ମୁଁ ଓଡ଼ିଶାର ଲକ୍ଷ୍ୟ : ଅଧିକ ନିବେଶ, ଅଧିକ ନିଯୁକ୍ତି
- 4,19,574 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ
- ଯୋଗଦେଲେ 19 ରାଷ୍ଟ୍ରର ବିଜନେସ ଟାଇକୁନ
- ସୃଷ୍ଟି ହେବ 5 ଲକ୍ଷ 91 ହଜାର ନିଯୁକ୍ତି ସୁଯୋଗ
- 2020 ନଭେମ୍ବର 30ରେ ତୃତୀୟ ସଂସ୍କରଣ
ଭୁବନେଶ୍ୱର : ମେକ ଇନ୍ ଓଡ଼ିଶା କନକ୍ଲେଭର ୨ୟ ସଂସ୍କରଣ ସଫଳତାର ସହ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଏବର୍ଷ ମେକ ଇନ୍ ଓଡ଼ିଶା କନକ୍ଲେଭରେ ୧୫ଟି କ୍ଷେତ୍ରରୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହିସବୁ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି କନକ୍ଲେଭରେ ଭାରତ ଓ ଭାରତ ବାହାରୁ 19ଟି ଦେଶର ୫,୦୭୪ଟି ଶିଳ୍ପ କ୍ୟାପଟେନ୍ ଓ ସେମାନଙ୍କ ପ୍ରତିନିଧି ଯୋଗଦେଇଥିଲେ । ଜାପାନ ସହ ସହଭାଗିତାରେ ଆୟୋଜିତ ହୋଇଥିବା ଏହି କନକ୍ଲେଭର ତୃତୀୟ ସଂସ୍କରଣ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ, ଅଧିକ ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏଥରର କନକ୍ଲେଭରେ ରସାୟନିକ ସାର, ପେଟ୍ରୋକେମିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଇଲେକଟ୍ରୋନିକ୍ସ ଆଦି କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶରୁ ଅଧିକ ପ୍ରସ୍ତାବ ଆସିଛି । ଏହିସବୁ କ୍ଷେତ୍ର ସର୍ବାଧିକ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କନକ୍ଲେଭର ଶିଳ୍ପପତି ସମ୍ମିଳନୀର ଉଦଯାପନୀ ଉତ୍ସବକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମୟ ଆସିଛି ରାଜ୍ୟରେ ଶିଳ୍ପାୟନର ନୂଆ ଇତିହାସ ସୃଷ୍ଟି କରିବାକୁ । ରାଜ୍ୟର ଶିଳ୍ପାୟନ ଓ ଅଭିବୃଦ୍ଧିରେ ଶିଳ୍ପପତିଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସେ ଆଶାପ୍ରକାଶ କରିଛନ୍ତି ଯେ, ଏହି କନକ୍ଲେଭରେ ରାଜ୍ୟରେ ପୁଞ୍ଜିନିବେଶର ସୁଯୋଗ ସଂପର୍କରେ ହୋଇଥିବା ଆଲୋଚନା ଏବଂ ମତ ବିନିମୟ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ସବୁଠାରୁ ଆକର୍ଷଣୀୟ ପୁଞ୍ଜିନିବେଶର କ୍ଷେତ୍ର ଭାବେ ଗଢିତୋଳିବ ।
କନକ୍ଲେଭରେ ହଳଦିଆ ପେଟ୍ରୋକେମିକାଲ୍ସ ପକ୍ଷରୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜିନେିବଶ ପ୍ରସ୍ତାବ ଆସିଥିବାବେଳେ ଜେଏସପିଏଲ୍ ପକ୍ଷରୁ ୬୦,୯୫୦ କୋଟି, ମହାନଦୀ କୋଲ ଫିଲ୍ଡସ ପକ୍ଷରୁ ୫୮,୯୯୭ କୋଟି, ତାଇୱାନର ଏକ କମ୍ପାନୀ ପକ୍ଷରୁ ୪୩ ହଜାର କୋଟି ଏବଂ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଲିିମିଟେଡ୍ ପକ୍ଷରୁ ୪୧,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଦେଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପାୟନର ଏହି ବିରାଟ ରଥରେ ସାମିଲ ହୋଇଥିବା ପୁଞ୍ଜିପତିମାନେ ଆଗାମୀ ଦିନରେ ଓଡିଶାକୁ ବିଶ୍ୱରେ ଏକ ନମ୍ବର ମାନୁଫ୍ୟାକଚୁରିଂ ହବ୍ ଭାବେ ଛିଡା କରାଇବ । ଏହି ଅବସରରେ ରାଜ୍ୟର ଶିଳ୍ପ ବିକାଶ ଯୋଜନା-ଭିଜନ ୨୦୨୫କୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସହ ରାଜ୍ୟର ପ୍ରାଥମିକ କ୍ଷେତ୍ର ଗୁଡିକରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଦକ୍ଷତା ବିକାଶ ଜରିଆରେ ଯୁବଶକ୍ତିର ସଶକ୍ତିକରଣ ରାଜ୍ୟର ଫୋକସ । ରାଜ୍ୟ ସରକାର ଦକ୍ଷତା ବିକାଶ ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ୨୦୧୪-୧୫ରୁ ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ଯୁବକଙ୍କୁ ଶିଳ୍ପଭିତ୍ତିକ ଦକ୍ଷତା ତାଲିମ୍ ଦେବାକୁ ଯୋଜନା କରାଯାଇଛି । ଇତିମଧ୍ୟରେ ରାଜ୍ୟ ସରକାର ୧୫ ଲକ୍ଷ ୨୫ ହଜାର ଯୁବକଙ୍କୁ ଦେଇ ସାରିଛନ୍ତି ।
ରାଜ୍ୟର ମିଶନ-ଓଡ଼ିଶାରେ ଦକ୍ଷତା ତାଲିମ୍ । ଏହି ମିଶନକୁ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱରରେ ଏକ ୧୧ ମହଲା ବିଶିଷ୍ଟ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର ନିର୍ମାଣ କରାଯାଇଛି । ଏଥିପାଇଁ ସିଙ୍ଗାପୁରର ଏକ ସଂସ୍କା ସହ ଗତକାଲି ଏମ୍ଓୟୁ ହୋଇଛି । ରାଜ୍ୟର ଯୁବକମାନଙ୍କୁ ଶିଳ୍ପ ପାଇଁ କେବଳ ପ୍ରସ୍ତୁତ କରିବା ହିଁ ଲକ୍ଷ୍ୟ ନୁହେଁ । ସେମାନଙ୍କୁ ଭବିଷ୍ୟତ ଟେକ୍ନୋଲୋଜି ପାଇଁ ଦକ୍ଷ କରିବା ।

