କୃଷି ଋଣ ଉଚ୍ଛେଦ ପାଇଁ ହେଉ ଜାତୀୟ ନୀତି

ନୀତି ଆୟୋଗ ବୈଠକରେ ରାଜ୍ୟର ପ୍ରସ୍ତାବ

ଭୁବନେଶ୍ବର (ନିପ୍ର) ନୀତି ଆୟୋଗର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଆଭିମୁଖ୍ୟକୁ ଲିକ୍ଷିତ ଭାବେ ଜଣାଇଛନ୍ତି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଠାରୁ ଆରମ୍ଭ କରି, ଆୟୁଷ୍ମାନ ଭାରତ ଯୋଜନାରୁ ରାଜ୍ୟ ଓହରିବା, କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଗତ ୧୬ ତାରିଖରେ ଚିଠି ଲେଖିଛନ୍ତି ନବୀନ ।

ପୁଣି ଥରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇଛନ୍ତି ନବୀନ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟା ଏବଂ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାକୁ ହକଦାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶାର ବିକାଶ ଧାରାକୁ ଆଗକୁ ନେବାକୁ ଉତ୍ତର-ପୂର୍ବ ଓ ହିମାଳୟାନ ରାଜ୍ୟ ଭିତ୍ତିରେ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସେୟାରିଂ ପାଟର୍ଣ୍ଣରେ ପରିବର୍ତ୍ତନ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ସେହିପରି କୃଷି କ୍ଷେତ୍ରର ବିକାଶ ଏବଂ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବାକୁ ସବୁ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଆବଶ୍ୟକ । କେନ୍ଦ୍ରୀୟ ବଜେଟରେ ସବୁ କୃଷିଜାତ ଦ୍ରବ୍ୟର ଏମଏସପି ଦେଢଗୁଣା ବୃଦ୍ଧି କରିବାକୁ ହୋଇଥିବା ଘୋଷଣା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି । ତେବେ ଏଥିପାଇଁ ଚାଷୀଙ୍କ ପ୍ରକୃତ ଉତ୍ପାଦନ ଖର୍ଚ୍ଚକୁ ହିସାବକୁ ନିଆଯିବା ଉଚିତ । ଏଦିଗରେ କେନ୍ଦ୍ର ସରକାର କି ପ୍ରକାର ନୀତି ନିର୍ଦ୍ଧାରଣ କରୁଛନ୍ତି ତାକୁ ରାଜ୍ୟ ସରକାର ଅତି ଉକ୍ରଣ୍ଠାର ସହ ଅନେଇ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚାଷୀଙ୍କୁ ଉପଯୁକ୍ତ ବଜାର ସୁବିଧା ସହ ଋଣ ସହାୟତାରେ ଜାତୀୟ ସ୍ତରରେ ନୀତିରେ ସଂଶୋଧନ ହେବା ଆବଶ୍ୟକ । ଚାଷୀଙ୍କ ସୁବିଧା ପାଇଁ ଜାତୀୟ ଋଣ ଉଚ୍ଛେଦ ନୀତି ପ୍ରଣୟନ ଦିଗରେ ନବୀନ ଗୁରୁତ୍ୱାରୋପ କରିଛନ୍ତି । ଏଦିଗରେ କେନ୍ଦ୍ର ସରକାର ଗ୍ରହଣ କରୁଥିବା ଯେକୌଣସି ପଦକ୍ଷେପକୁ ରାଜ୍ୟ ସରକାର ସହଯୋଗ କରିବା ବୋଲି ନବୀନ କହିଛନ୍ତି । ଅଣୁ ଓ କ୍ଷୁଦ୍ର ଶିଳ୍ପ ପାଇଁ ରହିଥିବା କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ଫର ଅଣୁ ଓ କ୍ଷୁଦ୍ର ଶିଳ୍ପ ଢାଞ୍ଚାରେ କୃଷି ପାଇଁ ଏକ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ କୃଷି କ୍ଷେତ୍ରର ସାମଗ୍ରୀକ ବିକାଶ ପାଇଁ ସ୍ବାମୀନାଥନ କମିଟି ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ନବୀନ ଦାବି କରିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରୁ ଓଡିଶା ଓହରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଚିଠରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଓଡିଶା ଏହି ଯୋଜନାକୁ ବିରୋଧ କରୁନାହିଁ । ଯଦି ଏହି ଯୋଜନାର କାର୍ଯ୍ୟକାରିତା ନେଇ ରାଜ୍ୟ ଉଠାଇଥିବା ପ୍ରସଙ୍ଗଗୁଡିକର ସମାଧାନ ହୁଏ ତେବେ ଭବିଷ୍ୟତରେ ଓଡିଶା ଏହି ଯୋଜନାରେ ସାମିଲ ହେବାକୁ ଆଗ୍ରହୀ ରହିଥିବା ନବୀନ କହିଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ କହିଛନ୍ତି ଯେ, ଆମେ ଏବେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ଦିଗରେ ଗୁରୁତ୍ବ ଦେବା ଆବଶ୍ୟକ । ଏସଇସିସି ଡାଟା ଆଧାରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଗଲେ ବହୁ ଗରିବ ପରିବାର ବାଦ ପଡିବେ । ମମତା, ଗ୍ରାମୀଣ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଭତ୍ତା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଦି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରିବାକୁ ଚେଷ୍ଟା କରାଯାଇଛି । ଏସଇସିସି ତଥ୍ୟ ଆଧାରରେ ଆୟୁଷ୍ମାନ ଯୋଜନାରେ ରାଜ୍ୟ ସାମିଲ ହେଲେ ପ୍ରାୟ ୮ ଲକ୍ଷ ପରିବାର ଏହାର ସୁଫଳ ପାଇପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 15 =