ରାଜ୍ୟ

ଟାଟା ଷ୍ଟିଲ୍ କଳିଙ୍ଗନଗରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୁଧବାର ଯାଜପୁର ଜିଲ୍ଲା ତେଲିବାହାଳି ଠାରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ଉନ୍ନତ ଉତ୍ପାଦନ ୟୁନିଟ୍ ଏବଂ ସୁଚିନ୍ତିତ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି । ସମୁଦାୟ ୯,୦୬୭ କୋଟି ଟଙ୍କାର ପୁଞ୍ଜିନିବେଶରେ ପ୍ରତିଷ୍ଠିତ ଏହି ଐତିହାସିକ ପ୍ରକଳ୍ପଗୁଡ଼ିକ ସ୍ଥାନୀୟଅଞ୍ଚଳର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ପ୍ରାୟ ୧୦,୫୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବ। ଏହା ଅର୍ଥନୈତିକ ସଶକ୍ତୀକରଣ, ପ୍ରଯୁକ୍ତିବିଦ୍ୟାର ଉତ୍କର୍ଷ ଏବଂ ପରିବେଶ ଅନୁକୂଳ ଉତ୍ପାଦନ ପ୍ରତି ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଏହି ଅବସରରେ ରାଜ୍ୟ ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ମାନ୍ୟବର ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ମାନ୍ୟବର ଶ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁରର ମାନ୍ୟବର ସାଂସଦ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ (ଆଇଏଏସ୍), ଶିଳ୍ପ, ଗୃହ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇଏଏସ୍) ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର (ଓଏଏସ୍) ଏବଂ ଟାଟା ଷ୍ଟିଲ ଇଞ୍ଜିନିୟରିଂ ଏଣ୍ଡ ପ୍ରଡକ୍ଟସର ଭାଇସ ପ୍ରେସିଡେଣ୍ଟ ଅକ୍ଷୟ ଖୁଲରଙ୍କ ସମେତ ଟାଟା ଷ୍ଟିଲ ଏବଂ ନୀଳାଚଳ ଇସ୍ପାତ ନିଗମର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଲୋକାର୍ପିତ ତଥା ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଟିଏସ୍‌କେରେ ୧ ଏମଟିପିଏ କ୍ଷମତା ବିଶିଷ୍ଟ କଣ୍ଟିନ୍ୟୁଅସ୍ ଗାଲ୍‌ଭାନାଇଜିଂ ଲାଇନ୍ (ସିଜିଏଲ୍ #୧ ଓ ସିଜିଏଲ୍ # ୨) ଏବଂ ୦.୮ ଏମଟିପିଏ କ୍ଷମତାର କଣ୍ଟିନ୍ୟୁଅସ୍ ଆନିଲିଂ ଲାଇନର ଉଦ୍‌ଘାଟନ ହେବା ସହ ୭ ଏମଟିପିଏ କ୍ଷମତା ବିଶିଷ୍ଟ ସ୍ଲରି ପାଇପ୍‌ଲାଇନ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ, ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍)ର ସମ୍ପ୍ରସାରଣ ପ୍ରକଳ୍ପ, ଏବଂ ଲିଣ୍ଡେ ଇଣ୍ଡିଆ ଲିମିଟେଡ୍‌ର ୨.୭ ଏମଟିପିଏ କ୍ଷମତା ବିଶିଷ୍ଟ ଏୟାର ସେପାରେସନ୍ ୟୁନିଟର ଲୋକାର୍ପଣ କରିଥିଲେ।

କୋଲ୍ଡ ରୋଲିଂ ମିଲ୍ କମ୍ପ୍ଲେକ୍ସରେ ସ୍ଥାପିତ ୧ ଏମଟିପିଏ ମିଳିତ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ କଣ୍ଟିନ୍ୟୁଅସ୍ ଗାଲ୍‌ଭାନାଇଜିଂ ଲାଇନ୍ (ସିଜିଏଲ୍ #୧ ଓ ସିଜିଏଲ୍ # ୨) ରେ ଚୁମ୍ବକୀୟ ଷ୍ଟାବିଲାଇଜର୍ ଯୁକ୍ତ ତୃତୀୟ ପିଢ଼ିର ଏୟାର-ନାଇଫ୍, ଅକ୍ସିଡେସନ୍ ଚାମ୍ବର ଏବଂ ଉନ୍ନତମାନର ସେକେଣ୍ଡାରୀ ଆବରଣ ବ୍ୟବସ୍ଥା ରହିଛି। ଏହା କୋଟେଡ୍ ଆଡ୍‌ଭାନ୍ସଡ୍ ହାଇ ଷ୍ଟ୍ରେନ୍ଥ୍ ଷ୍ଟିଲ୍ ଭଳି ଉଚ୍ଚମାନର ଅଟୋମୋଟିଭ୍ ଇସ୍ପାତ ଉତ୍ପାଦନ କରି ଯାନବାହନ ଓ ବିଦ୍ୟୁତ ଉପକରଣ କ୍ଷେତ୍ରକୁ ଉଚ୍ଚ ମାନର ସାମଗ୍ରୀ ଯୋଗାଇବାରେ ସହାୟକ ହେବ।

ଏହା ସହିତ ସିଆର୍‌ଏମ୍ କମ୍ପ୍ଲେକ୍ସରେ ନୂତନ ଭାବେ ଉଦ୍‌ଘାଟିତ ୦.୯ ଏମଟିପିଏ କ୍ଷମତା ବିଶିଷ୍ଟ କଣ୍ଟିନ୍ୟୁଅସ୍ ଆନିଲିଂ ଲାଇନ୍ ବିଶ୍ୱସ୍ତରୀୟ ଶ୍ରେଷ୍ଠ ତିନୋଟି ଅଟୋମୋଟିଭ୍ ଲାଇନ୍ ମଧ୍ୟରେ ସ୍ଥାନ ପାଇଛି। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଏହି ୟୁନିଟ୍ ଗ୍ରାହକମାନଙ୍କୁ ସଠିକ୍ ଓ ଉଚ୍ଚମାନର ଅଟୋମୋଟିଭ୍ ଇସ୍ପାତ ଯୋଗାଇ ଭାରତୀୟ ବଜାରରେ ଟାଟା ଷ୍ଟିଲ୍‌ର ସ୍ଥିତିକୁ ଆହୁରି ମଜବୁତ କରିବ।

ଡାଉନ୍‌ଷ୍ଟ୍ରିମ୍ ବିକାଶ ବ୍ୟତୀତ ଏନଆଇଏନଏଲର ସମ୍ପ୍ରସାରଣ ପ୍ରକଳ୍ପର ଉନ୍ମୋଚନ କରାଯାଇଛି। ଏଠାରେ ଆଧୁନିକୀକରଣ ଜରିଆରେ ଅଶୋଧିତ ଇସ୍ପାତ ଉତ୍ପାଦନକୁ ୦.୯୮୧ ଏମଟିପିଏ ରୁ ୧.୧୬ ଏମଟିପିଏ କୁ ବୃଦ୍ଧି କରାଯିବା ସହ ବ୍ଲାଷ୍ଟ ଫର୍ଣ୍ଣେସ୍ ଫ୍ୟୁମ୍ ଏକ୍ସଟ୍ରାକ୍ସନ୍ ସିଷ୍ଟମ୍ ଏବଂ ଶୂନ୍ୟ ବର୍ଜ୍ୟ ଜଳ ନିଷ୍କାସନ (ଜିରୋ ଇଫ୍ଲୁଏଣ୍ଟ୍ ଡିସ୍‌ଚାର୍ଜ) ଭଳି ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇଛି।

ସେହିପରି ୭ ଏମଟିପିଏ କ୍ଷମତା ବିଶିଷ୍ଟ ସ୍ଲରି ପାଇପ୍‌ଲାଇନ୍ (ପ୍ରଥମ ପର୍ଯ୍ୟାୟ) ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଭୂତଳ ପାଇପ୍‌ଲାଇନ୍ ମାଧ୍ୟମରେ କଳମଙ୍ଗ ସ୍ଥିତ ଖଣିରୁ କଳିଙ୍ଗନଗର କାରଖାନାକୁ ନିରାପଦ ଏବଂ ଦକ୍ଷତାର ସହିତ ଲୁହାପଥର ଗୁଣ୍ଡ ପରିବହନ କରାଯିବ। ଏହା ରାସ୍ତା ଓ ରେଳପଥ ଉପରୁ ଚାପ ହ୍ରାସ କରିବା ସହିତ ନିରବଚ୍ଛିନ୍ନ କଞ୍ଚାମାଲ ଯୋଗାଣ ଏବଂ ପ୍ରଦୂଷଣ ହ୍ରାସ କରି ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଅନ୍ୟପକ୍ଷରେ, କଳିଙ୍ଗନଗର ପାଇଁ ଲିଣ୍ଡେ ଇଣ୍ଡିଆ ଲିମିଟେଡ୍‌ର ୨x୧୮୦୦ ଟିଏପିଡ଼ି କ୍ଷମତା ବିଶିଷ୍ଟ ଏୟାର ସେପାରେସନ୍ ୟୁନିଟ୍ ଲୋକାର୍ପିତ ହୋଇଛି, ଯାହା ଅକ୍ଷୟ ଶକ୍ତି ବ୍ୟବହାର ସହିତ ଲିଣ୍ଡେର ୨୦୩୫ ଶୂନ-ନିର୍ଗମନ ଲକ୍ଷ୍ୟ ସହିତ ସମନ୍ୱିତ। କ୍ରାୟୋଜେନିକ୍ ପଦ୍ଧତିରେ ଚାଲୁଥିବା ଏହି ୟୁନିଟ୍ ଦୈନିକ ୩,୬୦୦ ଟନ୍ ଅମ୍ଳଜାନ, ୧,୯୪୦ ଟନ୍ ଯବକ୍ଷାରଜାନ (ନାଇଟ୍ରୋଜେନ୍) ଏବଂ ୧୨୦ ଟନ୍ ଆର୍ଗନ୍ ଗ୍ୟାସ୍ ଉତ୍ପାଦନ କରିବ। ଏହି ଗ୍ୟାସ୍‌ଗୁଡ଼ିକ ବ୍ଲାଷ୍ଟ ଫର୍ଣ୍ଣେସ୍ ଏବଂ ଷ୍ଟିଲ୍ ମେଲ୍ଟିଂ ଶପ୍‌ରେ ଇସ୍ପାତ ଉତ୍ପାଦନ ପ୍ରକ୍ରିୟାକୁ ଦ୍ରୁତ ଓ ବିଶୁଦ୍ଧ କରିବାରେ ବ୍ୟବହୃତ ହେବ। ଏହାବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ଏହି ଅମ୍ଳଜାନ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ।

ଏହି ସମସ୍ତ ପୁଞ୍ଜିନିବେଶ ଟାଟା ଷ୍ଟିଲ୍‌ର ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ପରିବେଶ ସଂରକ୍ଷଣ ତଥା ସାମାଜିକ ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ। କମ୍ କାର୍ବନ୍ ନିର୍ଗମନ ପ୍ରଯୁକ୍ତି, ସମ୍ପଦର ପୁନଃବ୍ୟବହାର ଏବଂ ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) କାର୍ଯ୍ୟକ୍ରମ ମାଧ୍ୟମରେ ଟାଟା ଷ୍ଟିଲ୍ ଓଡ଼ିଶାର ଦୀର୍ଘକାଳୀନ ସାମାଜିକ ଅର୍ଥନୈତିକ ସମୃଦ୍ଧିକୁ ନୂଆ ଦିଗନ୍ତ ଦେଉଛି।

Share

Leave a Reply

Your email address will not be published. Required fields are marked *

4 + eighteen =