3 ତାରିଖ ଅପରାହ୍ନରେ ବାଲୁଖଣ୍ଡରୁ ସାତପଡା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଫନୀ

ଓଡିଶା ଉପକୂଳରେ ଘଂଟାପ୍ରତି ୨୦୦ କିମି ବେଗରେ ବହିବ ପବନ

ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା

ସମୁଦ୍ର ଅଶାନ୍ତ ରହିବ ଓ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ

ଭୁବନେଶ୍ବର ()  ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୪ କିମି ବେଗରେ ଉତରପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୩.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ପୁରୀଠାରୁ ୬୬୦ କିମି ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଓ ବିଶାଖାପାଟଣାଠାରୁ ୪୦୦ କିମି ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ପହଂଚିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଏହା ଉତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି  । ଏହାପରେ ଏହି ସାମଦ୍ରିକ ଝଡ ଉତର-ଉତରପୂର୍ବ ମୋଡ ନେଇ ମେ ୩ ଅପରାହ୍ନ ସୁଦ୍ଧା ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଦେଇ ପୁରୀ ଦକ୍ଷିଣରେ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ପୁରୀର ବାଲୁଖଣ୍ଡ କିମ୍ବା ସାତପଡା ଠାରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ଘଂଟା ପ୍ରତି ୧୭୦-୧୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିଲାବେଳେ ଏହା ସର୍ବାଧିକ ଘଂଟାପ୍ରତି ୨୦୦ କିମିରେ ପହଂଚିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ମେ 2 ତାରିଖରେ ଓଡିଶାର ଦକ୍ଷିଣ ଉପକୂଳର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମେ ୩ରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି । ମେ ୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଉତର ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବରେ ମେ ୨ ରେ ଆନ୍ଧ୍ର ଓ ଓଡିଶା ଉପକୂଳରେ ପବନର ବେଗ ଘଂଟା ପ୍ରତି ୪୦-୫୦କିମି ବେଗରେ ଆରମ୍ଭ ହୋଇ ୬୦ କିମିରେ ପହଂଚିବ । ମେ ୩ ସକାଳୁ ପବନର ବେଗ ବୃଦ୍ଧି ପାଇ ଘଂଟାପ୍ରତି ୬୦-୭୦ କିମି ଓ ପରେ ୮୫କିମିରେ ପହଂଚିବ । ସଂଧ୍ୟାବେଳକୁ ଓଡିଶା ଉପକୂଳରେ ପବନର ବେଗ ଆହୁରି ବୃଦ୍ଧି ପାଇ ଘଂଟାପ୍ରତି ୧୭୫-୧୮୫ କିଲୋମିଟର ବେଗରେ ପହଂଚିବ ଏବଂ ସର୍ବାଧିକ ଘଂଟାପ୍ରତି ୨୦୫ କିମି ଛୁଇଁବ ।

ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ । ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଛି । ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଢ଼ଙ୍ଗା ନେଇ ନଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 5 =