ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର

ଭୁବନେଶ୍ୱର : କଟକ ଏସସିବି ମେଡିକାଲରୁ ଚମ୍ପଟ ମାରି ପୋଲିସ ସହ ୫ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡିଲା କୁଖ୍ୟାତ ଅପରାଧି ଗ୍ୟାଙ୍ଗଷ୍ଟର ହାଇଦର । ଚର୍ଚ୍ଚା ହେଉଥିଲା ଯେ, ହାଇଦର ବାଂଲାଦେଶ ପଳାଇଯାଇଥିବା ସୂଚନା ମିଳିଥିଲା । ତେବେ ସବୁ କଳ୍ପନାଜଳ୍ପନା ଅନ୍ତ ଘଟିଛି । ହାଇଦରକୁ ତେଲେଙ୍ଗାନା ପୋଲିସ ସହାୟତାରେ ଧରିବାରେ ସଫଳ ହୋଇଛି ଓଡ଼ିଶା ପୋଲିସ । ଏ ନେଇ ଆଜି ଟ୍ୱିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ପଷ୍ଟ କରିଛନ୍ତି ।

ପୋଲିସ କମିଶନର କହିଛନ୍ତି ଯେ, ହାଇଦର ଖସିଯିବା ପରେ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇଥିଲା । ଏହି ସ୍ପେଶାଲ୍ ସ୍କ୍ୱାଡ ରାଜ୍ୟ ଓ ରାଜ୍ୟ ବାହାର ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ଆଜି ସଂଧ୍ୟାରେ ତେଲେଙ୍ଗାନା ପୋଲିସ ସହାୟତାରେ କଟକ ପୋଲିସ ହାଇଦରକୁ ଗିରଫ କରିବାରେ ସଫଳ ହୋଇଛି । ଖୁବଶୀଘ୍ର ତାକୁ ଓଡ଼ିଶା ଅଣାଯିବ ବୋଲି କହିଛନ୍ତି କମିଶନର ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ହାଇଦର ଏସ୍ସିବିରୁ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା । ଏହି ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିଲା । ହାଇଦରର ଫେରାର ଘଟଣାରେ ତାର ପରିବାରର ହାତ ଥିବା ଅନୁମାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

fifteen − two =