇବାକୁ ପଡ଼ିବ। ଅର୍ଥାତ୍ ବିଜେପି ମାତ୍ର ୨୦ଟି ଆସନ ଉତ୍ତରପ୍ରଦେଶରୁ ପାଇବ ବୋଲି ସର୍ଭେରୁ ଜଣାପଡ଼ିଛି। ଗତ ନିର୍ବାଚନରେ ଉତ୍ତରପ୍ରଦେଶର ୮୦ଟି ଆସନୁ ବିଜେପି ୭୧ଟି ଆସନରେ ବିଜୟୀ ହୋଇଥିଲା। ଏହି କ୍ଷତିରୁ ରକ୍ଷା ପାଇବା ପାଇଁ ପଶ୍ଚିମ ଉତ୍ତରପ୍ରଦେଶରେ ଶକ୍ତିଶାଳୀ ସଂଗଠନ ଥିବା ରାଷ୍ଟ୍ରୀୟ ଲୋକଦଳ ସହିତ ମେଣ୍ଟ କରିବା ବିଜେପି ପ୍ରୟାସ ଆରମ୍ଭ କରିଦେଇଛି। କାରଣ ଏସପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକଦଳକୁ ସମ୍ମାନ ଜନକ ଆସନ ଦିଆଯାଇନଥିବାରୁ ସେହି ଦଳର ନେତାମାନେ ଅସନ୍ତୁଷ୍ଟ ଅଛନ୍ତି।

ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ କ୍ଷତି ସହିବାକୁ ପଡ଼ିବ ବୋଲି ସର୍ଭେରୁ ଜଣାପଡ଼ିଛି। ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ବିଜେପି ଉପରେ ଅସନ୍ତୁଷ୍ଟ ରହି ସରକାରକୁ ବାରମ୍ବାର ସମାଲୋଚନା କରିଆସୁଛି। ଯାହା ଫଳରେ ଶିବସେନାର କର୍ମୀମାନେ ବିଜେପିକୁ ନିର୍ବାଚନବେଳେ ସହଯୋଗ କରିବା ନେଇ ସନ୍ଦେହ ଦେଖାଦେଇଛି।

କେବଳ ସେତିକି ନୁହେଁ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ରେ ଦଳର ସ୍ଥିତି ଆଉ ପୂର୍ବଭଳି ନାହିଁ। ତେଣୁ ଏହିସବୁ ରାଜ୍ୟରେ ବିଜେପି ପୂର୍ବ ଭଳି ସଫଳତା ପାଇବ ନାହିଁ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

eleven − four =