କେମିତି ଗଙ୍ଗା ହେଲେ ଏତେ ପବିତ୍ର,ଆସନ୍ତୁ ଜାଣିବା

ଅର୍ପଣ, ତର୍ପଣ ଓ ସମର୍ପଣର ପବିତ୍ର ଭୂମୀ ଭାରତ ବର୍ଷ। ଏ ସ୍ବର୍ଗୀୟ ଦେବଭୂମୀର ଇତିହାସ, ଐତିହ୍ୟ ଓ ପରମ୍ପରା କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ପରିବ୍ୟାପ୍ତ। ଯେଉଁ ଦେଶର ପବିତ୍ର ଗଙ୍ଗାରେ ଥରୁଟିଏ ବୁଡ଼ ପକାଇବା ପାଇଁ ବ୍ୟାକୁଳ ଏ ମଣିଷ, ସେହି ପବିତ୍ର ଗଙ୍ଗାଙ୍କୁ ନେଇ ରହିଛି ଅନେକ କଥା, ଅନେକ ଗା‌ଥା। ଗଙ୍ଗାଙ୍କ ନାଁ ତୁଣ୍ଡରେ ଧରିଲେ ମନରେ ଭରିଯାଏ ପବିତ୍ରତା। କାରଣ ଗଙ୍ଗା ହିଁଁ ପବିତ୍ର। ସାରା ଭାରତରେ ଅନେକ ନଦୀ ତ ବହିଯାଇଛି, ହେଲେ କାହିଁକି ଗଙ୍ଗା ଏତେ ପବିତ୍ର, ଆସନ୍ତୁ ଜାଣିବା।

ପୂଜା,ବ୍ରତ, ଓଷା ଆଉ ବିବାହ, ସବୁଠି ଲୋଡ଼ା ହୁଅନ୍ତି ଗଙ୍ଗାଜଳ। କାହିଁକି ନା ପବିତ୍ରଶୋଧନ କରିବା ପାଇଁ କେବଳ ଗଙ୍ଗାଙ୍କର ହିଁ ଆବଶ୍ୟକତା ହୁଏ। ପ୍ରତ୍ୟେକ ଭାରତୀୟ ହିନ୍ଦୁ ପରିବାରରେ ଆପଣ ଗଙ୍ଗାଜଳ ନିଶ୍ଚିନ୍ତ ଦେଖିବାକୁ ପାଇବେ। କାରଣ ପବିତ୍ରତାର ଅନ୍ୟ ନାମ ହିଁ ଗଙ୍ଗା। ଗଙ୍ଗାମାତା କେବଳ ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ସେ ମୁକ୍ତିଦାୟିନୀ, ପାପନାସିନୀ ମହାଶକ୍ତି। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି ପୂରାଣ କୁହେ।

ଶାସ୍ତ୍ରରେ କୁହାଯାଇଛି ଯେ, ଗଙ୍ଗାଙ୍କର ଜନ୍ମ ଭଗବାନ ବୁଷ୍ଣୁଙ୍କ ପାଦରୁ ହୋଇଥିଲା। ଏହା ସହିତ ମାନ୍ୟତା ଅଛି ଯେ, ଗଙ୍ଗା ନଦୀର ନିବାସ ସ୍ଥଳ ହେଉଛି ଭଗବାନ ଶିବଙ୍କର ଜଟା। ଦେବତାଙ୍କର ସ୍ବଅଙ୍ଗରୁ ଝରି ଯାଉଥିବା ଅବିରତ ଜଳଧାରା ଯେତେବେଳେ ଗଙ୍ଗା, ସେତେବେଳେ ଅପବିତ୍ରତାର ପ୍ରଶ୍ନ ଉଠିବ ବା କେମିତି? ସେ ଚିରସ୍ରୋତା, ଅବିରତଧାରା ଆଉ ପବିତ୍ରତାର ଏକ ପୂର୍ଣ୍ଣ ପରିଚିତା ସରିତା। ଗଙ୍ଗା ଜଳକୁ ନିୟମିତ ପ୍ରୟୋଗ କଲେ, ରୋଗ ଦୂରରେ ରହିଥାଏ ବୋଲି ବାସ୍ତୁରେ କୁହାଯାଇଛି। ଗଙ୍ଗା ନଦୀ କୂଳରେ ଥିବା ତୀର୍ଥ ସ୍ଥାନକୁ ପବିତ୍ର ବୋଲି କୁହାଯାଇଥାଏ। କୁହାଯାଏ ଏହି ସ୍ଥାନକୁ ତୀର୍ଥ କରିବାକୁ ଗଲେ ଖୁସିର ଆଗମନ ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ ଥିବା ଅହଙ୍କାର ଦୂର ହୋଇଥାଏ।

ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ। ଭଗବତୀ ଗଙ୍ଗାଙ୍କ ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ। ପାପୀଠୁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ। ସେଥିପାଇଁ ଜୀବନରେ ଥରେ ମାତ୍ର ଗଙ୍ଗା ନଦୀର ଦର୍ଶନ ନିଶ୍ଚନ୍ତ କରିବା ଉଚିତ୍‌।

Share

Leave a Reply

Your email address will not be published. Required fields are marked *

seven + 7 =