ଇତିହାସ କହୁଛି ନବୀନଙ୍କ ବିରୋଧରେ ସବୁ ଅଙ୍କ ଫେଲ ମାରିଛି

ଭୁବନେଶ୍ୱର () ବରିଷ୍ଠ ନେତା ଦାମୋଦର ରାଉତ ବିଜେଡିରୁ ବିଦା ହେବା ଏବଂ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କର ବୈଠକ ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ମଞ୍ଚର ପରିକଳ୍ପନା ହେଉଛି । ଚର୍ଚ୍ଚା ହେଉଛି ଦାମ-ବୈଜୟନ୍ତ-ବିଜୟ ଏବଂ ବିଜେଡିରୁ ବିଗତ ବର୍ଷମାନଙ୍କରେ ବାହାରିଥିବା ଅଲୋଡ଼ା ନେତାମାନେ ନୂଆ ମଞ୍ଚ ଗଠନ କରି ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ । କିନ୍ତୁ ବିଜେଡିର ଗତ ୨୧ ବର୍ଷର ରାଜନୈତିକ ଇତିହାସକୁ ଦେଖିଲେ ବିଜେଡିରୁ ବହିଷ୍କୃତ ନେତାମାନେ ଆଉ ରାଜନୀତିରେ ସଫଳ ହୋଇପାରିନାହାଁନ୍ତି ।

ଅତୀତରେ ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବ୍ରଜ ତ୍ରିପାଠୀଙ୍କ ଭଳି ଅନେକ ଆଗଧାଡ଼ିର ନେତା ବିଜେଡିରୁ ବାହାରି ନବୀନଙ୍କୁ ଦୁର୍ବଳ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ସଫଳ ହେବା ତ ଦୂରର କଥା ଏହି ନେତାମାନେ ନିର୍ବାଚନ ମଇଦାନରେ ଚିତ୍ପଟାଙ୍ଗ ମାରିଛନ୍ତି । ୨୦୦୦ ମସିହା ସାଧାରଣ ନିର୍ବାଚନ ବେଳେ ବିଜୟ ମହାପାତ୍ର ବିଜେଡ଼ିରୁ ବହିଷ୍କୃତ ହୋଇଥିଲେ । ନିର୍ବାଚନ ସମୟରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବାରୁ ବିଜେଡ଼ି କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ସେଭଳି କିଛି ହୋଇନଥିଲା । କେବଳ ପାଟକୁରାରେ ବିଜୟଙ୍କ ସମର୍ଥିତ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ପ୍ରାକ୍ ବୁଝାମଣା ସତ୍ତେ୍ୱ ସେ ଇସ୍ତଫା ନଦେବାରୁ ବିଜୟଙ୍କ ପାଇଁ ବିଧାନସଭା ଯିବାର ରାସ୍ତା ବନ୍ଦ ହୋଇଗଲା । ପରେପରେ ବିଜୟ ଓଡ଼ିଶା ଗଣତନ୍ତ୍ର ପରିଷଦ ଗଠନ କରିଥିଲେ । କିଛି ଅଞ୍ଚଳରେ ତାହାର ପ୍ରଭାବ କିଛିଦିନ ପାଇଁ ଥିବାବେଳେ ବିଜୟ କିନ୍ତୁ ଏଯାଏଁ ବିଧାନସଭା ମାଡିପାରୁନାହାଁନ୍ତି ।

ଏବେ ସେ ବିଜେପିରୁ କୋଣଠେସା ହୋଇଯାଇଛନ୍ତି । ଅନୁରୂପ ଭାବେ ବ୍ରଜ ତ୍ରିପାଠୀ ପ୍ରଥମେ ବିଜେପିରେ ଯୋଗଦେଇ ଭାଗ୍ୟ ପରୀକ୍ଷା କରିଥିଲେ । ପରେ ସମତା କ୍ରାନ୍ତି ଦଳ ଗଢ଼ିଥିଲେ ବି ତାହା ପ୍ରଭାବଶୂନ୍ୟ ହୋଇଛନ୍ତି । ତାଙ୍କ ଦଳର ଅନ୍ୟତମ ଟାଣୁଆ ନେତା ତଥା ବିଧାୟକ ଜର୍ଜ ତିର୍କି ଏ ଭିତରେ ଜେଏମ୍ଏମ୍ରେ ଯୋଗ ଦେଇଛନ୍ତି । ଚର୍ଚ୍ଚା ହେଉଛି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ମିଶିବେ । ମୋଟାମୋଟି ଦେଖିବାକୁ ଗଲେ ଏହି ପୂର୍ବତନ ସାଂସଦ ଏବେ ରାଜନୀତିର ଦୃଶ୍ୟପଟ୍ଟରୁ ଏକପ୍ରକାର ହଜିଗଲେଣି । ଗଞ୍ଜାମ ଟାଇଗର ବୋଲାଉଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ଗର୍ଜନ ଆଉ ଶୁଭୁନି । ସେ ମଧ୍ୟ ବିଜେପି ଯାଇ ପୁଣି ଥରେ ବିଧାନସଭାରେ ନବୀନଙ୍କୁ ଘେରିବେ ବୋଲି ଚିନ୍ତା କରିଥିଲେ । କିନ୍ତୁ ଭୋଟ ରାଜନୀତିରେ ହାରିଯିବା ପରେ ଏବେ ସେ ଆଉ ବିଜେପିରେ ଅଛନ୍ତି କି ନାହିଁ ତାହା ଦଳୀୟ ନେତାଙ୍କୁ ବି ଅଜଣା ।

ଦୀର୍ଘ ୧୨ ବର୍ଷ ଧରି ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ମହାପାତ୍ର ବି ନବୀନଙ୍କୁ ମାତ୍ ଦେବାରେ ଫେଲ୍ ମାରିଲେ । ବରଂ ଭୋଟ ରାଜନୀତି ଓ ଜନମତକୁ ପ୍ରଭାବିତ କରିବାରେ ସେ ସଫଳ ହୋଇନଥିଲେ । ଓଡ଼ିଶା ଜନମୋର୍ଚ୍ଚା ଗଠନ କରି ବିଜେଡି ଭୋଟକୁ ବିଭାଜନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଓଡ଼ିଶା ଜନମୋର୍ଚ୍ଚା ଗୋଟିଏ ହେଲେ ସରପଞ୍ଚ ଜିତାଇ ପାରିଲାନାହିଁ । ବିଧାନସଭାକୁ ପ୍ରତିନିଧିତ୍ୱ ତ ଦୂରର କଥା ।

ଚଳିତ ବର୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ପରେ ବୈଜୟନ୍ତ ମଧ୍ୟ ଦଳରୁ ଇସ୍ତଫା ଦେଇଥିଲେ । କିଛି ଦିନ ଧରି ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସମବେଦନା ହାସଲ କରିବାକୁ ପ୍ରୟାସ କରିଥିଲେ । ସେ ବିଜେପିକୁ ଯିବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । କିନ୍ତୁ ଏବେ ଏହାର ସୋର ଶବ୍ଦ ନଥିବାବେଳେ ବୈଜୟନ୍ତ କଣ କରିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏବେ ଅ ।ସିବା ଡାକ୍ତର ଦାମୋଦର ରାଉତଙ୍କ ଅ ।ଡ଼କୁ । ବିଷ୍ଣୁ ଦାସ ଓ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ଅଭିଯୋଗ କରିବା ଦିନ କୁଜଙ୍ଗ ଓ ଏରସମା ସମେତ କେତେକ ଅଂଚଳରେ ଦୁଇ ନେତାଙ୍କ କୁଶ ପୁତ୍ତଳିକା ପୋଡ଼ାଯାଇଥିଲା । ଦୁଇ ନେତାଙ୍କୁ ବିଭିନ୍ନ ଫୋରମରେ ମଧ୍ୟ ଦାମଙ୍କ ଅନୁଗତମାନେ ସମାଲୋଚନା କରିଥିଲେ । କିନ୍ତୁ ଦାମଙ୍କୁ ନବୀନ ପଟ୍ଟନାୟକ ବିଜେଡ଼ିରୁ ବହିଷ୍କାର କରିବା ପରେ ଏଯାଏଁ ସେଭଳି ପ୍ରତିବାଦ ହୋଇନାହିଁ । ଦାମଙ୍କ ଅନେକ ଅନୁଗତ ଏବେ ନୀରବ ରହିଥିବା ପରିଲକ୍ଷିତ ହେଉଛି ।

Share

Leave a Reply

Your email address will not be published. Required fields are marked *

fifteen − 8 =