ଜିଲ୍ଲା ରେକର୍ଡ ରୁମ ଲକରରୁ ମିଳିଲା ଡୁପ୍ଲିକେଟ ଚାବି

ଭୁବନେଶ୍ବର (): ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ନିଖୋଜ ଘଟଣାକୁ ନେଇ ଗତ ପ୍ରାୟ ଦୁଇ ସପ୍ତାହ ଧରି ନାନା ହଟଚମଟ ଚାଲିଥିଲା ବେଳେ ଆଜି ସନ୍ଧ୍ୟାରେ ହଠାତ ଭିତର ରତ୍ନଭଣ୍ଡାର ଚାବି ମିଳିଛି । ପୁରୀ ଜିଲ୍ଲା ରେକର୍ଡ ରୁମ ଲକରରୁ ଚାବି ମିଳିଥିବା ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓାଲ ସୂଚନା ଦେଇଛନ୍ତି । ରେକର୍ଡ ରୁମ ଲକରର ଏକ ଲଫାପାରେ ଡୁପ୍ଲିକେଟ ଚାବି ରହିଥିଲା ।

ଗତ ଏପ୍ରିଲ ଚାରି ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ଭିତର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡିଥିଲା । ଏ ସଂପର୍କରେ ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଖବର ଚାପି ଦେଇଥିବା ବେଳେ ପରବର୍ତ୍ତି ସମୟରେ କିନ୍ତୁ ଏହି ବିବାଦ ପଦାକୁ ଆସିଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ରାଜ୍ୟବାସୀଙ୍କ ଭାବାବେଗ ସହ ଜଡିତ ହୋଇଥିବାରୁ ରାଜ୍ୟବ୍ୟାପୀ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଏହାକୁ ନେଇ ରାଜନୈତିକ ଲଢେଇ ଓ ଦୋଷ ଲଦାଲଦି ବି ଆରମ୍ଭ ହୋଇଥିଲା ।

ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ରାଜନୀତି ଜୋର ଧରିବାରୁ ମୁଖ୍ୟମନ୍ତ୍ରୀ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ କମିଶନର ଅଧ୍ୟକ୍ଷ ଭାବେ ବି ନିଯୁକ୍ତି ଦିଆଯାଇଛି । କମିଶନ ଏହି ଘଟଣାର ତଦନ୍ତ ପାଇଁ ସତ୍ୟପାଠ ବି ଆବେଦନ କରିସାରିଥିଲେ । ଏଭିତରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଚାବି ମିଳିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ ସୂଚନା ମୁତାବକ ଜିଲ୍ଲା ପ୍ରଶାସନର ଚାରି ଏକ ଚାରିଜଣିଆ ଟିମ ଗତ ୫ ଦିନ ଧରି ଚାବି ଖୋଜିବା କାର୍ଯ୍ୟରେ ନିୟୋଜିତ ଥିଲେ । ମୂଳ କଥା ହେଉଛି ୧୯୮୫ ମସିହାରେ ଶେଷ ପାଇଁ ଭିତର ରତ୍ନଭଣ୍ଡାର ଖୋଲିଥିଲା । ସେସମୟର ନଥିପତ୍ର ଅନୁଯାୟୀ ଯେଉଁମାନେ ଭିତର ରତ୍ନଭଣ୍ଡାକୁ ଯାଇଥିଲେ ସେମାନେ ସେ ସଂପର୍କିତ ରିପୋର୍ଟରେ ଦସ୍ତଖତ କରିବା ସହ ଭଣ୍ଡାରରେ ଥିବା ଶ୍ରୀଜିୟୁଙ୍କ ଅଳଙ୍କାର ସଂପର୍କରେ ହିସାବ ବି ଦେଇଛନ୍ତି । ଏପରିକି ରତ୍ନଭଣ୍ଡାର ବନ୍ଦ ହେବା ପରେ ଚାବି କିଏ କାହାକୁ ହସ୍ତାନ୍ତର କରିଥିଲା ସେ ସଂପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ତେଣୁ ପ୍ରଶ୍ନ ଉଠୁଛି ଯେଉଁ ସମୟରେ ରତ୍ନଭଣ୍ଡାର ଖୋଲିବା କଥା ନିଷ୍ପତ୍ତି ହେଲା ସେ ସମୟରେ ସେ ସମୟରେ ସେସବୁ ରିପୋର୍ଟ ଆଧାରରେ କାହିଁକି ଚାବି ଖୋଜା ଯାଇନଥିଲା । ଗତ ୩୩ ବର୍ଷ ମଧ୍ୟରେ ପୂରୀରେ ଅନେକ ଜିଲ୍ଲାପାଳ ଦାୟିତ୍ୱ ନେଇଛନ୍ତି ଏବଂ ଶ୍ରୀମନ୍ଦିର ପ୍ରଶାସନ ବି ବଦଳିଛି । କିନ୍ତୁ କେବେ କେହି ପୂରୁଣା ରେକର୍ଡର ଅନୁଧ୍ୟାନ କରିନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଏଭଳି ସାମାନ୍ୟତମ ଦୂରଦୃଷ୍ଟିର ଅଭାବରୁ ରାଜ୍ୟ ସରକାର ଗତ ପ୍ରାୟ ଦୁଇ ସପ୍ତାହ ଧରି ସମାଲୋଚନାର ସରଭ୍ୟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + eleven =