ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ

ଭୁବନେଶ୍ବର () ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ବାସ୍ଥ୍ୟସେବା ବଜାୟ ରଖିବା ସହିତ ଲୋକମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ବିଭାଗ ପ୍ରସ୍ତୁତ । ଏ ନେଇ ଆବଶ୍ୟକୀୟ ପ୍ରସ୍ତୁତି ସହିତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ସମସ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କର ଛୁଟି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି ।

ଆବଶ୍ୟକୀୟ ଔଷଧ, ସାପକାମୁଡା ଇଂଜେକ୍ସନ ଠାରୁ ଆରମ୍ଭ କରି ସାଲାଇନ, ହାଲୋଜେନ ବଟିକା ଆଦି ମହଜୁଦ ରଖିବାକୁ କୁହାଯାଇଛି । ଅଣପ୍ରଭାବିତ ଅଂଚଳମାନଙ୍କରୁ ପ୍ରଭାବିତ ଅଂଚଳମାନଙ୍କରେ ଡାକ୍ତର ଆଦି ମୁତୟନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଦରକାର ପଡିଲେ ମେଡିକାଲ କଲେଜ ଓ ହସପିଚାଲ ମାନଙ୍କରୁ ମଧ୍ୟ ଡାକ୍ତରୀ ଦଳକୁ ପ୍ରଭାବିତ ଅଂଚଳମାନଙ୍କରେ ମୁତୟନ କରାଯିବ । ଆମ୍ବୁଲାନ୍ସ ସମେତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ପ୍ରସ୍ତୁତ ରହିବେ ଏବଂ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବା ପାଇଁ ତୁରନ୍ତ ଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟସ୍ତରରୁ ଜିଲ୍ଲା ଓ ବ୍ଲକ୍ସ୍ତର ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି । ବିଦ୍ୟୁତ ସରବରାହ ବ୍ୟାହତ ହେଲେ ପାୱାର ବ୍ୟାକ୍ଅପ୍ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀ ମହିଳାମାନଙ୍କ ତାଲିକା ଅନୁଯାୟୀ ପ୍ରସବ ଦିନକୁ ଦୃଷ୍ଟିରେ ରଖି ସେମାନଙ୍କୁ ମା’ଗୃହରେ ଆଣି ରଖିବା କିମ୍ବା ସ୍ବାସ୍ଥ୍ୟ ଅନୁଷ୍ଠାକୁ ପଠାଇବା କାର୍ଯ୍ୟ ଆରମ୍ଭ କରାଯାଉଛି । ବାତ୍ୟା ପରବର୍ତି ସମୟରେ ପାନୀୟ ଜଳ ଉତ୍ସଗୁଡିକର ତୁରନ୍ତ ବିଶୋଧନ ଉପରେ ଗୁରୁତ୍ବ ଆରୋପ କରାଯାଇଛି । ମ୍ୟାଲେରିଆ, ଡାଏରିଆ, ଡେଙ୍ଗୁ ଆଦି ସଂପର୍କରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ଏବଂ କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେ ନେଇ ସଜାଗ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ସଂପର୍କରେ ପ୍ରତି ଦିନ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପ୍ରଦାନ କରିବା ନିମନ୍ତେ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

five × 3 =