Business

ବିଗତ ତିନି ବର୍ଷରେ ବାଣିଜ୍ୟିକ ସଂସ୍ଥା ତୁଳନାରେ ଉଦ୍ୟୋଗୀଙ୍କୁ ବ୍ୟବସାୟ ଋଣ ପ୍ରଦାନରେ ଅଧିକ ବୃଦ୍ଧି: ଟ୍ରାନ୍ସୟୁନିୟନ ସିବିଲ

ଭୁବନେଶ୍ୱର: ଭାରତର ବାଣିଜ୍ୟିକ ଋଣ ବଜାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୋଟ ବାଣିଜ୍ୟିକ ଋଣ ବାଲାନ୍ସରେ ବ୍ୟବସାୟ ପାଇଁ ଋଣ ନେଉଥିବା ବ୍ୟକ୍ତିଙ୍କ ଅବଦାନ ବଢ଼ିବାରେ ଲାଗିଛି ବୋଲି ଟ୍ରାନ୍ସୟୁନିୟନ ସିବିଲ ଓ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ସିଡବି) ପକ୍ଷରୁ ଜାରି କରାଯାଇଥିବା ଏମଏସଏମଇ ପଲ୍‌‌ସ ରିପୋର୍ଟରୁ ଜଣାପଡ଼ିଛି। ବାଣିଜ୍ୟିକ ଋଣରେ ବ୍ୟକ୍ତିଗତ ଉଦ୍ୟୋଗୀଙ୍କ ଭାଗ ୨୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ଭାଗ ୭୨ ପ୍ରତିାତ ରହିଛି। ବ୍ୟକ୍ତିଗତ ଉଦ୍ୟୋଗୀଙ୍କ ଋଣରେ ୨୦୨୩ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ ଗତ ତିନି ବର୍ଷ ମଧ୍ୟରେ ୧.୮ ଗଣା ବୃଦ୍ଧି ହୋଇଛି। କିନ୍ତୁ ସେହି ସମୟରେ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଋଣ ପ୍ରଦାନରେ ୧.୫ ଗୁଣା ବୃଦ୍ଧି ହୋଇଛି।
ରିପୋର୍ଟ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ବାଣିଜ୍ୟିକ ଋଣ ପରିମାଣ ୬୫.୮ ଲକ୍ଷ କୋଟି ଟଙ୍କା ରହିଛି ଓ ସକ୍ରିୟ ବାଣିଜ୍ୟିକ କାରବାର ୪.୪ କୋଟି ଅଛି। ୨୦୨୫ ମାର୍ଚ୍ଚ ସୁଦ୍ଧାର ୫୭.୯ ଲକ୍ଷ କୋଟି ଟଙ୍କା ତୁଳନାରେ ଏହା ୧୪ ପ୍ରତିଶତ ଅଧିକ। ୨୦୨୬ ମାର୍ଚ୍ଚ ସୁଦ୍ଧା ୨.୮ କୋଟିର ବ୍ୟକ୍ତିଗତ ଗ୍ରାହକ ରହିଛନ୍ତି ଯେଉଁମାନେ ବ୍ୟବସାୟ ପାଇଁ ଋଣ ନେଇଛନ୍ତି। ସେଥିରୁ ୪୩ ପ୍ରତିଶତ ନୂତନ ଭାବେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି। ସେହିପରି ଅଣ ବ୍ୟାଙ୍କିଂ ଆର୍ôଥକ ଅନୁଷ୍ଠାନ (ଏନବିଏଫସି)ର ୪୮ ପ୍ରତିଶତ ବ୍ୟବସାୟ ଋଣ ବ୍ୟକ୍ତିଗତ ଉଦ୍ୟୋଗୀମାନେ ନେଇଛନ୍ତି। ଘରୋଇ ବ୍ୟାଙ୍କରେ ସେମାନଙ୍କ ଭାଗ ମୋଟ ବାଣିଜ୍ୟିକ ଋଣରେ ୨୪ ପ୍ରତିଶତ ରହିଛି।
ବ୍ୟକ୍ତିଗତ ଉଦ୍ୟୋଗୀମାନେ ସମ୍ପତ୍ତି ବନ୍ଧକ ରଖି ଋଣ ନେଉଥିବା ବେଳେ ବାଣିଜ୍ୟିକ ଯାନ କିଣିବା ଓ ଅସୁରକ୍ଷିତ ବ୍ୟବସାୟ ଋଣ ମଧ୍ୟ ନେଉଛନ୍ତି। ୬୮ ପ୍ରତିଶତ ସମ୍ପତ୍ତି ବଦଳ‌ରେ, ୭୬ ପ୍ରତିଶତ ବାଣିଜ୍ୟିକ ଯାନ କିଣିବା ପାଇଁ ଓ ୬୭ ପ୍ରତିଶତ ଉଦ୍ୟୋଗୀ ଅସୁରକ୍ଷିତ ଋଣ ନେଉଛନ୍ତି। ଅସୁରକ୍ଷିତ ଋଣ ମଧ୍ୟରେ ଓଭରଡ୍ରାଫ୍ଟ ଓ କ୍ୟାସ୍‌‌ କ୍ରେଡିଟ୍‌‌ର ଭାଗ ୮୭ ପ୍ରତିଶତ ରହିଛି।
ଟ୍ରାନ୍ସୟୁନିୟନ୍‌‌ ସିବିଲ୍‌‌ର ଏମ୍‌‌ଡି ଓ ସିଇଓ ଭାବେଶ ଜୈନ କହିଛନ୍ତି ଯେ, “ଭାରତର ଏମଏସଏମଇ ଅର୍ଥନୀତିରେ ବ୍ୟବସାୟ ଅଭିବୃଦ୍ଧିର ପ୍ରାରମ୍ଭିକ ସମୟରେ ଉଦ୍ୟୋଗୀ ଓ ସଂସ୍ଥାଗୁଡ଼ିକ ଗଭୀର ଭାବେ ଯୋଡ଼ିହୋଇରହିଥାନ୍ତି। ଯଦିଓ ଜଣେ ଉଦ୍ୟୋଗ ନିଜ କ୍ଷମତାରେ ଋଣ ଆଣନ୍ତି, କିନ୍ତୁ ସେହି ଋଣ ସାଧାରଣତଃ ବ୍ୟବସାୟ କାର୍ଯ୍ୟକଳାପ, କାର୍ଯ୍ୟକାରୀ ପଞ୍ଜି ଆବଶ୍ୟକତା ଓ ସଂପତି ସୃଷ୍ଟିରେ ଖର୍ଚ୍ଚ ହୋଇଥାଏ। ବାଣିଜ୍ୟିକ ଋଣ କିଭଳି ଆଗକୁ ବଢ଼ୁଛି ତାହାର ଏକ ଅବିଚ୍ଛେଦ୍ୟ ଅଂଶ ହେଉଛି ବ୍ୟକ୍ତିଗତ ବ୍ୟବସାୟ ଋଣ ଏବଂ ବୃହତର ଏମଏସଏମଇ ଋଣ ଦୃଶ୍ୟପଟ୍ଟ ମଧ୍ୟରେ ତ‌ାହାକୁ ବୁଝିବାର ଆବଶ୍ୟକତା ରହିଛି।
ଏମଏସଏମଇଗୁଡ଼ିକ ବଡ଼ ହେବା ସହ ସେମାନଙ୍କ ଋଣ ଆବଶ୍ୟକତା ବଦଳି ଅଳ୍ପ ପରିମାଣର ଋଣରୁ ବଢ଼ି କାର୍ଯ୍ୟକାରୀ ପୁଞ୍ଜି ଓ ବୃହତ କ୍ଷେତ୍ର ଆଧାରିତ ପାଣ୍ଠିରେ ପରିଣତ ହୋଇଥାଏ। ଋଣ ପରିସଂସ୍ଥା ପାଇଁ ଅଧିକ ସ୍ପଷ୍ଟତା ବିଶେଷ କରି ବ୍ୟକ୍ତିଗତ ବ୍ୟବସାୟରୁ ସଂସ୍ଥାସ୍ତରୀୟ ପାଣ୍ଠି ଆଡ଼କୁ ଯାଉଥିବା ଉଦ୍ୟୋଗୀ କିମ୍ବା କାରବାର ଆଧାରିତ ଋଣରୁ ବିନିର୍ମାଣ ଆଧାରିତ ସମ୍ପ୍ରସାରଣ ପାଇଁ ନେଉଥିବା ଋଣକୁ ବୁଝିବାରେ ପ୍ରକୃତ ସୁଯୋଗ ରହିଛି।”
ନୂଆ ଋଣ ନେଉଥିବା ସଂସ୍ଥାଗତ ଗ୍ରାହକଙ୍କ ହାର ୨୦୨୨-୨୩ର ୫୨ ପ୍ରତିଶତରୁ ହ୍ରାସ ପାଇ ୨୦୨୫-୨୬ରେ ୪୨ ପ୍ରତିଶତ ହୋଇଛି। ନୂଆ ବାଣିଜ୍ୟିକ ଋଣ ସୃଷ୍ଟି ଅଳ୍ପ ଋଣ ମଧ୍ୟରେ ସୀମିତ ରହିଛି। ୬୦ ପ୍ରତିଶତ ସେହି ଧରଣର ଋଣ ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିଥିବା ବେଳେ ୩୪ ପତିଶତ ଋଣ ୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ମଧ୍ୟରେ ରହିଛି। ୨ ଲକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ୭୫ ପ୍ରତିଶତ ଗ୍ରାହକ ପୂର୍ବରୁ ଖୁଚୁରା ଋଣ ନେଇଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ୨ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କ୍ଷେତ୍ରରେ ଗ୍ରାହକଙ୍କ ଦ୍ୱାରା ପରିଶୋଧରେ ବିଳମ୍ବ ଘଟୁଛି। ଋଣ ନେବାର ପ୍ରଥମ ୧୨ ମାସରେ ସମସ୍ୟା ରହୁଛି।
ରିପୋର୍ଟ ଅନୁସାରେ ବୟନ, ପେସାଦାର ସେବା ଓ ପାଇକାରୀ କାରବାର ତଥା ଭିତ୍ତିଭୂମି କ୍ଷେତ୍ର ସହ ଜଡ଼ିତ ଶିଳ୍ପ ୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଉଛନ୍ତି। ବୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଋଣରେ ମହାରାଷ୍ଟ୍ର ଓ ଗୁଜରାଟ ଆଗରେ ରହିଛନ୍ତି। ଖୁଚୁରା କାରବାର ପାଇଁ ୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନିଆଯାଉଛି। ଉଭୟ ଖୁଚୁରା ଓ ପାଇକାରୀ କାରବାର ପାଇଁ ଋଣରେ ଉତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି ଏବଂ ପଶ୍ଚିମବଙ୍ଗ ମଧ୍ୟ ଅନ୍ୟ ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ଆଗରେ ରହିଛନ୍ତି।
ଶ୍ରୀ ଜୈନ କହିଛନ୍ତି ଯେ, “ଭାରତର ସଂସ୍ଥାଗତ ମୂଳଦୁଆ, ନିଯୁକ୍ତି ସୃଷ୍ଟି ଓ ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧି ମୂଳରେ ଏମଏସଏମଇ ରହିଛି। ଛୋଟ ବ୍ୟବସାୟଗୁଡ଼ିକ ସଂଗଠିତ ଋଣ ଚାହୁଥିବା ବେଳେ ଏମଏସଏମଇ କ୍ଷେତ୍ରରେ ରହିଥିବା ବିବିଧତା ବୁଝିବାକୁ ପଡ଼ିବ। କାର୍ଯ୍ୟକାରୀ ପୁଂଜି ଚାହୁଥିବା ସ୍ଥାନୀୟ ବଜାରର ଜଣେ ଟ୍ରେଡର ଓ ସମ୍ପ୍ରସାରଣ ପାଇଁ ପାଣ୍ଠି ଚାହୁଥିବା ଏକ ବିନିର୍ମାଣ ସଂସ୍ଥାର ଋଣ ଆବଶ୍ୟକତା, ବ୍ୟବସାୟ ଚକ୍ର ଓ ଅଭିବୃଦ୍ଧି ପଥ ଭିନ୍ନ। ସେହି ଭିନ୍ନତାକୁ ଭଲ ଭାବେ ବୁଝିବା ସହିତ ଏମଏସଏମଇ କ୍ଷେତ୍ରକୁ ସଂଗଠିତ ଋଣ ଆଗକୁ ବଢ଼ିବା ଦରକାର। ବିଭିନ୍ନ କ୍ଷେତ୍ର, ଋଣ ପରିମାଣ ଓ ଭୌଗୋଳିକ ଅଂଚଳ ଉପରେ ସୂକ୍ଷ୍ମ ଦୃଷ୍ଟି ଦେବା ସହିତ ସ୍ଥାୟୀ ଋଣ ଅଭିବୃଦ୍ଧି ଉପରେ ଧ୍ୟାନ ଦିଆଯାଇପାରେ।”

Share

Leave a Reply

Your email address will not be published. Required fields are marked *

four × five =