ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଆଉ କେଉଁଠୁ ଲଢୁଛନ୍ତି ?

ଦଶପଲ୍ଲା () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି । ଦଶପଲ୍ଲାରେ ବିଜେଡିର ପ୍ରଚାର ଅଭିଯାନରେ ସାମିଲ ହୋଇ ନବୀନ କାଳିଆ ଯୋଜନାକୁ କେନ୍ଦ୍ରର ବିଜେପି ସରକାର ଚାପରେ ବନ୍ଦ କରାଯାଇଥିବାରୁ କଡା ସମାଲୋଚନା କରିଛନ୍ତି । ଏଥିସହିତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଓ ତାଙ୍କ ନିର୍ବାଚନମଣ୍ଡଳୀ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ସେ କହିଛନ୍ତି ଯେ, କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା । ଏହିଦ୍ବାରା ଚାଳିଷ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାରକୁ ଫେରିବାର ପ୍ରଥମ ଦିନରେ ହିଁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ 10 ହଜାର ଟଙ୍କା ମିଳିବ । ସେହିଭଳି ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି କହିବା ମା ମାନେ ହିଁ ସମାଜର ଶକ୍ତି, ଦେଶର ଶକ୍ତି, ବିକାଶର ପ୍ରକୃତ ଡବଲ ଇଂଜିନ ବୋଲି କହିଛନ୍ତି । ମିଶନ ଶକ୍ତିର ମା ମାନଙ୍କୁ 5ହଜାର କୋଟି ଟଙ୍କାର ବିଜନେସ ଦେବାକୁ ବିଜେଡି ତାର ଇସ୍ତାହାରରେ ଘୋଷଣା କରିଛି ।

ବିଜେପି ଡବଲ ଇଂଜିନ କଥା କହୁଛି । ଫାଇଲିନ ହେଲା, ଆସିଲେ ନାହିଁ । ହୁଡହୁଡ ହେଲା ଆସିଲେ ନାହିଁ । ମରୁଡି ହେଲା, ଆସିଲେ ନାହିଁ । ବନ୍ୟା ହେଲା ଆସିଲେ ନାହିଁ । ତିତିଲି ହେଲା, ଦିଲ୍ଲୀ ଇଂଜିନ ଆସିଲ, କିନ୍ତୁ ଓଡିଶାକୁ ନୁହେଁ, ଆନ୍ଧ୍ରକୁ ଗଲା । ଏବେ ନିର୍ବାଚନ ହେଲା, ଦିଲ୍ଲୀ ଇଂଜିନ ଆସୁଛି, ଜୋରରେ ପାଟି କରୁଛି । ତାପରେ କିନ୍ତୁ ଦେଖା ମିଳିବ ନାହିଁ ବୋଲି ସେ କଟାକ୍ଷ କରି କହିଥିଲେ ।

ବିଜେପି ଡବଲ ଇଂଜନକୁ ସମାଲୋଚନା କରି କହିଥିଲେ ଯେ, ତାଙ୍କର ଆଉ ଗୋଟେ ଇଂଜିନ କିଏ? କୋଉଠି ଅଛି? ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି । ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ତାଙ୍କର ନିର୍ବାଚନମଣ୍ଡଳୀ କେଉଁଠି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ହେଲେ ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣଙ୍କ ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଙ୍ଗରେ ରହିଛି । ଆପଣମାନେ ମୋର ପରିବାର । ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିଚାଲିଥିବି । ତେଣୁ ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × one =