ଏକ ସୁରକ୍ଷିତ ଓ ଉଲ୍ଲାସପୂର୍ଣ୍ଣ ଉତ୍ସବ ଋତୁ ପାଇଁ ପଥ ପ୍ରଶସ୍ତ କରିଛି ଟିପିସିଓଡିଏଲ୍‌

ତିଆରି ହୋଇଥିବା ପେଣ୍ଡାଲ ଓ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନେବାକୁ ଆହ୍ୱାନ
ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ରହିବାକୁ ପରାମର୍ଶ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଆଗାମୀ ଉତ୍ସବ ଋତୁରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛି । ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ଭାବେ ଟିପିସିଓଡିଏଲ୍ ପକ୍ଷରୁ ଅସ୍ଥାୟୀ ଢ଼ାଂଚା ଓ ପେଣ୍ଡାଲ ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆବଶ୍ୟକୀୟ ସୁରକ୍ଷା ଗାଇଡ୍‌ଲାଇନ୍ ଜାରି କରାଯାଇଛି ।
ଉତ୍ସବ ଋତୁରେ ସୁରକ୍ଷା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରିବା ପାଇଁ ପୂଜା ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ପାଇଁ କେବଳ ଟିପିସିଓଡିଏଲ୍‌ର ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ଠାରୁ ବିଦ୍ୟୁତ ସଂଯୋଗ ହାସଲ କରିବା ଲାଗି ଆୟୋଜକ ଓ ଦୋକାନିମାନଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ସବ ସମୟରେ ଅସୁରକ୍ଷିତ ଓ ବେଆଇନ ବିଦ୍ୟୁତ ସଂଯୋଗ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ, ତେଣୁ ସୁରକ୍ଷା ପଦକ୍ଷେପକୁ ପ୍ରାଥମିକତା ପ୍ରଦାନ କରିବା ଜରୁରୀ । ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ୍‌ର ଉତ୍ସର୍ଗୀକୃତ ଟିମ୍ ସମସ୍ତ ପେଣ୍ଡାଲରେ ବିଦ୍ୟୁତ ବ୍ୟବସ୍ଥାକୁ ନିରୀକ୍ଷଣ କରି ଏବଂ ବିଦ୍ୟୁତ ନେଟ୍‌ୱର୍କରେ ଯେକୌଣସି ପ୍ରକାର ବେଆଇନ ହୁକକୁ ରୋକିବା ସହ ଏକ ଉଲ୍ଲାସପୂର୍ଣ୍ଣ ଉତ୍ସବ ଅନୁଭୂତିକୁ ସୁନିଶ୍ଚିତ କରିବେ ।
ଯେକୌଣସି ପ୍ରକାର ଅଭିଯୋଗର ସମାଧାନ କରିବା ଲାଗି ଟିପିସିଓଡିଏଲ୍‌ର ସୋସିଆଲ ମିଡିଆ ନିରୀକ୍ଷଣ ୟୁନିଟ୍ ସହିତ ଚବିଶ ଘଂଟିଆ କଲ୍ ସେଂଟର ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି । ଜରୁରୀକାଳୀନ ସମସ୍ୟାରେ ଦେୟମୁକ୍ତ ହେଲପ୍‌ଲାଇନ୍ ନମ୍ବର ୧୯୧୨/ ୧୮୦୦୩୪୫୭୧୨୨ରେ ଯୋଗାଯୋଗ କରିବା କିମ୍ବା ନିକଟତମ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି ।
ଉତ୍ସବ ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ କେତେକ ସୁରକ୍ଷା ଗାଇଡ୍‌ଲାଇନ୍ ଜାରି କରାଯାଇଛି:
ବିଦ୍ୟୁତ ଓୟାରିଂ: କେବଳ ସ୍ୱୀକୃତିପ୍ରାପ୍ତ ଓ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନଙ୍କ ଦ୍ୱାରା ସମସ୍ତ ବିଦ୍ୟୁତ ଓୟାରିଂ ହୋଇଥିବା ସୁନିଶ୍ଚିତ କରନ୍ତୁ ।
ଉପରେ ଯାଇଥିବା ବିଦ୍ୟୁତ ତାର: ଟେଂଟ୍ ଲଗାଇବା ବେଳେ କିମ୍ବା ସାଜସଜ୍ଜା ସମୟରେ ଉପରେ ଯାଇଥିବା ତାରଠାରୁ ସୁରକ୍ଷିତ ଦୂରତ୍ୱ ବଜାୟ ରଖନ୍ତୁ ।
ବିଦ୍ୟୁତ ବ୍ୟବସ୍ଥାର ଆଖପାଖ: ବିଦ୍ୟୁତ ବ୍ୟବସ୍ଥା ଥିବା ସ୍ଥାନ ନିକଟରେ ଟେଂଟ୍ କିମ୍ବା ସାଜ୍ଜସଜା କରନ୍ତୁ ନାହିଁ ।
ବେଆଇନ ହୁକ: ବିଦ୍ୟୁତ ନେଟ୍‌ୱର୍କରେ ବେଆଇନ ହୁକ ପକାଇବାଠାରୁ ଦୂରେଇ ରୁହନ୍ତୁ, ତାହା ଗମ୍ଭୀର ଦୁର୍ଘଟଣାର କାରଣ ହୋଇପାରେ
ଉପଯୁକ୍ତ ଆର୍ଥିଂ: ସମସ୍ତ ବିଦ୍ୟୁତ ଉପକରଣର ଉପଯୁକ୍ତ ଆର୍ଥିଂ ହୋଇଥିବା ସୁନିଶ୍ଚିତ କରନ୍ତୁ । ଯଦି ଜେନେରେଟର ବ୍ୟବହାର ହୋଇଥାଏ ତେବେ ତାହାର ବଡି ଓ ନିଉଟ୍ରାଲ ପାଇଁ ଅଲଗା ଆର୍ଥିଂକୁ ନିଶ୍ଚିତ କରନ୍ତୁ
ପାଣି ଲିକ୍‌କୁ ରୋକନ୍ତୁ: ବିଦ୍ୟୁତ ମିଟର କିମ୍ବା ସ୍ୱିଚ୍‌ଗିୟର ଉପରେ ପାଣି ଯେଭଳି ଲିକ୍ ନହୁଏ ନିଶ୍ଚିତ କରନ୍ତୁ
ଶୋଭାଯାତ୍ରା ସୁରକ୍ଷା: ଶୋଭାଯାତ୍ରା ସମୟରେ ହାଇ ଓ ଲୋ ଭୋଲଟେଜ୍ ତାର, ଫିଡର ପିଲାର୍ ଏବଂ ଅନ୍ୟାନ୍ୟ ବିଦ୍ୟୁତ ବ୍ୟବସ୍ଥା ଠାରୁ ଗାଡ଼ି କୁ ସୁରକ୍ଷିତ ଦୂରତ୍ୱରେ ରଖନ୍ତୁ ।
ଅଗ୍ନିଶମ ସୁରକ୍ଷା: ପେଣ୍ଡାଲ ଓ ବିଦ୍ୟୁତ୍ ବ୍ୟବସ୍ଥା ନିକଟରେ ଉପଯୁକ୍ତ ଅଗ୍ନିନିର୍ବାପକ ଯନ୍ତ୍ର ରଖି ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରନ୍ତୁ ।
ଏଲଇଡି ଲାଇଟ୍ ବ୍ୟବହାର କରନ୍ତୁ: ଶକ୍ତି ମିତବ୍ୟୟୀ ଏଲଇଡି ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ
ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ଉତ୍ସବ ଋତୁକୁ ଉଭୟ ଉଲ୍ଲାସପୂର୍ଣ୍ଣ ଓ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ କରିବ । ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ଯଥାର୍ଥ ଭାବେ ପାଳନ କରିବା ପାଇଁ ଆମେ ହୃଦୟରୁ ଜନସାଧାରଣଙ୍କୁ ଆହ୍ୱାନ ଦେଉଛୁ । ଜରୁରୀକାଳୀନ ପରିସ୍ଥିତିରେ ଦୟାକରି ବିନା କୌଣସି ଦ୍ୱିଧାରେ ଆମ ଦେୟମୁକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ ।’’
ସମସ୍ତଙ୍କ ପାଇଁ ଏହି ପୂଜା ଋତୁକୁ ସୁରକ୍ଷିତ ଓ ଆନନ୍ଦଦାୟକ କରିବା ଲାଗି ଟିପିସିଓଡିଏଲ୍ ଉତ୍ସର୍ଗୀକୃତ ରହିଛି ଏବଂ ଏକ ୍‌ଉଲ୍ଲାସପୂର୍ଣ୍ଣ ଓ ସୁରକ୍ଷିତ ଉତ୍ସବ ପାଳନ ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

Share

Leave a Reply

Your email address will not be published. Required fields are marked *

4 × three =