କଂଗ୍ରେସ ମୁହାଁ ବୈଜୟନ୍ତ, ବିଜୟ, ଦିଲ୍ଲୀପ !

ଭୁବନେଶ୍ବର () ବିଜେଡିରୁ ବିତାଡିତ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେପିର ଦୁଆର ବର୍ତ୍ତମାନ ସ୍ଥିତିରେ ବନ୍ଦ । ଏହି ଦୃଷ୍ଟିରୁ ଚର୍ଚ୍ଚା ହେଉଛି ବୈଜୟନ୍ତ ନିଜର ରାଜନୈତିକ ଭବିଷ୍ୟତ ପାଇଁ କଂଗ୍ରେସରେ ମିଶିବେ । ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି । ବୈଜୟନ୍ତଙ୍କ ସହ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ମଧ୍ୟ କଂଗ୍ରେସ ଆଡେ ମୁହାଁଇଥିବା ଜଣାପଡିଛି ।

ବିଜେପି ସହ ଭିତିରି ସଂପର୍କ ରଖି ବିଜେଡି ବିଭାଜନ କରୁଥିବା ଚକ୍ରାନ୍ତରେ ଦଳରୁ ବିଦା ହୋଇଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ସେ ବିଜେଡିରୁ ନିଲମ୍ବିତ ହେବା ପରେ ଚର୍ଚ୍ଚା ହେଉଥିଲେ ଯେ, ବିଜେପିରେ ଯୋଗ ଦେବେ । କିନ୍ତୁ ଗତ ଜାନୁଆରୀ ମାସରେ ଦଳର ପ୍ରାଥମିକ ସଭ୍ୟପଦରୁ ବାହାରିଥିଲେ ବୈଜୟନ୍ତ । ପରେ ମେ 28 ତାରିଖରେ ସେ ଦଳରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ବିଜେପିରେ ମିଶିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । କେତେବେଳେ ଶୁଣାଯାଉଥିଲେ ଯେ, ସେ ଦିଲ୍ଲୀରେ ମିଶିବେ ଏବଂ ଭୁବନେଶ୍ବର ଫେରି ନିଜ ଶକ୍ତି ପ୍ରଦର୍ଶନ କରିବେ ତ କେତେବେଳେ ଶୁଣାଯାଉଥିଲେ ଯେ, ସେ ମୋଦିଙ୍କ ଭୁବନେଶ୍ବର ଗସ୍ତ ସମୟରେ ବିଜେପିରେ ଯୋଗ ଦେବେ ।

କିନ୍ତୁ ଏସବୁ କଳ୍ପନା ଜଳ୍ପନା କେବଳ କଳ୍ପନାରେ ହିଁ ରହିଗଲା । ବୈଜୟନ୍ତ ଏପର୍ଯ୍ୟନ୍ତ ବିଜେପିରେ ମିଶିପାରିନାହାଁନ୍ତି । ଶୁଣିବାକୁ ମିଳୁଛି ଅପରାଜିତ ଷଢଙ୍ଗୀଙ୍କ ବିଜେପିରେ ଯୋଗଦାନ ପରେ ବୈଜୟନ୍ତଙ୍କ ସମ୍ଭାବନା କ୍ଷୀଣ ହୋଇଯାଇଛି । ଏହିଦୃଷ୍ଟିରୁ ସେ ବିକଳ୍ପ ରାଜନୈତିକ ମଂଚ ସନ୍ଧାନରେ ଅଛନ୍ତି । ରାଜନୈତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ବୈଜୟନ୍ତ, ବିଜୟ ଓ ଦିଲ୍ଲୀପ ରାୟ ଏହି ତିନିଜଣ ଏକ ସମୟରେ କଂଗ୍ରେସରେ ଯୋଗ ଦେବେ । ଏମିତି ବି ରାଜ୍ୟ କଂଗ୍ରେସରେ ଏବେ ନେତାଙ୍କ ଶଙ୍କଟ ଦେଖାଦେଇଛି । ତେଣୁ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ଚର୍ଚ୍ଚିତ କରିବା ପାଇଁ ଏହି ତିନି ନେତାଙ୍କ ଯୋଗଦାନକୁ ରାହୁଲ ଗାନ୍ଧୀ ସବୁଜ ସଙ୍କେତ ଦେଇଥିବା ଶୁଣିବାକୁ ମିଳୁଛି ।

କାରଣ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ମଧ୍ୟ ବିଜେପି ଛାଡିବା ସମୟରେ ଶୁଣିବାକୁ ମିଳୁଥିଲା ଯେ, ବିଜେପିର କିଛି ନିର୍ଦ୍ଧିଷ୍ଟ ନେତା ଓ ସେମାନଙ୍କ ଏକଛତ୍ରବାଦକୁ ବିରୋଧ କରି ଦଳ ଛାଡିଥିବା ଏହି ଦୁଇ ନେତା ବିଜେଡିରେ ଯୋଗ ଦେବେ । ଏମିତି ବି ଦୁହେଁ ପୁରୁଣା ବିଜୁ ଅନୁଗତ ଏବଂ ବିଜେଡି ପ୍ରତିଷ୍ଠାରେ ମଧ୍ୟ ଏମାନଙ୍କର ସକ୍ରିୟ ଯୋଗଦାନ ରହିଥିଲା । ଯଦିଓ ପରବର୍ତ୍ତି ସମୟରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମନମାଳିନ୍ୟ ଯୋଗୁଁ ସେମାନଙ୍କୁ ଦଳରୁ କାଢି ଦିଆଯାଇଥିଲା । କିନ୍ତୁ ବୈଜୟନ୍ତଙ୍କ ପରି ଏହି ଦୁଇ ନେତାଙ୍କ ଗଣିତ ବିଜେଡି ସହ ମେଳ ଖାଉନି ।

Share

Leave a Reply

Your email address will not be published. Required fields are marked *

fourteen + 18 =