ତେଲ ଦର ବୃଦ୍ଧିରେ ଚିନ୍ତିତ ନୁହଁନ୍ତି ପେଟ୍ରୋଲିୟ ମନ୍ତ୍ରୀ

ଭୁବନେଶ୍ବର () ଘର ବୁଡି ପାଣି ଆଣ୍ଠୁଏ ହେଲାଣି, କିନ୍ତୁ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନି  । ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଚାଲିଥିବା ଶସ୍ତା ରାଜନୈତିକ ଲଢେଇରେ ଏବେ ସାଧାରଣ ଖାଉଟି ହନ୍ତସନ୍ତ ହେଲେଣି । ରାଜଧାନୀର ମଧ୍ୟବିତ୍ତ ପରିବାର ଲୋକେ ଏବେ ମୋଟରସାଇକେଲ ଛାଡି ସାଇକେଲକୁ ଓହ୍ଲାଇ ଆସିବାକୁ ଚିନ୍ତା କଲେଣି । ତେଲ ଦର ବୃଦ୍ଧି ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ସାମାଗ୍ରୀର ଦର ବି ବଢୁଛି । କିନ୍ତୁ ବିଭାଗୀୟ ମୁଖ୍ୟ, ଅର୍ଥାତ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ନିର୍ବାଚନ ପ୍ରଚାର ଓ ନିଜସ୍ବ ପ୍ରଚାର ପ୍ରସାରରେ କାର୍ଯ୍ୟରେ ବ୍ୟସ୍ତ ।

ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିଜୁ ଛାତ୍ର ଜନତା ଦଳ । କେନ୍ଦ୍ର ମନ୍ତ୍ରୀ ଆନ୍ତର୍ଜାତୀକ ବଜାରରେ ଆମେରିକାର ଏକତରଫା ଅର୍ଥନୈତିକ ନିଷ୍ପତ୍ତି ଯୋଗୁଁ ଟଙ୍କାର ମୁଲ୍ୟ ହ୍ରାସ ପାଉଛି ଏବଂର ଏହାର ସିଧାସଳଖ ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡୁଛି ବୋଲି ଆକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଯାଏଁ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିଲେ । କାରଣ ତାଙ୍କର ଯୁକ୍ତି ଥିଲା କୁଆଡେ ରାଜ୍ୟ ସରକାର 20 ପ୍ରତିଶତ ଭାଟ ଲାଗୁ କରିଥିବାରୁ ରାଜ୍ୟରେ ତେଲ ଦର କମୁନି ।

ଯଦି କେନ୍ଦ୍ର ମନ୍ତ୍ରୀଙ୍କ ଯୁକ୍ତି ଠିକ, ତେବେ ବିଜେପି ଶାସିତ ରାଜ୍ୟରେ କାହିଁକି ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଉଚ୍ଛେଦ ହେଉନି ବୋଲି ଛାତ୍ର ବିଜେଡି ପ୍ରଶ୍ନ କରିଛି । ବିଜେପି ଶାସିତ ରାଜ୍ୟରେ ମଧ୍ୟ ପେଟ୍ରୋଲ ଦର 80 ପାଖାପାଖି ହେଲାଣି । ଆଉ ଦିନ କେଇଟାରେ ଏହା ଲିଟର ପିଛା 80 ଟଙ୍କା ଟପିଯିବ । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଯୁକ୍ତିକୁ ବୁଦ୍ଧିଜୀବୀ ଗ୍ରହଣ କରୁନଥିବା ଉପଲବ୍ଧି କରି ସେ ଏବେ ଆମେରିକା ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି ।

କେନ୍ଦ୍ର ସରକାର ଏବେ ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଅବକାରୀ ଶୁଳ୍କ 19 ଟଙ୍କା 48 ପଇସା ଏବଂ ଡିଜେଲ ଉପରୁ ଲିଟର ପିଛା 15ଟଙ୍କା 33 ପଇସା ଅବକାରୀ ଶୁଳ୍କ ଆଦାୟ କରୁଛନ୍ତି । ଆନ୍ତର୍ଜାତିକ ସ୍ତରରେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଅଧିକ ଘନିଭୂତ ହେବା ଆଶଙ୍କାରେ ଶୁକ୍ରବାର ବିଶ୍ବ ବଜାରରେ ଅଶୋଧିତ ତୈଳ ଦର କମିଛି । ଭାରତରେ କିନ୍ତୁ ଓଲଟା । ଏଠି ପେଟ୍ରୋଲ ଦରରେ ଆଉ 23 ପଇସା ବୃଦ୍ଧି ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛି ।

ଭାରତ 70 ପ୍ରତିଶତ ତୈଳ ଅନ୍ୟ ଦେଶରୁ ଆମଦାନୀ କରୁଛି । ତେଣୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି କରିବ । କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଓ କେନ୍ଦ୍ର ସରକାର ଏ ଅର୍ଥନୀତିକୁ ବୁଝି ଅବୁଝା ହେଉଛନ୍ତି । ଯେଉଁଥିପାଇଁ ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧିକୁ ନେଇ ତୁମ୍ଭିତୋଫାନ ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଏସବୁଠୁ ନିଜକୁ ଦୂରେଇ ରଖି ଓଡିଶାରେ ନିଜର ରାଜନୈତିକ ପ୍ରଚାର ପ୍ରସାରରେ ବ୍ୟସ୍ତ ।

Share

Leave a Reply

Your email address will not be published. Required fields are marked *

eight + 19 =