ଉତ୍ତର ଓଡ଼ିଶାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସୁଦୃଢ଼ କରିଛି ଟିପିଏନ୍ଓଡିଏଲ୍; ଜନସାଧାରଣଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି
ବାଲେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକୱାନ’ ଏବଂ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଏହାର ବାତ୍ୟା ପ୍ରସ୍ତୁତିକୁ ସୁଦୃଢ଼ କରିଛି। ଏ ନେଇ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବିଦ୍ୟୁତ କର୍ମଚାରୀ ମୁତୟନ, ଜରୁରୀ ସାମଗ୍ରୀ ପରିବହନ, ବିଦ୍ୟୁତ୍ ନେଟ୍ୱର୍କ ତଦାରଖ ଏବଂ ଉପଭୋକ୍ତା ସହାୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି।
ବାତ୍ୟାଜନିତ ବିଦ୍ୟୁତ୍ ବିଭ୍ରାଟର ତ୍ୱରିତ ମୁକାବିଲା ପାଇଁ ଟିପିଏନ୍ଓଡିଏଲ୍ ୬,୫୦୭ ଜଣ ବିଦ୍ୟୁତ କର୍ମଚାରୀ ମୁତୟନ କରିଥିବାବେଳେ ଅତିରିକ୍ତ ସହାୟତା ପାଇଁ ପ୍ରାୟ ୮୦୦ ଜଣ ପ୍ରକଳ୍ପ କର୍ମୀ ଉପଲବ୍ଧ ରହିଛନ୍ତି । ଜରୁରୀ ସେବା ପାଇଁ ୯ଟି ମୋବାଇଲ୍ ବିତରଣ ସବ୍ଷ୍ଟେସନ୍, ୨୬୦ଟି ରକ୍ଷଣାବେକ୍ଷଣ ଯାନ, ୫୦ଟି ପୋଲ୍ ମାଷ୍ଟର ଓ ୧୧୨ଟି ଡିଜେଲ୍ ଜେନେରେଟର ପ୍ରସ୍ତୁତ ରହିଛି। ରାତିରେ କାର୍ଯ୍ୟ ପାଇଁ ଆଲୋକ ବ୍ୟବସ୍ଥା, ଭାଙ୍ଗିପଡ଼ିଥିବା ଗଛଡାଳ ହଟାଇବା ଉପକରଣ ଓ କେବୁଲ୍ ତ୍ରୁଟି ଚିହ୍ନଟ ଯନ୍ତ୍ର ମଧ୍ୟ ଉପଲବ୍ଧ ରହିଛି। ମରାମତି ପାଇଁ ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ, ତାର ଓ କେବୁଲ୍ ମହଜୁଦ ରଖାଯିବା ସହ ୪ଟି ମୁଖ୍ୟ ଷ୍ଟୋର ଓ ୬ଟି ଟ୍ରାନ୍ଜିଟ୍ ଷ୍ଟୋର ମାଧ୍ୟମରେ କ୍ଷେତ୍ରସ୍ତରକୁ ତ୍ୱରିତ ଯୋଗାଣ ବ୍ୟବସ୍ଥା କରାଯାଇଛି।
ବାଲେଶ୍ୱରସ୍ଥିତ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କେନ୍ଦ୍ର ଏବଂ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ଚବିଶ ଘଣ୍ଟିଆ ତଦାରଖ ଓ ସମନ୍ୱୟ ବ୍ୟବସ୍ଥା କରାଯାଇଛି । ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲାସ୍ତରୀୟ ସଂଯୋଜକମାନେ ଜିଲ୍ଲା ପ୍ରଶାସନ, ଜରୁରୀ ସେବା ସଂସ୍ଥା ଓ ବିଦ୍ୟୁତ୍ କ୍ଷେତ୍ରର ସହଯୋଗୀ ସଂସ୍ଥାଙ୍କ ସହ ସମନ୍ୱୟ ରଖି ଅତ୍ୟାବଶ୍ୟକ ସେବା ଏବଂ ଉପଭୋକ୍ତା ଓ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବେ।
ପ୍ରସ୍ତୁତି ସମ୍ପର୍କରେ ଟିପିଏନ୍ଓଡିଏଲ୍ର ସିଇଓ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ଉପଭୋକ୍ତା ଓ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଆମ ଅଧିକାରୀ, ଉପକରଣ ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରହିଛି। ଉପଭୋକ୍ତାମାନଙ୍କୁ ସୁରକ୍ଷା ପରାମର୍ଶ ପାଳନ କରିବା ସହ ବିଦ୍ୟୁତ୍ଜନିତ ବିପଦ ସମ୍ପର୍କରେ ତୁରନ୍ତ ଜଣାଇବାକୁ ଅନୁରୋଧ କରୁଛୁ।”
ଛିଣ୍ଡିପଡ଼ିଥିବା କିମ୍ବା ଝୁଲୁଥିବା ବିଦ୍ୟୁତ୍ ତାର ଏବଂ ଜଳମଗ୍ନ ଅଞ୍ଚଳରେ ଥିବା ବିଦ୍ୟୁତ୍ ସ୍ଥାପନାଠାରୁ ଦୂରେଇ ରହିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଅବସରରେ, ବିଦ୍ୟୁତ୍ଜନିତ ବିପଦ କିମ୍ବା ବିଦ୍ୟୁତ୍ ସେବାରେ ବିଭ୍ରାଟ ସମ୍ପର୍କରେ ସୂଚନା ଦେବା ତଥା ଜରୁରୀ ସହାୟତା ପାଇଁ ୨୪ ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୬୭୧୮ରେ ଯୋଗାଯୋଗ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଇଛି।

