ଅଶ୍ଳୀଳ ଭିଡିଓ ଦେଖିବା ଘଟଣାରେ ନବଙ୍କୁ କ୍ଲିନ୍ ଚିଟ୍

ଭୁବନେଶ୍ବର (): ବିଧାନସଭାରେ ଗୃହ ଭିତରେ ଅଶ୍ଳୀଳ ଭିଡିଓ ଦେଖି ଚର୍ଚ୍ଚାକୁ ଆସିଥିବା କଂଗ୍ରେସ ବିଧାୟକ ନବ ଦାସଙ୍କୁ ମିଳିବ କ୍ଲିନ ଚିଟ୍ । ପ୍ରମାଣ ଅଭାବରୁ ତାଙ୍କୁ କ୍ଲିନ ଚିଟ ଦେଇପାରେ ବିଧାନସଭାର ସଦାଚାର କମିଟି । ସଦାଚାର କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନଥିଲେ ବି ଗତ ଡିସେମ୍ବର 18 ତାରିଖ ବୈଠକରେ 9 ପୃଷ୍ଠାର ରିପୋର୍ଟ ଚୁଡାନ୍ତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ ଝାରସୁଗୁଡା ବିଧାୟକ ବିଧାନସଭା ଗୃହ ମଧ୍ୟରେ ଅଶ୍ଲିଳ ଭିଡିଓ ଦେଖିଥିବାରୁ ଆବଶ୍ୟକ ତଥ୍ୟ ପ୍ରମାଣ ମିଳିପାରିନି ।

ଘଟଣା ଦିନ ଏ ସଂପର୍କିତ ଭିଡିଓ ଉତ୍ତୋଳନ କରିଥିବା ଘରୋଇ ଟିଭି ଚାନେଲରୁ ସଂପୃକ୍ତ ଭିଡିଓର ଅଂଶ ମଗାଯାଇଥିଲା। ୨୦୧୫ ମସିହା ଡିସେମ୍ବର ୧୪ ତାରିଖରେ ବିଧାନସଭା ଗୃହ ଭିତର ସିସିଟିଭି ଯାଞ୍ଚ କରିବାକୁ ମଧ୍ୟ ଦେଇଥିଲା କମିଟି ନିର୍ଦ୍ଦେଶ ଦେଇଥିଲା। ଗତ ୧୫ ତାରିଖରେ ବିଧାନସଭା ସିସିଟିଭି ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ସିସିଟିଭି ଫୁଟେଜ ସଦାଚାର କମିଟି ଆଗରେ ଉପସ୍ଥାପନ କରିଥିଲେ । କଂଗ୍ରେସ ବିଧାୟକ ନବ ଦାସ ଘଟଣା ଦିନ କୌଣସି ଅଶ୍ଲୀଳ ଭିଡିଓ ଦେଖୁନଥିବା ପ୍ରମାଣ ଦେଇଛନ୍ତି କନିଷ୍ଠ ଯନ୍ତ୍ରୀ । ସେହିପରି ସମ୍ପୃକ୍ତ ଘରୋଇ ଚାନେଲର ସମ୍ପାଦକ ଗତ ୧୭ ତାରିଖରେ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ କୌଣସି ଠୋସ ଭିଡିଓ ଫୁଟେଜ ନଥିବା ନେଇ ମଧ୍ୟ କମିଟି ଆଗରେ ହାଜର ହୋଇ କହିଥିଲେ । ଏପରିକି ଅଶ୍ଳୀଳ ଭିଡିଓ  ତାଙ୍କ ଚାନେଲ ପାଖରେ ନାହିଁ ବୋଲି ସମ୍ପୃକ୍ତ ଘରୋଇ ଚାନେଲର ସମ୍ପାଦକ ରୋକଠୋକ ମନା କରିଦେଇଥିଲେ।

ବିଧାନସଭା କନିଷ୍ଠ ଯନ୍ତ୍ରୀ ଓ ଘରୋଇ ଚାନେଲର ସମ୍ପାଦକଙ୍କ ଲିଖିତ ବୟାନ ଆଧାରରେ ବିଧାନସଭା ସଦାଚାର କମିଟି କଂଗ୍ରେସ ବିଧାୟକ ନବ ଦାସଙ୍କୁ କ୍ଲିନ୍ ଚିଟ୍ ଦେବାକୁ ନିଷ୍ପତ୍ତି ନେଇଛି । ତଥ୍ୟ ଓ ପ୍ରମାଣ ଅଭାବରୁ ନବ ଦାସଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖାରଜ କରିଛି କମିଟି ।

ବିଜେଡିର ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ୨୪ ସଦସ୍ୟ ବିଶିଷ୍ଟ ସଦାଚାର କମିଟିର ପ୍ରଥମ ବୈଠକ ୨୦୧୬ ଫେବ୍ରୁଆରି ୧୬ ତାରିଖରେ ବସିଥିଲା। ପ୍ରଥମ ବୈଠକରେ ସଦସ୍ୟ ତଥା ବିଜେଡି ବିଧାୟକ ଧନେଶ୍ବର ମାଝୀ କହିଥିଲେ, କର୍ଣ୍ଣାଟକ ବିଧାନସଭାରେ ଏପରି ଅଶ୍ଲୀଳ ଭିଡିଓ ଦେଖିବା ଘଟଣାରେ କର୍ଣ୍ଣାଟକ ବିଧାନସଭାର ସଦସ୍ୟଙ୍କ ପ୍ରତି ଯେଭଳି କାର୍ଯାନୁଷ୍ଠାନ ହେଇଥିଲା ସେଇ ଆଧାରରେ ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାର ତଦନ୍ତ ହେବା ଉଚିତ। ବିଧାୟକଙ୍କ ମତ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାର ଗୃହ କମିଟି ତଦନ୍ତ ରିପୋର୍ଟ ମଗାଯାଇ ଅନୁଧ୍ୟାନ କରିଥିଲା ସଦାଚାର କମିଟି ।

୨୦୧୫ ଡିସେମ୍ବର ୧୪ ତାରିଖରେ ଅର୍ଥାତ୍ ବିଧାନସଭା ଶୀତ ଅଧିବେଶନ ସମୟରେ ପ୍ରଶ୍ନକାଳରେ ବିଧାୟକ ଦାସ ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖୁଥିବା ଅଭିଯୋଗ ଉଠିଥିଲା। ଏକ ଘରୋଇ ଟିଭି ଚାନେଲର ଏହା ପ୍ରସାରିତ ହୋଇଥିଲା। ସେ ସମୟରେ ଏହି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ନବ ଦାସ ଏହାକୁ ଖଣ୍ଡନ କରିଥିଲେ ହେଁ ବିଧାନସଭାରେ ଏହାକୁ ନେଇ ସଭ୍ୟମାନେ କମ୍ପିଥିଲେ।ଏହି ଘଟଣାରେ ଶ୍ରୀ ଦାସଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଥିଲା ଓ ଅଭିଯୋଗର ତଦନ୍ତ କରି ଗୃହକୁ ରିପୋର୍ଟ ଦେବାକୁ ବାଚସ୍ପତି ସଦାଚାର କମିଟିକୁ ନିର୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସଦାଚାର କମିଟି ୫ଟି ବୈଠକ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

seventeen + 7 =