ନବମ ପାନ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀରେ ସମ୍ବଲପୁର ଆଇଆଇଏମ୍‌ରେ ଏକାଠି ହେବେ ସମସ୍ତ ୨୧ ଆଇଆଇଏମ୍‌ର ନିର୍ଦ୍ଦେଶକ

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଡିସେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ୍ (ଆଇଆଇଏମ)ର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି “ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଉଦ୍ୟମିତା ନବସୃଜନ ଏବଂ ଡିଜିଟାଲ୍ ପ୍ରଶାସନ\’ । ଏହି ସମ୍ମିଳନୀରେ ଭାରତର ସମସ୍ତ ୨୧ଟି ଆଇଆଇଏମ ଅଂଶଗ୍ରହଣ କରିବେ । ଆଇଆଇଏମ୍ ବ୍ୟତୀତ ଆଇଆଇଟି, ଏନଆଇଟି ଏବଂ ଭାରତ ତଥା ବିଶ୍ୱର ଅନ୍ୟ ପ୍ରିମିୟମ ମ୍ୟାନେଜମେଂଟ୍ ପ୍ରତିଷ୍ଠାନଗୁଡ଼ିକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୈୟସ୍ୱାଲ୍ ପାନ୍ ଆଇଆଇଏମ୍ ସମ୍ମିଳନୀର ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ବିଭିନ୍ନ ଆଇଆଇଏମର ପ୍ରଫେସର, ଗବେଷକ, ଡକ୍ଟରେଟ ଛାତ୍ରଛାତ୍ରୀ, ଶିଳ୍ପ ପ୍ରଫେସନାଲଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ଭଳି ଅଂଶଗ୍ରହଣକାରୀମାନେ ନିଜ ନିଜ କ୍ଷେତ୍ରର ବିଷୟ ଉପରେ ମୁକ୍ତ ଆଲୋଚନା କରିବେ । ନବମ ପାନ ଆଇଆଇଏମ ବିଶ୍ୱ ପରିଚାଳନା ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଉଦ୍ୟମିତା ନବସୃଜନ ଏବଂ ଡିଜିଟାଲ ପ୍ରଶାସନ \”ଯେଉଁଥିରେ ନିର୍ଦ୍ଦେଶକ, କୁଳପତି, ଡିନ୍‌, ପ୍ରଫେସର, ବିଦ୍ୱାନ, ଶିଳ୍ପ ପ୍ରତିନିଧି, ସିଇଓ ଏବଂ ଶୀର୍ଷ ସରକାରୀ ଅଧିକାରୀଙ୍କ ସମେତ ୫୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବାର ସମ୍ଭାବନା ରହିଛି ।’’
ପ୍ରଫେସର ଜୈୟସ୍ୱାଲ ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ପ୍ରଫେସନାଲ, ଶିକ୍ଷାବିତ, ନୀତି ନିର୍ଧାରକ ଏବଂ ଚିନ୍ତାନାୟକମାନଙ୍କୁ ବିଭିନ୍ନ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଗବେଷଣା, ଧାରଣା ଏବଂ ଉଦ୍ଭାବନ ବାଂଟିବା ପାଇଁ ଏକ ଅସାଧାରଣ ମଂଚ ପ୍ରଦାନ କରିବ । ତିନି ଦିନ ଧରି ଅଂଶଗ୍ରହଣକାରୀମାନେ ପ୍ରକାଶନ ସୁଯୋଗ, ଭାବ ବିନିମୟ କର୍ମଶାଳା, ପୂର୍ଣ୍ଣାଙ୍ଗ ଅଧିବେଶନ ଏବଂ ସମ୍ମାନିତ ବିଦ୍ୱାନ, ନୀତି ନିର୍ଧାରକ ଏବଂ କର୍ପୋରେଟ୍ ନେତୃବୃନ୍ଦଙ୍କ ସହ ରାଉଣ୍ଡ ଟେବୁଲ ଆଲୋଚନା ଦ୍ୱାରା ଉପକୃତ ହୋଇପାରିବେ ।
ଉଲ୍ଲେଖଯୋଗ୍ୟ ଯେ ପାନ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ (ଡବ୍ଲ୍ୟୁଏମସି)ର ଉଦ୍ଦେଶ୍ୟ ହେଉଛି ଏକ ମଂଚ ପ୍ରଦାନ କରିବା ଯେଉଁଠାରେ ଭାରତ ଏବଂ ସମଗ୍ର ବିଶ୍ୱର ପ୍ରତିଭାଶାଳୀ ବ୍ୟକ୍ତିମାନେ ଏକତ୍ରିତ ହେବେ ଏବଂ ଉଦ୍ୟୋଗୀ ଉଦ୍ଭାବନ, ଡିଜିଟାଲ୍ ଶାସନ, ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାୟୀ ଅଭିବୃଦ୍ଧି କ୍ଷେତ୍ରରେ ସାମ୍ପ୍ରତିକ ପ୍ରସଙ୍ଗ, ଧାରା, ଆହ୍ୱାନ ଏବଂ ଗବେଷଣା ସୁଯୋଗ ଅନୁସନ୍ଧାନ କରିବେ ।
ଏଥିରେ ଅଂଶଗ୍ରହଣ ପାଇଁ ବିଭିନ୍ନ ପରିଚାଳନା ବିଷୟ ଉପରେ ଗବେଷଣା ପତ୍ର ଦାଖଲ କରାଯାଇପାରିବ ।
ପ୍ରତିବର୍ଷ ବିଭିନ୍ନ ଆଇଆଇଏମରେ ରୋଟେସନ ଭିତିିରେ ପାନ ଆଇଆଇଏମ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ । ଅତ୍ୟାଧୁନିକ ଭିତିଭୂମି ଥିବାରୁ ଚଳିତ ବର୍ଷ ଆଇଆଇଏମ ସମ୍ବଲପୁରରେ ନବମ ପାନ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ ଆୟୋଜନ କରିବାକୁ ସମସ୍ତ ଆଇଆଇଏମ୍ ପକ୍ଷରୁ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

five × one =