ବେପରୁଆ ଗାଡି ଚାଳକ ସାବଧାନ … ଏଣିକି ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଦେବେ କ୍ଷତିପୂରଣ

ଭୁବନେଶ୍ବର () ଏଣିକି ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ । ଯଦି ସେ କ୍ଷତିପୂରଣ ନ ଦିଅନ୍ତି ତାହେଲେ ତାଙ୍କର ଗାଡ଼ିକୁ ସରକାର ବାଜ୍ୟାପ୍ତି କରି  ନିଲାମ କରି ସେଥିରୁ ଆଦାୟ ଅର୍ଥକୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରି ପାରିବେ । ଏହି ଡ୍ରାଫଟ ରୁଲ ଅନୁସାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ କୌଣସି କୋର୍ଟ ମୁକୁଳାଇବେ ନାହିଁ । ଯଦି ଗାଡ଼ିର ଆବଶ୍ୟକ ଇନସୁରାନ୍ସ୍‌ ନାହିଁ, ଦୁର୍ଘଟଣା ଘଟିଲେ ଗାଡ଼ିର ମାଲିକ ଆବଶ୍ୟକ କ୍ଷତିପୂରଣ ଭରଣା ନକରିଲେ, ସେ ଗାଡ଼ିକୁ ରିଲିଜ୍‌ କରାଯାଇ ପାରିବ ନାହିଁ । ଏ କ୍ଷେତ୍ରରେ ଜବତ ଗାଡ଼ିକୁ ସର୍ବସାଧାରଣରେ ନିଲାମ କରିଦିଆଯିବ । ଏଥିରୁ ମିଳିବାକୁ ଥିବା ଅର୍ଥକୁ କ୍ଷତିପୂରଣ ଆକାରରେ ଭରଣା କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ “ଓଡ଼ିଶା ମୋଟର ଭେହିକିଲ (ଆକ୍ସିଡ଼େଣ୍ଟ୍‌ କ୍ଲେମ୍‌ ଟ୍ରିବୁନାଲ)ରୁଲ୍‌ ୧୯୬୦ର ସଂଶୋଧନ କରିଛନ୍ତି ।

ସଡ଼କ ଦୁର୍ଘଟଣା ବୃଦ୍ଧି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୁର୍ଘଟଣା ହାର ହ୍ରାସ ଓ ଏହାର ନିରକାରଣ ଆଜି ଆମ ପାଇଁ ବଡ଼ ଆହ୍ବାନ । ଜନସଚେତନତା ସୃଷ୍ଟି ଦ୍ୱାରା ଏହା ସମ୍ଭବ ହୋଇପାରିବ  । ଗାଡ଼ି ଦୁର୍ଘଟଣା ଦ୍ୱାରା ଆହାତ, ମୃତ୍ୟୁ ଓ ଅନ୍ୟପକ୍ଷରେ କ୍ଷୟକ୍ଷତି ସମ୍ପର୍କରେ ଗୁରୁତ୍ବାରୋପ କରିବା ନିହାତି ଆବଶ୍ୟକ । ଏହା ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ, ଏଭଳି କେତେକ କ୍ଷେତ୍ରରେ ଯେଉଁ ଗାଡ଼ିର ଇନସୁରାନ୍ସ୍‌ ନଥାଏ ତଥାପି ମଧ୍ୟ ଦୁର୍ଘଟଣା ପରବର୍ତ୍ତୀ ଅବସ୍ଥାରେ ଗାଡ଼ି ଚାଳକର ମେଡ଼ିକାଲରେ ଭର୍ତ୍ତି ହେବା ଆବଶ୍ୟକତା ପଡ଼ିଥାଏ ଓ ଏଥିପାଇଁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଡ଼େ । ଅନ୍ୟପକ୍ଷରେ ଗାଡ଼ି ଦୁର୍ଘଟଣା ଦ୍ବାରା ଯଦି ଅପରପକ୍ଷର କ୍ଷତି ହୋଇଥାଏ ସେ କ୍ଷେତ୍ରରେ କ୍ଷତିପୂରଣ ପ୍ରଦାନ କରିବା ଓ ଆଇନଗତ ପ୍ରକ୍ରିୟାର ସାମନା କରିବାକୁ ପଡ଼ିଥାଏ । କେତେକ କ୍ଷେତ୍ରରେ ଦୁଇଟି ଯାକର ଆବଶ୍ୟକତା ଥାଏ । ଯଦି ଗାଡ଼ିର ତୃତୀୟ ପକ୍ଷ ଇନସୁରାନ୍ସ ନଥାଏ ଏ କ୍ଷେତ୍ରରେ ସମସ୍ୟା ଉପୁଜିଥାଏ ।ଏଥିପାଇଁ ରୁଲରେ ସଂଶୋଧନ କରାଯାଇଛି

ଏହି ଡ୍ରାଫଫ୍‌ “ଓଡ଼ିଶା ମୋଟର ଭେହିକିଲ (ଆକ୍ସିଡ଼େଣ୍ଟ କ୍ଲେମ୍‌ ଟ୍ରିବୁନାଲ) ରୁଲ୍‌ ୨୦୧୮କୁ ନୂତନ ଭାବେ ପ୍ରବର୍ତ୍ତନ କରାଯାଇଛି ଓ ସର୍ବସାଧାରଣଙ୍କ ଅବଗତି ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହାଦ୍ବାରା ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଯଦି କେହି ଆହାତ କିମ୍ବା ମୃତ୍ୟୁବରଣ କରନ୍ତି ଓ ପବ୍ଲିକ୍‌ ସମ୍ପତି ଯଦି ନଷ୍ଟ ହୋଇଥାଏ ଏଥିରେ ତୃତୀୟ ପକ୍ଷକୁ କ୍ଷତିପୂରଣ ମିଳିବା ସହଜ ହୋଇପାରିବ । ଯଦିବା ଗାଡ଼ିର ତୃତୀୟ ପକ୍ଷ ଇନସୁରାନ୍ସ ନଥାଏ ତେବେ ମଧ୍ୟ କ୍ଷତିପୂରଣ ପାଇବାକୁ ହକ୍‌ଦାର ।

ଏହି ଡ୍ରାଫଫ୍‌ ରୁଲ୍‌ରେ କେତେକ ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଛି ଓ କେତେକ ଧାରା ଯୋଡ଼ାଯାଇଛି  । ତା ମଧ୍ୟରେ ମୋଟର ଦୁର୍ଘଟଣା କେସ୍‌ରେ ଅନୁଧ୍ୟାନକାରୀ ତଦନ୍ତ ଅଧିକାରୀଙ୍କ କର୍ତ୍ତବ୍ୟ ପରିସର, ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ କର୍ତ୍ତବ୍ୟ, ଇନସୁରାନ୍ସ୍‌ କମ୍ପାନୀର ଭୂମିକା, ୧୯୮୮ ମସିହା ମୋଟର ଭେହିକିଲ୍‌ ଆକ୍ଟ ୧୫୮ ସେକ୍‌ସନ୍‌ (୬) ସବ୍‌ ସେକ୍‌ସନ ଅଧିନରେ ପୋଲିସ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ, ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ରିଲିଜ୍‌ କରିବା ଦିଗରେ ବାରଣ, ଡ଼ାକ୍ତରୀ ମଇନା କରିବାର କ୍ଷମତା ଓ କ୍ଷତିପୂରଣ ଦାବିକାରୀଙ୍କ ସୁରକ୍ଷା ଓ  ଦାବୀ ସମ୍ପର୍କରେ ଗୁରୁତ୍ବ ଦେବା ବିଷୟକୁ ସର୍ବାଧିକାର ଦିଆଯାଇଛି ।

ଏହି ଡ୍ରାଫ୍ଟ ରୁଲ୍‌ ସମ୍ପର୍କରେ ମତାମତ, ଆପତ୍ତି ଓ ଅଭିଯୋଗ ଏବଂ ଏଥିସହ ଯଡ଼ିତ ଅନ୍ୟ କାହାର କୌଣସି ମତ ଦେବାକୁ ଥିଲେ ସେମାନେ ନିଜର ମତାମତ ପ୍ରଦାନ କରିପାରିବେ । ପରବର୍ତ୍ତୀ ସମୟରେ ସେ ସବୁକୁ ତର୍ଜମା କରାଯାଇ ଚୂଡ଼ାନ୍ତ ରୂପରେଖ ଦିଆଯିବ । ଏହି ନୋଟିଫିକେସନ୍‌ ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଓଡ଼ିଶା ସରକାର ବାଣିଜ୍ୟ ପରିବହନ ବିଭାଗ, ରାଜ୍ୟ ସଚିବାଳୟ, ଭୁବନେଶ୍ବର-୭୫୧୦୦୧ ଠିକଣାରେ ମତାମତ ଗ୍ରହଣ କରାଯାଉଛି । ଏହି ସମୟ ମଧ୍ୟରେ ଡ୍ରାଫଫ୍‌ ରୁଲ୍‌ ସମ୍ପର୍କରେ ନିଜସ୍ବ ମତାମତ ପ୍ରଦାନ କରିପାରିବେ ।

Share

Leave a Reply

Your email address will not be published. Required fields are marked *

four + six =