ଜୟଦେବ ଭବନରେ ଦିଲ୍ଲୀପ କାହିଁକି ଜନ୍ମଦିନ ପାଳିବେ ?

ଭୁବନେଶ୍ବର (): ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ । ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ବିଜେପିର ହାତ ଛାଡିବା ସହିତ ବିଧାୟକ ପଦରୁ ଅବ୍ୟାହତି ନେବାପରେ ଶ୍ରୀ ରାୟ ବିଦେଶ ଗସ୍ତରେ ଯାଇଥିଲେ । ଇତି ମଧ୍ୟରେ ସେ ଓଡିଶା ଫେରିଥିବାବେଳେ ତାଙ୍କର ରାଜନୈତିକ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ଶ୍ରୀ ରାୟ କେଉଁ ଦଳରେ ଯୋଗଦେବେ ତାହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି । ତେବେ ବିଜେଡିରେ ଶ୍ରୀ ରାୟ ଯୋଗ ଦେବାନେଇ ଜବରଦସ୍ତ ଖବର ଆସୁଥିବାବେଳେ ଏପର୍ଯ୍ୟନ୍ତ ନା ବିଜେଡି ନା ଦିଲ୍ଲୀପ କେହି ଏ ସଂକ୍ରାନ୍ତରେ  ସ୍ପଷ୍ଟ କରୁଛନ୍ତି ।

ତେବେ ବଡ କଥା ହେଉଛି ଶ୍ରୀ ରାୟ ପ୍ରଥମଥର ତାଙ୍କର ଜନ୍ମଦିନ ମେଫେୟାର ହୋଟେଲ ବାହାରେ ପାଳନ କରିବାକୁ ଯାଉଛନ୍ତି । କାରଣ ପ୍ରତିବର୍ଷ ଜାନୁୟାରୀ ୯ ତାରିଖରେ ସେ ନିଜ ହୋଟେଲରେ ବନ୍ଧୁ ପରିଜନ ଓ ହୋଟେଲ କର୍ମଚାରୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଥାନ୍ତି । ଏହାକୁ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଓ କର୍ମଚାରୀଙ୍କ ବ୍ୟତିତ ଆଉ କେହି ଜାଣିପାରନ୍ତି ନାହିଁ । ଅତି ସାଧାସିଧା ଭାବେ ସେ ନିଜର ଜନ୍ମଦିନ ପାଳିଥାନ୍ତି । ପରଦିନ ସୋସାଲ ମିଡିଆରେ ଫଟୋ ଆସିଲେ ଅନେକ ଏହା ଜାଣିଥାନ୍ତି ।

ଏଥର କିନ୍ତୁ ଶ୍ରୀ ରାୟଙ୍କ ଜନ୍ମଦିନ ରାଜ୍ୟସ୍ତରୀୟ ଭାବେ ପାଳନ କରାଯିବ । ଜୟଦେବଭବନକୁ ଏଥିପାଇଁ ସଂରକ୍ଷିତ କରାଯାଇଥିବାବେଳେ ଉଭୟ ରାଉରକେଲା ଓ ରାଜଧାନୀରୁ ଅଧିକ ସଂଖ୍ୟାରେ ଲୋକ ବିଶେଷକରି ରାଜନୈତିକ ନେତାମାନଙ୍କୁ ଏଠାକୁ ଆଣିବାପାଇଁ ଯୋଜନା ହେଉଛି । ଶ୍ରୀ ରାୟଙ୍କର ଏଭଳି ଜନ୍ମଦିନ ଆୟୋଜନ ନେଇ ଅନେକ ଆଦି ଅନ୍ତ ପାଉନଥିବାବେଳେ ଏହା ପଛରେ ତାଙ୍କର ରାଜନୈତିକ ଗୋଟିଚାଳନା ଥିବା ଅନେକ ମତ ଦେଉଛନ୍ତି । କାରଣ ଦୀର୍ଘଦିନ ଧରି ଉଭୟ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ରହିବା ସହିତ ବିଧାୟକ ପଦରେ ରହିଥିଲେ ମଧ୍ୟ ଦିଲ୍ଲୀପ ଏଭଳି ଜନ୍ମଦିନ ପାଳନ କରିନଥିଲେ ।

ଶ୍ରୀ ରାୟଙ୍କ ଜନ୍ମଦିନ ପାଳନ ଆଳରେ ଏଭଳି ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ସମସ୍ତ ନଜର କିନ୍ତୁ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ଉପରେ ରହିଛି । ଉଭୟ ଏକ ସଙ୍ଗେ ବିଜେପି ଛାଡିଥିବାବେଳେ ବିଜୟ ଇତି ମଧ୍ୟରେ କେନ୍ଦ୍ରାପଡାରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଛନ୍ତି । ତେଣୁ ଅନୁରୂପ ଢାଞ୍ଚାରେ ଦିଲ୍ଲୀପଙ୍କର ରାଜଧାନୀରେ ପ୍ରଦର୍ଶନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସର୍ବସାଧାରଣ ସ୍ଥାନ ଏପରିକି ବିଧାନସଭାରେ ଖୁବ୍‍ କମ୍‍ ମୁହଁ ଖୋଲୁଥିବା ଦିଲ୍ଲୀପ ନିଜ ଜନ୍ମଦିନରେ ସମର୍ଥକମାନଙ୍କୁ ମୁହଁଖୋଲି କି ବାର୍ତ୍ତା ଦେଉଛନ୍ତି ଓ ତାଙ୍କ ଜନ୍ମଦିନ ଉତ୍ସବରେ କେଉଁମାନେ ଯୋଗ ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

4 + sixteen =