ନବୀନଙ୍କ ବାର୍ତ୍ତା – ନେତୃତ୍ବ ନେବାକୁ ହେଲେ ଲୋକଙ୍କୁ ଭଲ ପାଅ

ଭଲପାଇବା ଆଗରେ ପଦପଦବୀ, କ୍ଷମତା ଓ ଅର୍ଥ ମୂଲ୍ୟହୀନ

ଭୁବନେଶ୍ବର () ଆପଣମାନେ ଲୋକଙ୍କୁ ଭଲ ନପାଇଲେ, ସେମାନଙ୍କୁ ନେତୃତ୍ବ ଦେଇପାରିବେ ନାହିଁ  । ଏହାହିଁ ସବୁ ରାଜନୈତିକ ବ୍ୟକ୍ତିଙ୍କ ପାଇଁ ରାଜନୈତିକ ବ୍ୟକ୍ତିଙ୍କ ଦର୍ଶନ ଓ ନୀତି ହେବା ଆବଶ୍ୟକ  । ଆଜି ଓଡିଶା ବିଧାନସଭା ପରିସରରେ ଆୟୋଜିତ ଶ୍ରେଷ୍ଠ ବିଧାୟକ/ବିଧାୟିକା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ଜନପ୍ରତିନିଧୀମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି  ।

ନିର୍ବାଚିତ ଜନପ୍ରତିନିଧୀମାନଙ୍କୁ ଆଗାମୀ ଦିନରେ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହେବାକୁ ଆହ୍ବାନ ଦେବାକୁ ଯାଇ ସେ କହିଥିଲେ ଯେ, ଯଦି ଆପଣମାନେ ସାଧାରଣ ଲୋକଙ୍କୁ ଭଲ ପାଇବେ ତେବେ ଆପଣମାନେ ଯେଉଁ ପଦପଦବୀରେ ଅଛନ୍ତି ତାହାକୁ କେବଳ ଏକ ପଦବୀ ବୋଲି ଭାବିବେ ନାହିଁ  । ବରଂ ଏହା ଲୋକଙ୍କ ସେବାର ଏକ ମାଧ୍ୟମ ପାଲଟିବ  । ସେହିପରି ବିଧାୟକମାନେ ଲୋକଙ୍କୁ ଭଲ ପାଇଲେ, ସେମାନେ ନିଜ କ୍ଷମତାକୁ କ୍ଷମତା ବୋଲି ଭାବିବେ ନାହିଁ  । ଏହା ଲୋକଙ୍କ ଜୀବନଧାରଣର ମାନ ପରିବର୍ତ୍ତନର ଏକ ମାଧ୍ୟମ ପଲଟିଯିବ । ଲୋକଙ୍କ ଭଲ ପାଇବା ଆଗରେ

ରାଜନୀତିର ସବୁ ନକରାତ୍ମକ ଦିଗ, ଯେମିତିକି ପଦପଦବୀ, କ୍ଷମତା ଓ ଅର୍ଥ ମୂଲ୍ୟହୀନ ହୋଇପଡିବ ।

ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ ଯୁବଗୋଷ୍ଠି ରାଜନୀତିରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଯୁବବର୍ଗ ସମାଜସେବାକୁ ବ୍ରତ ଭାବେ ପାଳନ କଲେ ସେମାନେ ଆମେ ଚାହୁଁଥିବା ମାର୍ଗରେ ସମାଜ ପରିବର୍ତ୍ତନ କରିପାରିବେ  । ଏପରିକି ସେଇମାନେ ହିଁ, ପ୍ରକୃତ ଅର୍ଥରେ ସମାଜ ପରିବର୍ତ୍ତନ ଏଜେଣ୍ଟ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ 2009ରୁ 2016 ବର୍ଷ ଏହି 8 ବର୍ଷ ପାଇଁ ତିନୋଟି ବର୍ଗରେ 24ଜଣ ବିଧାୟକଙ୍କୁ ପୁରସ୍କୃତ କରିଛନ୍ତି । 2002ରୁ ଓଡିଶା ବିଧାନସଭାରେ ବିଧାୟକଙ୍କ ପ୍ରଦର୍ଶନ, ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ଏବଂ ସେମାନଙ୍କ ବ୍ୟବହାରକୁ ନେଇ ତିନୋଟି ବର୍ଗରେ ପୁରସ୍କୃତ କରାଯାଉଛି  । ହେଲେ ଗତ 8 ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା ।

ପିର୍ବତନ ବିଧାୟକ ବିଷ୍ଣୁ ଦାସ, ବିଧାୟକ ଅରୁଣ ସାହୁ, ପ୍ରଭାତ ବିଶ୍ବାଳ, ପ୍ରଫୁଲ୍ଲ ମାଝୀ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସରକାରୀ ମୁଖ୍ୟସଚେତକ ଅମର ପ୍ରସାଦ ଶତପଥୀଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ, ବିମ୍ବାଧର କୁଅଁର, ପୂର୍ବତନ ବିଧାୟକ ନିତ୍ୟାନନ୍ଦ ପ୍ରଧାନ, ଉମେଶ ଚନ୍ଦ୍ର ସ୍ବାଇଁ, ବିକ୍ରମ ବର୍ମା, ରାଜେନ୍ଦ୍ର ଢୋଲକିଆ, ସୁରେନ୍ଦ୍ର ପରମାନିକ ଓ ଚକ୍ରଧର ପାଇକଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ବିଧାୟକ ସଞ୍ଜୟ ଦାସବର୍ମା, ପ୍ରୀତିରଞ୍ଜନ ଘଡେ଼ଇ, ସମୀର ଦାସ, ପ୍ରଶାନ୍ତ ମୁଦୁଲି, ବିଜୟ କୁମାର ମହାନ୍ତି, ରାଶେଶ୍ବରୀ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର ଓ ପ୍ରଦୀପ ପୁରୋହିତଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନ ଦିଆଯାଇଛି ।

ଶ୍ରେଷ୍ଠ ବିଧାୟକ ସମ୍ମାନ କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସ୍ବାଗତ କରିଛନ୍ତି । ଏହା ନବାଗତ ବିଧାୟକଙ୍କୁ ଅଧିକ ଉତ୍ସାହିତ କରିବ । କିନ୍ତୁ ବିଧାୟକମାନେ ବିଧାନସଭାରେ ଉପସ୍ଥିତ ରହିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ । କାରଣ ଅନେକ ସମୟରେ ବିଧାୟକମାନେ ବିଧାନସଭାକୁ ଆସୁନାହାଁନ୍ତି । ସେହିପରି ପୁରସ୍କୃତ ହୋଇଥିବା ବିଧାୟକମାନେ ଏହି ପୁରସ୍କାର ଦ୍ବାରା ଅଧିକ ଉତ୍ସାହିତ ହୋଇଛନ୍ତି । ବିଧାୟିକା ରାଶେଶ୍ବରୀ ପାଣିଗ୍ରାହୀ ସେ ପାଇଥିବା ପୁରସ୍କାରକୁ ନିଜ ନିର୍ବାଚନମଣ୍ଡଳୀବାସୀଙ୍କ ପାଇଁ ଉତ୍ସର୍ଗ କରିଥିବା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ସମୀର ଦାସ ପାଇଥିବା ପୁରସ୍କାର ରାଶିକୁ କେରଳ ବନ୍ୟା ପ୍ରପିଡିତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four − four =