ନଦୀବନ୍ଧ ସୁରକ୍ଷା ବିଲକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, 13/06 () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନଦୀବନ୍ଧ ସୁରକ୍ଷା ବିଲ୍ ୨୦୧୮କୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଏହି ବିଲ୍ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଏକକ ନଦୀବନ୍ଧ ସୁରକ୍ଷା ପଦ୍ଧତି ଆପଣାଇବାରେ ସହାୟକ ହେବ, ଯାହାଦ୍ବାରା ନଦୀବନ୍ଧ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଏବଂ ଏହି ନଦୀବନ୍ଧରୁ ହେଉଥିବା ଲାଭ ସୁରକ୍ଷିତ ରହିପାରିବ । ଏହାଦ୍ବାରା ମାନବ ଜୀବନ, ପଶୁଧନ ଏବଂ ସମ୍ପତିର ସୁରକ୍ଷାରେ ସହାୟତା ମିଳିବ ।

ଅଗ୍ରଣୀ ଭାରତୀୟ ବିଶେଷଜ୍ଞ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ସହିତ ବ୍ୟାପକ ବିଚାରବିମର୍ଶ ପରେ ଚିଠା ବିଲ୍କୁ ଚୂଡ଼ାନ୍ତ ରୂପ ଦିଆଯିବ । ବିଲରେ ଦେଶରେ କେତକ ନିର୍ଦ୍ଦିଷ୍ଟ ନଦୀବନ୍ଧର ଉଚିତ ଅନୁଧ୍ୟାନ, ନିରୀକ୍ଷଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥା ରହିଛି, ଯାହାଦ୍ବାରା ନଦୀବନ୍ଧ ଗୁଡ଼ିକର ସୁରକ୍ଷିତ କାମକାର୍ଯ୍ୟ ସୁନିଶ୍ଚିତ କରାଯାଇପାରିବ । ନଦୀବନ୍ଧ ସୁରକ୍ଷା ଉପରେ ଜାତୀୟ ସମିତି ଗଠନ କରିବାର ବ୍ୟବସ୍ଥା ରହିଛି । ଏହି ସମିତି ନଦୀବନ୍ଧ ସୁରକ୍ଷା ନୀତିକୁ ବିକଶିତ କରିବ ଏବଂ ଆବଶ୍ୟକ ନିୟମ ପ୍ରଣୟନ ପାଇଁ ସୁପାରିସ କରିବ । ଏଥିସହିତ ନିୟାମକ ସଂସ୍ଥା ରୂପରେ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣ ଗଠନ କରାଯିବାର ପ୍ରସ୍ତାବ ରହିଛି । ଏହି ପ୍ରାଧିକରଣ ନୀତି, ନୀତି-ନିର୍ଦ୍ଦେଶ ଏବଂ ଦେଶରେ ନଦୀବନ୍ଧ ସୁରକ୍ଷା ଲାଗି ମାନଦଣ୍ଡଗୁଡ଼ିକୁ ଲାଗୁ କରିବ ।

ସେହିଭଳି ବିଲରେ ରାଜ୍ୟ ସରକାରଙ୍କ ଦ୍ବାରା ନଦୀବନ୍ଧ ସୁରକ୍ଷା ଉପରେ ରାଜ୍ୟ ସମିତି ଗଠନ କରିବାର ବ୍ୟବସ୍ଥା ସହ ଜାତୀୟ ନଦୀବନ୍ଧ ସୁରକ୍ଷା ପ୍ରାଧିକରଣର ବ୍ୟବସ୍ଥା ରହିଛି  । ପ୍ରାଧିକରଣ ନଦୀବନ୍ଧ ସୁରକ୍ଷା ସମ୍ବନ୍ଧୀୟ ଡାଟା ଏବଂ ବ୍ୟବହାରର ମାନକୀକରଣ ଲାଗି ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ଏବଂ ନଦୀବନ୍ଧ ମାଲିକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବ । ରାଜ୍ୟ ଏବଂ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନକୁ ବୈଷୟିକ ଏବଂ ବ୍ୟବସ୍ଥାଗତ ସହାୟତା ଉପଲବ୍ଧ କରାଇବ ଏହି ପ୍ରାଧିକରଣ । ପ୍ରାଧିକରଣ ଦେଶର ସମସ୍ତ ନଦୀବନ୍ଧଗୁଡ଼ିକର ଜାତୀୟ ସ୍ତରରେ ଡାଟା ବେସ ଏବଂ ପ୍ରମୁଖ ବିଫଳତାର ରେକର୍ଡ ରଖିବ ଏବଂ ପ୍ରମୁଖ ନଦୀବନ୍ଧର ବିଫଳତାର କାରଣ ମଧ୍ୟ ଯାଂଚ କରିବ ।

ପ୍ରାଧିକରଣ ନିୟମିତ ନିରୀକ୍ଷଣ ଲାଗି ଏବଂ ନଦୀବନ୍ଧର ବିସ୍ତୃତ ଯାଂଚ ଲାଗି ମାନଦଣ୍ଡ ନୀତି-ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ସୂଚୀକୁ ପ୍ରକାଶିତ କରିବ ଏବଂ ଅଧୁନାତନ ରଖିବ । ପ୍ରାଧିକରଣ ସେସବୁ ସଂଗଠନର ମାନ୍ୟତା କିମ୍ବା ପ୍ରତ୍ୟୟନର ରେକର୍ଡ ରଖିବ, ଯାହାର ଯାଂଚ, ନୂଆ ନଦୀବନ୍ଧର ଡିଜାଇନ ଏବଂ ନିର୍ମାଣର କାର୍ଯ୍ୟ ଅର୍ପଣ କରାଯାଇପାରିବ । ପ୍ରାଧିକରଣ ଦୁଇଟି ରାଜ୍ୟର ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନଗୁଡ଼ିକ ମଧ୍ୟରେ କିମ୍ବା କୌଣସି ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ଏବଂ ସେହି ରାଜ୍ୟର ନଦୀବନ୍ଧର ମାଲିକମାନଙ୍କ ମଧ୍ୟରେ ବିବାଦର ଉଚିତ ସମାଧାନ କରିବ ।

ସେହିଭଳି ନଦୀବନ୍ଧ ସୁରକ୍ଷା ଉପରେ ରାଜ୍ୟ ସମିତି ରାଜ୍ୟରେ ନିର୍ଦ୍ଦାରିତ ସମସ୍ତ ନଦୀବନ୍ଧର ଉଚିତ ଅନୁଧ୍ୟାନ, ନିରୀକ୍ଷଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବ । ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ନଦୀବନ୍ଧ ସୁରକ୍ଷା ସଂଗଠନ ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି ନା ନାହିଁ ତାହା ମଧ୍ୟ ଏହି ସମିତି ସୁନିଶ୍ଚିତ କରିବ । ଏହି ସଂଗଠନ କ୍ଷେତ୍ର ନଦୀବନ୍ଧ ସୁରକ୍ଷାର ଅଧିକାରୀମାନଙ୍କ ଦ୍ବାରା ପରିଚାଳିତ ହେବ । ଅଧିକାରୀମାନଙ୍କ ମଧ୍ୟରେ ପ୍ରାଥମିକ ଭାବେ ନଦୀବନ୍ଧ ଡିଜାଇନ, ହାଇଡ୍ରୋ ମେକାନିକାଲ ଇଞ୍ଜିନିୟରିଂ, ହାଇଡ୍ରୋଲୋଜି, ଭୂ-ବୈଷୟିକ ଯାଂଚ ଏବଂ ନଦୀବନ୍ଧ ଥଇଥାନ କ୍ଷେତ୍ରର ଅଧିକାରୀମାନେ ରହିବେ ।

Share

Leave a Reply

Your email address will not be published. Required fields are marked *

eleven + 1 =