ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କାଳବୈଶାଖୀ ଝଡ଼ରେ ପ୍ରଭାବିତ ବିଦ୍ୟୁତର ପୁନଃ ସ୍ଥାପନକୁ ପ୍ରାଥମିକତା

ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡିର କିଛି ଅଂଶ ଓ ୮୯,୮୫୯ ଗ୍ରାହକ ପ୍ରଭାବିତ
 ୮୭,୭୫୯ ଗ୍ରାହକଙ୍କ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସଫଳତାର ସହ ବିଦ୍ୟୁତ ଯୋଗାଣ ସ୍ୱାଭାବିକ

ସମ୍ବଲପୁର: ୨୦୨୩ ଜୁନ୍ ୧୫ ତାରିଖରେ ଘଟିଥିବା ପ୍ରଳୟଙ୍କରୀ କାଳବୈଶାଖୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରେ ପ୍ରବଳ ବେଗରେ ପବନ ବହିବା ସହ ମୁଶଳଧାରାର ବର୍ଷା ହୋଇଥିଲା । ସେହି କାଳବୈଶାଖୀ ପ୍ରଭାବର ମୁକାବିଲା କରିବା ଲାଗି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ କୋ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌) ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛି । ଝଡ଼ ପ୍ରଭାବରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଯୋଗାଣ ଭିତିଭୂମିରେ ବିଭ୍ରାଟ ଦେଖାଦେଇଥିଲା ଯାହା ଏହି ଅଂଚଳର ୮୯,୮୫୯ ଗ୍ରାହକଙ୍କୁ ପ୍ରଭାବିତ କରିଥିଲା ।
ପ୍ରଭାବିତ ଅଂଚଳରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଟିପିଡବ୍ଲୁଓଡିଏଲ୍‌ର ଉତ୍ସର୍ଗୀକୃତ କର୍ମଚାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଜୁନ୍ ୧୬ ସକାଳ ସୁଦ୍ଧା କଂପାନି ସଫଳତାର ସହ ୮୭,୭୫୯ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିଥିଲା ଏବଂ ପ୍ରତି ମିନିଟ୍‌ରେ ଅଧିକରୁ ଅଧିକ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରାଯାଇଥିଲା । ଟିପିଡବ୍ଲୁଓଡିଏଲ୍ ଟିମ୍ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରି ଗୋଟିଏ ଦିନରେ (ଆଜି) ଅବଶିଷ୍ଟ ୨୧୦୦ ଗ୍ରାହକଙ୍କ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିଥିଲା ।
ଏହି ଝଡ଼ରେ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ବିଭିନ୍ନ ଅଂଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୁନରୁଦ୍ଧାର କାର୍ଯ୍ୟରେ ଟିପିଡବ୍ଲୁଓଡିଏଲ୍‌ର ଟିମ୍ ସମ୍ପୂର୍ଣ୍ଣ ରୂପେ ନିୟୋଜିତ ହୋଇଥିଲା ।
ଟିପିଡବ୍ଲୁଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ଏହି ଆହ୍ୱାନପୂର୍ଣ୍ଣ ସମୟକୁ ବୁଝିବା, ଧୈର୍ଯ୍ୟ ରଖିବା ଓ ସମର୍ଥନ ପ୍ରଦାନ କରିଥିବା ଆମ ଗ୍ରାହକମାନଙ୍କୁ ଆମେ ଗଭୀର କୃତଜ୍ଞତା ଜଣାଇବାକୁ ଚାହୁଛୁ । ଆମେ ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ସମସ୍ତ ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ଆମେ ପୁନରୁଦ୍ଧାର ଉଦ୍ୟମକୁ ପ୍ରାଥମିକତା ଦେଉଛୁ । ଯଥା ସମ୍ଭବ କମ୍ ସମୟ ଭିତରେ ପ୍ରଭାବିତ ଲୋକଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ହେଉଛି ଆମର ଲକ୍ଷ୍ୟ ।’’
ପ୍ରାକୃତିକ ବିପର୍ଯ୍ୟୟ ଭଳି ସମୟରେ ଏକ ଭରସାଯୋଗ୍ୟ ଓ ଦୀର୍ଘସ୍ଥାୟୀ ବିଦ୍ୟୁତ ବଂଟନ ନେଟ୍‌ୱର୍କ ବଜାୟ ରଖିବା ଲାଗି ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

twenty + seven =