ବିକଳ୍ପ ମଂଚ ସନ୍ଧାନରେ ଅଲୋଡା ନେତା

ଭୁବନେଶ୍ୱର () ବିଜେଡିରୁ ଦାମ ହେଲେ ବହିଷ୍କୃତ । ବିଜେପି ସହ ବୈଜୟନ୍ତ ଡିଲ ଫେଲ ମାରିଲା । ବିଜୟ ବିଜେପିରେ ଆଡଜଷ୍ଟ ହୋଇପାରୁନାହାଁନ୍ତି । ଏଭଳିସ୍ଥିତିରେ ଚର୍ଚ୍ଚା ହେଉଛି ବିଜେଡିର ଏହି ତିନି ପୂର୍ବତନ ନେତାମାନେ ଆଉ କିଛି ନବୀନ ପଟ୍ଟନାୟକ ବିରୋଧୀ ନେତା ଖୁବଶୀଘ୍ର ଏକ ବିକଳ୍ପ ମଂଚ ଗଠନ କରିବେ । ଏହି ମଞ୍ଚ କଂଗ୍ରେସ, ଜେଏମଏମ ଏବଂ ବାମ ମେଣ୍ଟ ସହ ଆସନ ବୁଝାମଣା କରି ୨୦୧୯ ନିର୍ବାଚନକୁ ଓହ୍ଲାଇବ ।

ଗତ କିଛି ମାସ ହେଲା ବିରୋଧୀ ଦଳ ଭୂମୀକା ତୁଲାଉଥିବା ଦାମ ରାଉତଙ୍କର ଶେଷରେ ବିଜେଡିରେ ରାଜନୈତିକ ଜୀବନର ଅନ୍ତ ଘଟିଛି । ବିଜେଡିରୁ ବିଦା ହେଲା ପରେ ଯେଉଁ ଆଭିମୁଖ୍ୟ ନେଇଛନ୍ତି, ସେଥିରେ ସବୁଦିନ ପାଇଁ ତାଙ୍କର ବିଜେଡି ପ୍ରତ୍ୟାବର୍ତ୍ତନ ବାଟ ବନ୍ଦ ହୋଇଯାଇଛି । ବିଜେଡି ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦ୍ୱୀପରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ତେଣୁ ଦାମ ବାବୁ ପୁଅ ବିରୋଧରେ ଲଢିବେ ନା ନିଜ ପାଇଁ ଆଉ ଏକ ନିର୍ବାଚନମଣ୍ଡଳୀ ଖୋଜିବେ ସେନେଇ ଅଙ୍କ କଷୁଛନ୍ତି ।

ସେହିପରି ବୈଜୟନ୍ତ ପଣ୍ଡା ବିଜେଡିରେ ଥାଇ ମଧ୍ୟ ବିଜେପି ଲିଙ୍କରେ ରହିଥିଲେ । ଅନେକ ଘଟଣାକ୍ରମରୁ ବୈଜୟନ୍ତଙ୍କ ବିଜେପି ଲିଙ୍କ ଧରାପଡିବା ପରେ ବିଜେଡି ସୁପ୍ରିମୋ ତାଙ୍କୁ ବିଜେଡିରୁ ନିଲମ୍ବିତ କଲେ । ପରେ ସେ ବିଜେଡିରୁ ଇସ୍ତଫା ଦେଇ ନିଜ ପାଇଁ ସୁରକ୍ଷିତ ଆସନ ଖୋଜୁଛନ୍ତି । କେତେବେଳେ ସେ ମହାକାଳପଡା, ତ କେତେବେଳେ ମହାଙ୍ଗା ପୁଣି କେତେବେଳେ କଟକରେ ନିଜ ସଂଗଠନ ସୁଦୃଢକୁ ଚେଷ୍ଟା କରୁଛନ୍ତି । ଦାମ ଓ ବୈଜୟନ୍ତଙ୍କ ପରି ବିଜୟ ମହାପାତ୍ର ବି ଗତ ୧୮ ବର୍ଷ ହେଲା ନିଜକୁ ପୁଣି ଥରେ ରାଜନୀତିରେ ପ୍ରତିଷ୍ଠା କରିବା ନିଷ୍ଫଳ ଉଦ୍ୟମ କରିଚାଲିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ । କିନ୍ତୁ ସେଠି ବି ଫେଲ ମାରିଲେ । ନିର୍ବାଚନରେ ହାରିବା ପରେ ସେ ବିଜେପିକୁ ନିଜ ଢାଞ୍ଚାରେ ଚଳାଇବାକୁ ଚାହିଁଲେ । ଯାହା ଦଳର ଅନ୍ୟ ବରିଷ୍ଠ ନେତା କି ସଂଘ ନେତାଙ୍କୁ ଗ୍ରହଣୀୟ ହେଲାନି । ଫଳରେ ସେ ମଧ୍ୟ ବିଜେପିରେ କଣଠେସା ହୋଇଯାଇଛନ୍ତି । କିଛି ମାସ ଧରି ସେ ବିଜେଡିକୁ ଯିବାକୁ ଚେଷ୍ଟା ଚଳାଇଥିଲେ । କିନ୍ତୁ ନବୀନ ଅମଙ୍ଗ ହେବାକୁ ସେ ବାଟ ବି ବନ୍ଦ ହୋଇଯାଇଛି ।

ଏଭଳିସ୍ଥିତିରେ ଦାମ-ବୈଜୟନ୍ତ-ବିଜୟ ଏକ ବିକଳ୍ପ ମଂଚ ଗଠନ ଚିନ୍ତାରେ ଥିବା ଚର୍ଚ୍ଚା ହେଉଛି । ଏହି ମଂଚରେ ପଂଚାନନ କାନୁନଗୋଙ୍କ ଭଳି ଆଉ କିଛି ନବୀନ ବିରୋଧୀ ନେତା ବି ସାମିଲ ହେବେ । ଏମିତି ଏକ ମଂଚର ପରିକଳ୍ପନାରେ ପୂର୍ବରୁ ନିରଂଜନ ପଟ୍ଟନାୟକ ମଧ୍ୟ ସାମିଲ ଥିଲେ । କିନ୍ତୁ ନିରଂଜନ ପିସିସି ସଭାପତି ହେବା ପରେ ଏହି ମଂଚ ଗଠନର ଚିନ୍ତା ଚିନ୍ତାରେ ହିଁ ରହିଯାଇଥିଲା । ତେଣୁ ଦାମ-ବୈଜୟନ୍ତ-ବିଜୟ ବିକଳ୍ପ ରାଜନୈତିକ ଫୋରମ ଗଠନ କଲେ ଏହି ମଂଚ ରାଜ୍ୟରେ କଂଗ୍ରେସ-ଜେଏମଏମ-ବାମ ଦଳ ମେଣ୍ଟସହ ଆସନ ବୁଝାମଣା କରିବ ବୋଲି ଚର୍ଚ୍ଚା ହେଉଛି । ମଂଚ ୮ରୁ ୧୦ଟି ଆସନରେ ପ୍ରାର୍ଥୀ ଦେଇ କଂଗ୍ରେସ ସମର୍ଥନରେ ନିର୍ବାଚନରେ ନିଜର ରାଜନୈତିକ ସ୍ଥିରତାର ଭାଗ୍ୟ ପରୀକ୍ଷା କରିବ ।

Share

Leave a Reply

Your email address will not be published. Required fields are marked *

three + 5 =