ତିନି ବର୍ଷ ପରେ ନେହେରୁ ଜୁନିଅର ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହେଲା ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର
ଭୁବନେଶ୍ୱର, ୧୨.୧୧.୨୦୨୬: ନୂଆଦିଲ୍ଲୀର ଶିବାଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୫୪ତମ ନେହେରୁ ଜୁନିଅର ହକି ଟୁର୍ଣ୍ଣାମେଣ୍ଟ (୧୭ ବର୍ଷରୁ କମ୍ ବାଳକ ବିଭାଗ)ରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଏନଟିଏଚ୍ଏଚପିସି) ଦଳ ଚାମ୍ପିଅନ୍ ହୋଇଛି । ସଂଘର୍ଷପୂର୍ଣ୍ଣ ଗ୍ରାଣ୍ଡ ଫିନାଲେରେ ଦଳ ଏନସିସି ଲକ୍ଷ୍ନୌକୁ ୪-୩ ଗୋଲରେ ପରାସ୍ତ କରି ଏହି ଟୁର୍ଣ୍ଣାମେଣ୍ଟ ଜିତିଛି। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଓଏନଟିଏଚ୍ଏଚପିସି ପୁଣି ଥରେ ଏହି ସମ୍ମାନଜନକ ଟ୍ରଫି ହାସଲ କରିଛି।
ଗ୍ରୁପ୍ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଚଣ୍ଡିଗଡ଼ର ଗଭର୍ଣ୍ଣମେଣ୍ଟ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ (ସେକ୍ଟର ୩୭-ଡି) କୁ ୪-୨ ଗୋଲରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ମ୍ୟାଚରେ ସୋନିପତକୁ ମଧ୍ୟ ସମାନ ୪-୨ ବ୍ୟବଧାନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଜାମସେଦପୁରସ୍ଥିତ ନାଭାଲ ଟାଟା ହକି ଏକାଡେମୀ ସହ କଡ଼ା ଟକ୍କର ହୋଇଥିଲା। ଏହି ମ୍ଯାଚରେ ଓଡ଼ିଶା ଦଳ ଦମଦାର ପ୍ରଦର୍ଶନ କରି ୪-୨ ଗୋଲରେ ବିଜୟୀ ହୋଇ ଫାଇନାଲ ଟିକେଟ୍ ହାସଲ କରିଥିଲା।
ଫାଇନାଲ ମୁକାବିଲାରେ ଏନସିସି ଲକ୍ଷ୍ନୌ ବିପକ୍ଷରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳ ଟାଇଟଲ୍ ଜିତିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ଓଏନଟିଏଚ୍ଏଚପିସି ୪-୩ ଗୋଲରେ ବାଜି ମାରିନେଇଥିଲା। ଟୁର୍ଣ୍ଣାମେଣ୍ଟରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଓଏନଟିଏଚ୍ଏଚପିସିର ଖେଳାଳି ମନୀଷ ନାଏକଙ୍କୁ ‘ବେଷ୍ଟ ପ୍ଲେୟାର’ ଭାବେ ପୁରସ୍କୃତ କରାଯାଇଛି।
ଦଳର ଏହି ଐତିହାସିକ ସଫଳତାରେ ଖୁସି ବ୍ୟକ୍ତ କରି ହକି ଏସ୍ ଫାଉଣ୍ଡେସନର ସିଇଓ କ୍ୟାପଟେନ ଅମିତାଭ କହିଛନ୍ତି, ” ଓଏନଟିଏଚ୍ଏଚପିସି ପରିବାର ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ତିନି ବର୍ଷ ପରେ ନେହେରୁ ଜୁନିଅର ହକି ଟୁର୍ଣ୍ଣାମେଣ୍ଟ ଜିତିବା ଆମର ଯୁବ ଖେଳାଳି, ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫଙ୍କ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମର ପ୍ରତିଫଳନ। ବିଶେଷକରି ଫାଇନାଲ ମ୍ୟାଚରେ ଚାପ ଥିବା ସତ୍ତ୍ୱେ ପିଲାମାନେ ଯେଉଁଭଳି ଧୈର୍ଯ୍ୟ ଦେଖାଇଲେ ତାହା ପ୍ରଶଂସନୀୟ। ମୁଁ ପୂରା ଦଳକୁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଏହି ସଫଳତା ସେମାନଙ୍କୁ ଭବିଷ୍ୟତରେ ଆହୁରି ବଡ଼ ଶିଖର ଛୁଇଁବାକୁ ପ୍ରେରଣା ଯୋଗାଇବ।”

