ବୁଥ କମିଟି ହୋଇପାରୁନି, ପ୍ରାର୍ଥୀ ଆସିବେ କୁଆଡୁ?

ଭୁବନେଶ୍ବର (ନି.ପ୍ର.): ପଂଚାୟତ ନିର୍ବାଚନରେ ଅଳ୍ପକିଛି ଅଧିକ ଆସନ ଜିତି ବିଜେପି 2019ରେ ରାଜ୍ୟରେ ଶାସନ ଦଖଲ କରିବାର ଦାବି କରୁଛି । କିନ୍ତୁ 2014 ନିର୍ବାଚନକୁ ବିଶ୍ଳେଷଣ କଲେ, ବିଜେପି ନିଜର ସ୍ଥିତି ଆକଳନ କରିପାରିବ । 2014ରେ ଦେଶରେ ପ୍ରବଳ ମୋଦି ହାୱା ସତ୍ତ୍ବେ ଓଡିଶାରେ ବିଜେପି ତିନି ନମ୍ବର ସ୍ଥାନରେ ଥିଲା । କଂଗ୍ରେସ ଗୋଟିଏ ହେଲେ ଲୋକସଭା ଆସନ ଦଖଲ କରିନଥିଲେ ବି ବିଜେପି ଠାରୁ ଅଧିକ ଭୋଟ ପାଇଥିଲା । କେବଳ ଏତିକି ନୁହେଁ 147ଟି ବିଧାନସଭା କ୍ଷେତ୍ରରୁ 77ଟି ଆସନରେ ବିଜେପି ପ୍ରାର୍ଥୀ ଅମାନତ ହରାଇଥିଲେ ।

କେନ୍ଦ୍ରରେ ମୋଦି ହାୱା କଂଗ୍ରେସକୁ 44ଟି ଆସନରେ ସଂକୁଚିତ କରିଦେଇଥିଲା ସତ । ହେଲେ ଓଡିଶା ବିଜେଡିର ମୂଳଦୁଆକୁ ଦୋହଲାଇ ପାରିନଥିଲା । ବିଜେପି ମାତ୍ର ଗୋଟିଏ ଲୋକସଭା ଆସନରୁ ଜିତିଥିଲା । କଂଗ୍ରେସ ଗୋଟିଏ ହେଲେ ଲୋକସଭା ଆସନ ପାଇନଥିଲା । ଭୋଟକୁ ହିସାବ କଲେ ବିଜେଡି ଏହି ନିର୍ବାଚନରେ ମୋଟ 94ଲକ୍ଷ 89 ହଜାର ଭୋଟ ପାଇଥିଲା ବେଳେ କଂଗ୍ରେସ 55ଲକ୍ଷ 91ହଜାର ଏବଂ ବିଜେପିକୁ ମିଳିଥିଲା 46 ଲକ୍ଷ 38ହଜାର ଭୋଟ । ଏତ ଗଲା ସାଧାରଣ ନିର୍ବାଚନର ଫଳାଫଳର ବିଶ୍ଳେଷଣ । ବିଧାନସଭା କ୍ଷେତ୍ରୱାରୀ ହିସାବ କଲେ ଦେଖାଯାଉଛି ଯେ, 77ଟି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଆମାନତ ହରାଇଥିଲେ ।

2014ର ଏହି ହିସାବକୁ ଦେଖିଲେ ବିଜେପିର ମିଶନ 120 କେତେ ସଫଳ ହେବ ତାହା ଆକଳନ କରିବା ନିଶ୍ଚିତ ଭାବେ କଷ୍ଟକର । ପଂଚାୟତ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ କିଛି ଅଧିକ ଆସନ ଦଖଲ କରିଛି । କିନ୍ତୁ କିଛି ରାଜନୈତିକ ପଣ୍ଡିତଙ୍କ ମତରେ ବିଜେପିର ଏହି ସ୍ବଳ୍ପ ସଫଳତା କଂଗ୍ରେସର ନିଷ୍କ୍ରିୟତାର ପ୍ରତିଫଳନ । କିନ୍ତୁ ପଂଚାୟତ ନିର୍ବାଚନ ବେଳର ସ୍ଥିତି ଆଉ ନାହିଁ । କଂଗ୍ରେସ ଏଭିତରେ ନୂଆ ନେତୃତ୍ବ ଏବଂ ନୂଆ ରଣନୀତିରେ 2019 ପାଇଁ ପ୍ରସ୍ତୁତ ହେଉଛି । ତେଣୁ ନିଶ୍ଚିତ ଭାବେ କଂଗ୍ରେସ ଅଳ୍ପ କିଛି ପ୍ରତିଶତ ଅଧିକ ଭୋଟ ପାଇପାରେ ।

ସେପଟେ ବିଜେପି ନେତାମାନେ ନିଜ ସାଂଗଠନିକ ସ୍ଥିତିକୁ ନେଇ ଏବେ ବି ସନ୍ଦେହରେ ଅଛନ୍ତି । ରାଷ୍ଟ୍ରୀୟ ସଭାପତି ଅମିତ ଶାହା 120ର ଟାର୍ଗେଟ ଦେଇ ଚାଲିଗଲେ ଆଉ ସେ ଯିବା ପରେ ତାଙ୍କ ଅନୁଗତମାନେ ମିଶନ 120ର ନାରା ଦେଉଛନ୍ତି । କିନ୍ତୁ ମୋଦିଙ୍କ ଟାର୍ଗେଟ ଅନୁଯାୟୀ ଏଯାଏଁ ଦଳ ଶତ ପ୍ରତିଶତ ବୁଥ କମିଟି ଗଠନ କରିପାରିନି । ଯେଉଁଥିପାଇଁ ଗତ ଓଡିଶା ଗସ୍ତ ଅବସରରେ ଶାହା ଦଳର ନେତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ । ଯେଉଁଠି ଦଳ ବୁଥ କମିଟି ଗଠନ କରିବାକୁ କର୍ମୀ ପାଉନି, ସେଠୀ ବିଧାନସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ କେଉଁଠୁ ଆସିବେ । ଏବେ ଏଭଳି ପ୍ରଶ୍ନ କିଛି ରାଜନୈତିକ ସମୀକ୍ଷକଙ୍କୁ ଆନ୍ଦୋଳିତ କରୁଛି ।

Share

Leave a Reply

Your email address will not be published. Required fields are marked *

17 − 15 =