ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ ଭାବେ ଶପଥ ନେଲେ ବିନୟ କୁମାର ସାକ୍‌ସେନା

ଆଜି ଜାତୀୟ ରାଜଧାନୀ ଦିଲ୍ଲୀକୁ ମିଳିଛି ନୂଆ ଉପରାଜ୍ୟପାଳ | ୨୨ଶ ଉପରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ବିନୟ କୁମାର ସାକ୍‌ସେନା | ଆଜି ରାଜ ନିବାସରେ ଆୟୋଜିତ ନିରାଡ଼ମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍‌ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି। ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍‌ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ। ତାହା ପୂର୍ବରୁ ସାକ୍‌ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ।

ଆଜିର ଉକ୍ତ ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀସମୂହ ଯୋଗ ଦେଇଥିଲେ। ଏହାଛଡ଼ା, ବିଜେପି ସାଂସଦ ମନୋଜ ତିୱାରି, ପରଓେଶ୍‌ ସାହିବ ସିଂହ, ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରମବୀର ସିଂହ ବୁଧରି, ବିଜେପି ଓ ଆପ୍‌ର ବିଧାୟକମାନେ ମଧ୍ୟ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ।

ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାର ଏବଂ ଦିଲ୍ଲୀ ସରକାରଙ୍କର ଶୀର୍ଷସ୍ତରୀୟ ଅମଲାମାନେ ବି ଏହି ଶପଥ ପାଠ ଉତ୍ସବରେ ଯୋଗ ଦେଇଥିଲେ।

ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେବ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୀଲ ବୈଜଲ୍‌ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

4 × two =