ଆଖୁ ଚାଷୀଙ୍କୁ ୮୩,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ

ନୂଆଦିଲ୍ଲୀ () ୨୦୧୮-୧୯ ଫସଲ ଋତୁ ପାଇଁ କେନ୍ଦ୍ର ସରକାର ଆଖୁର ଉଚିତ ଏବଂ ଲାଭଜନକ ଦର (ଏଫଆରପି) ୧୦ ପ୍ରତିଶତ  ମୌଳିକ ଅସୁଲ ଦର ସହ କ୍ବିଣ୍ଟାଲ ପ୍ରତି ୨୭୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏଥିସହିତ ୧୦%ରୁ ଅଧିକ କିମ୍ବା ଉର୍ଦ୍ଧ୍ବର ଅସୁଲ ଉପରେ ୦.୧ ପ୍ରତିଶତର ବୃଦ୍ଧି ପାଇଁ  କ୍ବିଣ୍ଟାଲ ପ୍ରତି ୨ଟଙ୍କା ୭୫ ପଇସା ପ୍ରିମିୟମ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଆଖୁ ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି । ୨୦୧୮-୧୯ ଆଖୁ ଋତୁ ପାଇଁ ଆଖୁର ଉତ୍ପାଦନ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୫୫ ଟଙ୍କା ରହିଛି ।

ଏଫଆରପି ମୂଲ୍ୟ ୧୦% ଅସୁଲ ଦର ହାରରେ କ୍ବିଣ୍ଟାଲ ପ୍ରତି ୨୭୫ ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ ଏହା ଉତ୍ପାଦନ ମୂଲ୍ୟ ଠାରୁ ୭୭.୪୨% ଅଧିକ ହୋଇଛି । ଏହାଦ୍ବାରା ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ୫୦% ଫେରସ୍ତ କରିବାର ପ୍ରତିଶ୍ରୁତି ପୂରଣ କରିବା ସୁନିଶ୍ଚିତ ହେବ । ୨୦୧୮-୧୯ ଚିନି ଋତୁରେ ଆଖୁ ଉତ୍ପାଦନର ଆଶାଜନକ ପରିମାଣକୁ ଦୃଷ୍ଟିରେ ରଖି ଆଖୁ ଚାଷୀଙ୍କୁ ମୋଟ ୮୩,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । କୃଷକଙ୍କୁ ସୁହାଇବା ଭଳି ସରକାରଙ୍କ ପଦକ୍ଷେପ ଜରିଆରେ ଆଖୁ ଚାଷୀଙ୍କୁ ନିର୍ଦ୍ଧାରିତ ସମୟରେ ସେମାନଙ୍କ ପାଉଣା ଯୋଗାଇ ଦିଆଯିବା ସୁନିଶ୍ଚିତ କରାଯିବ ।

କୃଷକମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଯେଉଁ ସବୁ ଚିନି କଳରେ ଅସୁଲ ପରିମାଣ ୯.୫% ପ୍ରତିଶତରୁ କମ ହେବ ସେଠାରେ କୌଣସି ପ୍ରକାରର ବିନିଯୋଗ କରାଯିବ ନାହିଁ ବୋଲି ସରକାର ନିଷ୍ପତି ନେଇଛନ୍ତି । ଚଳିତ ଋତୁରେ ଆଖୁ କ୍ବିଣ୍ଟାଲ ପ୍ରତି ୨୫୫ ଟଙ୍କା ତୁଳନାରେ ଏପରି ଆଖୁ ଚାଷୀମାନେ କ୍ବିଣ୍ଟାଲ ପ୍ରତି ୨୬୧.୨୫ ଟଙ୍କା ପାଇବେ ବୋଲି ଜଣାପଡ଼ିଛି ।

ଚିନିକଳଗୁଡ଼ିକ ଦ୍ବାରା ଚାଷୀଙ୍କ ଠାରୁ ୨୦୧୮-୧୯ ଚିନି ଋତୁ(୨୦୧୮ ଅକ୍ଟୋବର ପହିଲା ଠାରୁ ଆରମ୍ଭ)ରେ କ୍ରୟ କରାଯାଇଥିବା ଆଖୁ ଉପରେ ସରକାରୀ ଅନୁମୋଦିତ ଉଚିତ ଓ ଲାଭଜନକ ଦର (ୠଜଚ)ଲାଗୁ ହେବ । ଚିନି କ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ କୃଷି ଆଧାରିତ କ୍ଷେତ୍ର ଯାହା ଦେଶର ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ପରିବାରର ଜୀବନଜୀବିକାକୁ ପ୍ରଭାବିତ କରିଥାଏ । ଚିନି କଳଗୁଡ଼ିକରେ ପାଖାପାଖି ୫ ଲକ୍ଷ ଶ୍ରମଜୀବୀ ସିଧାସଳଖ ନିଯୁକ୍ତି ପାଇଛନ୍ତି, ଏହାଛଡ଼ା କୃଷି ଶ୍ରମିକ ଏବଂ ପରିବହନ ଭଳି ଆନୁସଙ୍ଗିକ କାର୍ଯ୍ୟରେ ବହୁସଂଖ୍ୟକ ଲୋକଙ୍କୁ ନିଯୁକ୍ତି ମିଳିଛି ।

Share

Leave a Reply

Your email address will not be published. Required fields are marked *

10 − 6 =