ବିଜେପି ସଂଗଠନକୁ ନିଜ କବ୍‍ଜାରେ ରଖିବ ଆରଏସଏସ

ଭୁବନେଶ୍ୱର (): ଦେଶବ୍ୟାପୀ ଶାସକ ବିଜେପିର ଆଧାରକୁ ମଜଭୂତ କରିବା ସହିତ ପୁଣି କିପରି କ୍ଷମତାକୁ ଫେରିବ ସେ ସମ୍ପର୍କରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ବୈଠକରେ ବିଚାର ବିମର୍ଷ ଆରମ୍ଭ ହୋଇଯାଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିର ସ୍ଥିତିକୁ ମଜଭୂତ କରିବା ସହିତ ବିଜେପି ସଂଗଠନକୁ ନିଜ ହାତକୁ ନେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ଏହି ଯୋଜନା ଅନୁସାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ରାଜ୍ୟ ଭଳି ସଂଗଠନ ସମ୍ପାଦକ ନିଯୁକ୍ତ କରାଯିବ । ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟରେ ସଂଘ ପକ୍ଷରୁ ଜଣେ ପ୍ରଚାରକଙ୍କୁ ସଂଗଠନ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଉଛି । ଏହି ସଂଗଠନ ସାଧାରଣ ସମ୍ପାଦକ ସଂଘ ଓ ବିଜେପି ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳର କାର୍ଯ୍ୟକ୍ରମକୁ ଆଗେଇ ନେଇଥାନ୍ତି । କିନ୍ତୁ ଅନେକ ସମୟରେ ସଂଗଠନ ସାଧାରଣ ସମ୍ପାଦକମାନେ ଜିଲ୍ଲା ସ୍ତରର ସ୍ଥିତି ସମ୍ପର୍କରେ ସଠିକ ଆକଳନ କରିପାରୁନାହାନ୍ତି । ଫଳରେ ବିଜେପିର ନିର୍ବାଚନୀ ଆକଳନ ଅନେକ ସମୟରେ ବିଫଳ ହେବାରୁ ପରାଜୟ ଭୋଗିବାକୁ ପଡୁଛି ।

ଏ ସମ୍ପର୍କରେ ସଂଘ ଓ ବିଜେପି ନେତୃତ୍ୱ ମଧ୍ୟରେ ଅନେକ ଥର ବିଚାର ବିମର୍ଷ ପରେ ସଂଘ ଖୁବ୍‍ ଶୀଘ୍ର ଦେଶର ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜଣେ ଲେଖାଏଁ ସଂଗଠନ ସମ୍ପାଦକଙ୍କୁ ନିଯୁକ୍ତି ନେବା ପାଇଁ ନିସ୍ପତ୍ତି ନେଇଥିବା ଜଣାପଡିଛି । ଏହି ନିଯୁକ୍ତି ଫଳରେ ତଳସ୍ତରରୁ ବିଜେପିର ସଂଗଠନ ସମ୍ପର୍କରେ ସଠିକ ସୂଚନା ମିଳିପାରିବ । ତେଣୁ ଏଥିପାଇଁ ସଂଘ ପକ୍ଷରୁ ଯୋଗ୍ୟ ପ୍ରଚାରକ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ବିଜେପିରେ ସଂଗଠନ ସମ୍ପାଦକ ପଦବୀକୁ ବହୁତ ଗୁରୁତ୍ୱ ମିଳିଥାଏ । କାରଣ ସଂଗଠନ ସମ୍ପାଦକ ବିଜେପିରେ ସଂଘର ପ୍ରତିନିଧିତ୍ୱ ହୋଇଥାନ୍ତି । ସଂଗଠନ ସମ୍ପାଦକ ସଂଘର ପ୍ରଚାରକ ନିଯୁକ୍ତ ହୋଇଥାନ୍ତି । ବର୍ତ୍ତମାନ ରାଷ୍ଟ୍ରୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ଜଣେ ଲେଖାଏଁ ସଂଗଠନ ସମ୍ପାଦକ ନିଯୁକ୍ତ ହୋଇ ବିଜେପି ସଂଗଠନକୁ ସମ୍ଭାଳୁଛନ୍ତି । ଏହି ପ୍ରଚାରକମାନଙ୍କର କୌଣସି ମହତ୍ତ୍ୱକାଂକ୍ଷା ନଥାଏ । ଏମାନେ ରାଜନୀତି କରିବା ପାଇଁ ଇଛା ବ୍ୟକ୍ତ ମଧ୍ୟ କରନ୍ତି ନାହିଁ । ତେଣୁ ସଂଗଠନ ସମ୍ପାଦକଙ୍କୁ ବିଜେପିରେ ବହୁ ମାନ୍ୟତା ମିଳିଥାଏ । ସଂଗଠନ ବ୍ୟାପାରରେ ତାଙ୍କ ନିଷ୍ପତ୍ତି ସର୍ବମାନ୍ୟ ହୋଇଥାଏ ।

ଜିଲ୍ଲା ସ୍ତରରେ ଯେଉଁମାନେ ସଂଗଠନ ସମ୍ପାଦକ ହେଉଛନ୍ତି ସେମାନେ ପ୍ରଚାରକ ନୁହଁନ୍ତି । ତେଣୁ ଏହି ଦାୟିତ୍ୱରେ ଥିବା ବ୍ୟକ୍ତି ବିଶେଷ ଅନେକ ସମୟରେ ପକ୍ଷପାତ କରିବା ସହିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରାୟତଃ ଇଛା ପ୍ରକାଶ କରିଥାନ୍ତି । ଫଳରେ ବିଜେପି ଓ ସଂଘକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜିଲ୍ଲା ସ୍ତରରେ ସଂଘର ପ୍ରଚାରକମାନଙ୍କୁ ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବାକୁ ସଂଘର ବୈଠକରେ ସ୍ଥିର ହୋଇଛି । ବର୍ତ୍ତମାନ ସଂଘ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ପ୍ରଚାରକ ନାହାନ୍ତି । ତେଣୁ ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଏପରିକି ସ୍ଥାନୀୟ ସଂଘ ସଦସ୍ୟଙ୍କୁ ନିଜ ଅଞ୍ଚଳରେ ଦାୟିତ୍ୱ ଦିଆ ନଯାଇ ଅନ୍ୟ ଅଞ୍ଚଳ କିମ୍ବା ରାଜ୍ୟର ସ୍ୱୟଂ ସେବକମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ ବିଜେପି-ସଂଘ ନେତାଙ୍କ ବୈଠକରେ ସହମତି ପ୍ରକାଶ ପାଇଛି ।

ବିଜେପିରେ ସଂଗଠନ ସମ୍ପାଦକଙ୍କୁ ସଂଘର ଆଖି-ନାକ-କାନ ଭାବେ ବିଚାର କରାଯାଏ । ସଂଗଠନ ସମ୍ପାଦକ ବିଜେପି ନେତାଙ୍କ ନର୍ଦ୍ଦେଶରେ କାମ କରିନଥାନ୍ତି । ଦଳର ହିତ ପାଇଁ ଆବଶ୍ୟକତା ଅନୁସାରେ ସଂଘ-ବିଜେପି ନେତାଙ୍କ ସହିତ ତାଳମେଳ ରକ୍ଷା କରି କାମ କରିଥାନ୍ତି । ଫଳରେ ଜିଲ୍ଲା ସ୍ତରରେ ବିଜେପିର ସଂଗଠନ କେତେ ଶକ୍ତିଶାଳୀ କି ଦୁର୍ବଳ ଅଛି ତାହା ଜଣାପଡିବା ସହିତ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି । ଏହା ହେଲେ ଆଗାମୀ ଦିନରେ ସଂଘ ସିଧାସଳଖ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଜେପି ସଂଗଠନକୁ ନିଜ ହାତରେ ରଖି ପାରିବ ବୋଲି କୁହାଯାଉଛି ।

ଜିଲ୍ଲା ସ୍ତରରେ ଏହି ସଂଗଠନ ସମ୍ପାଦକ ନିଯୁକ୍ତି ପ୍ରକ୍ରିୟା ପ୍ରଥମେ ଦିଲ୍ଲୀରେ ଆରମ୍ଭ ହେବ । ଏହା ପରେ ଦେଶର ବିଭିନ୍ନ ପ୍ରଦେଶର ଜିଲ୍ଲା ସ୍ତରରେ ଏହି ସଂଘ ସ୍ୱୟଂ ସେବକ ବା ପ୍ରଚାରକମାନଙ୍କୁ ସଂଗଠନ ସମ୍ଭାଳିବା ପାଇଁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି ।

Share

Leave a Reply

Your email address will not be published. Required fields are marked *

15 + 17 =