ଡେଙ୍ଗୁ ନିୟନ୍ତ୍ରଣରେ ଓଡିଶା ଆଗରେ

ଭୁବନେଶ୍ୱର () ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦେଶର ଅନ୍ୟ ୬ଟି ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି । ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଡେଙ୍ଗୁ , ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଛନ୍ତି ।

ପ୍ରକାଶ ଥାଉକି ଦେଶରେ ୧୯୪୫ ମସିହାରୁ ଡେଙ୍ଗୁ ଚିହ୍ନଟ କରାଯାଇଛି । ୧୯୮୮ ମସିହାରେ ଏହା ପ୍ରଥମେ ଦିଲ୍ଲିରେ ମହାମାରୀ ରୂପ ଗ୍ରହଣ କରିଥିଲା । ୨୦୧୮ ମସିହାରେ ଦେଶରେ ୮୯୯୭୪ ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳ୍ ୧୪୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସେହି ଭଳି ଓଡିଶାରେ ୨୦୧୦ ମସିହାରେ ପ୍ରଥମେ ରାଜ୍ୟରେ ଡେଙ୍ଗୁ ଦେଖା ଦେଇଥିଲା । ୨୦୧୮ ମସିହାରେ ମୋଟ ୫୧୯୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଏବଂ ସେଥିରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେଥିରୁ ୧୫୫୯ ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ । ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ନିୟନ୍ତ୍ରଣ ଓ ନିରାକରଣ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ହେଲବି ଏଥିରେ ମରି ନାହାଁନ୍ତି ।

ଭେକ୍ଟରବାହୀତ ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଆଉ ୫୬ ଲକ୍ଷ ଔଷଧୀୟ ମଶାରୀ ମାଗିଛନ୍ତି । ଏହି ଅବସରରେ ବାର୍ଷିକ ରିପୋର୍ଟ ଉନ୍ମୋଚନ କରି ଡାଃ ମେହେର୍ଦ୍ଦା ମଶାବାହୀତ ଏହି ରୋଗକୁ ନିୟନ୍ତ୍ରଣ କରିବା ଲାଗି ମଶାରୀ ବ୍ୟବହାର ସହିତ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି । ଔଷଧୀୟ ମଶାରୀ ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଫଳରେ ରାଜ୍ୟରେ ମ୍ୟାଲେରିଆ ୮୪ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ ଜଳ ଓ ଭେକ୍ଟର ବାହୀତ ରୋଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରାଯାଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ଆଗେଇ ନେବା ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର , ଡାଃ ଲିଙ୍ଗରାଜ ମିଶ୍ର , ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ , ଯୁଗ୍ମସଚିବ ୟାମିନୀ ଷଢଙ୍ଗି , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶିଲ କର , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟ, ଆର୍.ଏମ୍.ଆର୍.ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏବଂ କେନ୍ଦ୍ର ଏନ୍ଭିବିଡିସିପି ଯୁଗ୍ମ ନିର୍ଦ୍ଦେଶକ ଡାଃ ସୁଖବିର୍ ସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

five × 2 =