ରାଜ୍ୟ

ଶପଥ ନେଲେ ନୂଆ ରାଜ୍ୟପାଳ

ଶପଥ ନେଲେ ନୂଆ ରାଜ୍ୟପାଳ । ଭୁବନେଶ୍ୱର ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସୁରେଶ ପୂଜାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ୧୨ ତାରିଖରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ଝାଡ଼ଖଣ୍ଡର ଜଣେ ବରିଷ୍ଠ ବିଜେପି ନେତା ହେଉଛନ୍ତି ବ୍ରଜମୋହନ ରାମ ।

୧୯୫୮ ମସିହା ଜାନୁଆରୀ ୧ ତାରିଖରେ ଝାଡ଼ଖଣ୍ଡର ବର୍ତ୍ତମାନର ଲାତେହାର ଜିଲ୍ଲା ଅନ୍ତର୍ଗତ ଚାନ୍ଦୱାରେ ତାଙ୍କର ଜନ୍ମ। ସେ ଲୋହରଦଗାର ବି.ଏସ୍. କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି  ୧୯୯୧ ମସିହାରେ ଲାତେହାର ବିଧାନସଭା ଆସନରୁ ନିର୍ବାଚିତ ହୋଇ ତାଙ୍କର ବିଧାନସଭା ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ସେତେବେଳେ ଝାଡ଼ଖଣ୍ଡ ଅବିଭକ୍ତ ବିହାରର ଅଂଶ ଥିଲା । ଏହାପରେ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ ଲଗାତାର ତିନି ଥର ପଲାମୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ ପର୍ଯ୍ୟନ୍ତ ସେ ଲୋକସଭା ସଦସ୍ୟ ରହିଥିଲେ । ସାଂସଦ ଥିବା ସମୟରେ ସେ ଗୃହ ବ୍ୟାପାର, ଶକ୍ତି, ପରିବହନ ଓ ପର୍ଯ୍ୟଟନ ସମେତ ବିଭିନ୍ନ ସଂସଦୀୟ କମିଟିରେ କାର୍ଯ୍ୟ କରିଛନ୍ତି । ଏହାସହ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାରେ ମଧ୍ୟ ସାଂଗଠନିକ ଦାୟିତ୍ୱ ତୁଲାଇଛନ୍ତି।ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିବା ବ୍ରଜମୋହନ ରାମ ଏବେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶିକ୍ଷା, ବେକାରୀ ସମସ୍ୟା, କୃଷକଙ୍କ ସମସ୍ୟା ଏବଂ ରାଜ୍ୟର ବିକାଶକୁ ପ୍ରାଥମିକତା ଦେବେ ବୋଲି ସେ ପୂର୍ବରୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 2 =