ବାଇକ୍ ଚାଳକଙ୍କ ଲାଗି ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡଲାଇନ୍ ଜାରି କରାଯାଇଛି । ବାଇକରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ । ଶିଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ମୋଟରଯାନ ନିୟମର ଧାରା ୧୨୯ରେ ଏଥିପାଇଁ କେତେକ ସଂଶୋଧନ କରାଯାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠା ଗାଇଡଲାଇନରୁ ଜଣାପଡ଼ିଛି ଯେ ୪ ବର୍ଷରୁ କମ୍ ବୟସ ଶିଶୁଙ୍କୁ ବାଇକରେ ନେବାକୁ ହେଲେ ସୁରକ୍ଷା ଉପକରଣ ବ୍ୟବହାର କରି ଚାଳକଙ୍କ ସହିତ ଶିଶୁଙ୍କୁ ଯୋଡ଼ିବାକୁ ପଡ଼ିବ । ଶିଶୁଙ୍କୁ ହେଲମେଟ ପିନ୍ଧାଇବାକୁ ହେବ । ୯ ମାସରୁ ଆରମ୍ଭ କରି ୪ ବର୍ଷ ବୟସର ଶିଶୁଙ୍କୁ ବାଇକରେ ନେବା ବେଳେ ସେମାନଙ୍କୁ ଏଭଳି ହେଲମେଟ ପିନ୍ଧାଇବାକୁ ପଡ଼ିବ ଯାହା ସେମାନଙ୍କ ମୁଣ୍ଡ ସହିତ ଠିକ୍ ଭାବେ ଫିଟ ହୋଇ ରହୁଥିବ ଓ ସେଥିରେ ବିଆଇଏସ ମାର୍କା ରହିଥିବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।
ଛୋଟ ପିଲାଙ୍କ ହେଲମେଟ ହାଲୁକା ଓ ୱାଟରପ୍ରୁ’୍ ହେବା ଦରକାର । ହେଭି ନାଇଲନ୍ ଅଥବା ମଲଟି ଫିଲାମେଟ୍ ନାଇଲନରେ ତାହା ତିଆରି ହୋଇଥିବା ଦରକାର ଓ ସେଥିରେ ମଜବୁତ ଫୋମ୍ ଲଗାଇବା ଜରୁରୀ । ସୁରକ୍ଷା ଉପକରଣ ଏଭଳି ଶକ୍ତ ହେବା ଦରକାର ଯାହା ୩୦ କିଲୋ ପର୍ଯ୍ୟନ୍ତ ଓଜନର ଝଟକାକୁ ସହ୍ୟ କରିପାରିବ ।
ଏହି ଚିଠା ଗାଇଡଲାଇନ୍ ଉପରେ ସରକାର ଅଂଶୀଦାରମାନଙ୍କ ମତାମତ ଆହ୍ୱାନ କରିଛନ୍ତି । ମତାମତ ମିଳିବା ପରେ ସେଗୁଡ଼ିକୁ ବିଚାରକୁ ନେଇ ଗାଇଡଲାଇନକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ । ତାହାକୁ ସରକାର ମଞ୍ଜୁର କଲେ ତାହା ନିୟମରେ ପରିଣତ ହୋଇଯିବ । ଥରେ ଏହି ନିୟମ ଲାଗୁ ହେଲେ ଯେଉଁମାନେ ତାହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

seven − 6 =