ଟିଟୋ ସାମ୍ରାଜ୍ୟର ତଦନ୍ତ କରିବ ସିବିଆଇ

ଭୁବନେଶ୍ବର () ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧୀକ ମାମଲାର ତଦନ୍ତ କରିବ ସିବିଆଇ । ଟିଟୋ ଜଣେ ଅପରାଧୀ ହୋଇଥିବା ବେଳେ କେଉଁ ଆଧାରରେ ସେ କେନ୍ଦ୍ରାପଡ଼ା ଓ ପାରାଦୀପ ଅଞ୍ଚଳରେ ପେଟ୍ରୋଲ ପମ୍ପ ପାଇଁ ଲାଇସେନ୍ସ ପାଇଲେ ତାହାର ତଦନ୍ତ କରିବ ସିବିଆଇ । ଏଥିପାଇଁ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଅନୁମତି ପାଇବା ପରେ ସିବିଆଇ ତଦନ୍ତ ନିମନ୍ତେ ଆଇଓସିଏଲ୍ କର୍ତ୍ତୃପକ୍ଷ ସୁପାରିଶ କରିଛନ୍ତି । ଅପରାଧୀକ ପୃଷ୍ଠଭୂମି ଥିବା ଲୋକକୁ ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଥିବା ଅର୍ଥାତ ଗାଇଡଲାଇନର ଉଲଂଘନ ହୋଇଛି । ଏହା ହୃଦବୋଧ କରିବା ପରେ ତୈଳନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ତୈଳ ନିଗମର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କେନ୍ଦ୍ରାପଡ଼ା ସହରର ବଡ଼ହାଟରେ ଥିବା ଏମ୍ଏସ୍ ସୟେଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ ପୋର୍ଟ ଟ୍ରଷ୍ଟରେ ଥିବା କୋକୋ ପେଟ୍ରୋଲ ଟାଙ୍କିର ଅସ୍ଥାୟୀ ଡିଲରସିପ୍ ପ୍ରଦାନରେ ଗାଇଡଲାଇନ ଉଲଂଘନ ହୋଇଥିବା ଜଣାପଡ଼ିଛି । ଯାହାକୁ ଆଧାର କରି ତୈଳ ନିଗମ ପକ୍ଷରୁ ଏହାର ତଦନ୍ତ କରିବାକୁ ସିବିଆଇକୁ ସୁପାରିଶ କରାଯାଇଛି ।

ତେବେ ଟିଟୋକୁ ୧୨ ଦିନ ଜେରା କରିବା ପରେ ଏସ୍ଟିଏଫ୍ ତା’ଠାରୁ ମିଳିଥିବା ସୂଚନା ଆଧାରରେ ଆଜି ତା’ର ୪ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଗୋଲଡେନ ପପୁ, ଇମ୍ତିଆଜ୍ ଖାଁ, ସେକ୍ ଅବ୍ଦୁଲା ଏବଂ ଜାହାଙ୍ଗିର ଖାଁ । ଗିରଫ ଅଭିଯୁକ୍ତମାନେ ଟିଟୋ ପାଇଁ ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ କରୁଥିବା ଜଣାପଡ଼ିଛି । ଏପରିକି ଟିଟୋ ଗିରଫ ହେବା ପରେ ଉପରୋକ୍ତ ୪ ଅଭିଯୁକ୍ତ ଜଣେ ଠିକାଦାରଙ୍କ ଠାରୁ ଟଙ୍କା ନେଇଥିବା ଏସ୍ଟିଏଫ୍ ଅଧିକାରୀମାନେ ସୂଚନା ଦେଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଗୋଲଡେନ୍ ପପୁ ଟିଟୋର ମୁଖ୍ୟ ସହଯୋଗୀ ଥିଲା । ଗୋଲଡେନ ପପୁ ଟିଟୋ ପାଇଁ ୫ରୁ ଅଧିକ ହତ୍ୟା କରିଛି । ଏପରିକି ସେ ଟିଟୋ ଗ୍ୟାଙ୍ଗର ସାର୍ପ ସୁଟର ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ଗତକାଲି କଟକ ପୁଲିସ ସହାୟତାରେ ଏସ୍ଟିଏଫ୍ ଅଧିକାରୀମାନେ ଟିଟୋର ୮ ସଦସ୍ୟଙ୍କୁ ଅଫିସକୁ ଆଣି ଜେରା କରିଥିଲେ । ଯେଉଁମାନଙ୍କ ମଧ୍ୟରେ ଗିରଫ ଅଭିଯୁକ୍ତମାନେ ଥିଲେ । ଅନ୍ୟମାନଙ୍କୁ ପଚରାଉଚରା ପରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ସେମାନଙ୍କୁ ପୁଣିଥରେ ଏସ୍ଟିଏଫ୍ କାର୍ଯ୍ୟାଳୟକୁ ଡାକି ଜେରା କରାଯିବ ବୋଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ରାଜନଗର କୋର୍ଟରେ ହାଜର କରାଯାଇଛି । ଟିଟୋ ସଂକ୍ରାନ୍ତରେ ସୂଚନା ଦେଇ ଏସ୍ଟିଏଫ୍ର ଜଣେ ଅଧିକାରୀ କହିଛନ୍ତି ଯେ, ଟିଟୋ ସାମ୍ରାଜ୍ୟ ବହୁତ ବଡ଼ । ସେ ବିଭିନ୍ନ ସ୍ଥାନରେ ତାହାର କଳା ଟଙ୍କା ବିନିଯୋଗ କରିଛି । ହୋଟେଲ ବ୍ୟବସାୟ ଠାରୁ ଆରମ୍ଭ କରି ଡ୍ୟାନ୍ସ ବାର୍ରେ ମଧ୍ୟ ଟିଟୋର ଟଙ୍କା ଲାଗିଛି ।

ବର୍ତ୍ତମାନ ପର୍ଯ୍ୟାୟରେ ଟିଟୋକୁ ୧୨ ଦିନ ପଚରାଉଚରା କରିବା ପରେ ଯାହା ସବୁ ତଥ୍ୟ ମିଳିଛି ସେହି ଆଧାରରେ ତଦନ୍ତ କରାଯାଉଛି ଏଥିସହ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଉଛି । ତେବେ ଟିଟୋର ସମ୍ପର୍କୀୟମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଅନ୍ୟପକ୍ଷରେ ଟିଟୋ ପ୍ରମୁଖ ସହଯୋଗୀ କୁହାଯାଉଥିବା ବବୁଲୁକୁ ମଧ୍ୟ ଗିରଫ କରିବା ପାଇଁ ଛାନ୍ଭିନ୍ ଜୋରଦାର କରାଯାଉଛି । କିନ୍ତୁ ଟିଟୋ ଗିରଫ ହେବା ପରେ ବବୁଲୁ ଗିରଫ ଭୟରେ ରାଜ୍ୟ ବାହାରକୁ ଫେରାର ହୋଇଯାଇଛି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏସ୍ଟିଏଫ୍ ଟିଟୋର  ଦୁଇ ପ୍ରମୁଖ ସହଯୋଗୀ ତଥା ତା’ ଗ୍ୟାଙ୍ଗର ସାର୍ପ ସୁଟର ଭାବେ ଜଣାଶୁଣା ସେକ୍ ସୟଦକୁ କେନ୍ଦ୍ରାପଡ଼ା ଓ ବାବୁଲା ପତ୍ରୀକୁ କଟକରୁ ଗିରଫ କରିଥିଲା ।

Share

Leave a Reply

Your email address will not be published. Required fields are marked *

4 × five =