BusinessPower Sectorରାଜ୍ୟ

ଜାତୀୟ କ୍ରୀଡ଼ା ଦିବସ ଅବସରରେ : ତୃଣମୂଳରୁ ବିଜୟ ମଞ୍ଚ: କ୍ରୀଡ଼ା ପ୍ରତିଭାଙ୍କୁ ଟିପିଏସ୍‌ଓଡିଏଲ୍‌ର ପ୍ରୋତ୍ସାହନ

• ଟିପିଏସ୍‌ଓଡିଏଲ୍‌ର ସହାୟତାପ୍ରାପ୍ତ କ୍ରୀଡ଼ାବିତ୍‌ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିଛନ୍ତି; ୪ ଜଣ ୨୦୨୬ ଦିଲ୍ଲୀ ଷ୍ଟେଟ୍ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି
• ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ କରି ବୃତ୍ତିଗତ ପ୍ରଶିକ୍ଷଣ, ମାର୍ଗଦର୍ଶନ, ପୋଷଣ ସହିତ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପ୍ରଦାନ
• ୨୦୦ରୁ ଅଧିକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଓ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାଙ୍କୁ କ୍ରୀଡ଼ା ସାମଗ୍ରୀ ଓ ସୁଯୋଗ ପ୍ରଦାନ

ବ୍ରହ୍ମପୁର, ଅଗଷ୍ଟ ୨୦୨୬: ଅଗଷ୍ଟ ୨୯ ତାରିଖରେ ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଥିବାବେଳେ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି । ପ୍ରତିଭା ଚିହ୍ନଟ, ବୃତ୍ତିଗତ ପ୍ରଶିକ୍ଷଣ, ମାର୍ଗଦର୍ଶନ, ପୋଷଣ ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ମାଧ୍ୟମରେ ଟିପିଏସ୍‌ଓଡିଏଲ୍ କ୍ରୀଡ଼ାକୁ ଯୁବପିଢ଼ିକୁ ସଶକ୍ତ କରିବା ଏବଂ ଦକ୍ଷିଣ ଓଡ଼ିଶାର ସମୁଦାୟକୁ ସୁଦୃଢ଼ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ଭାବେ ବ୍ୟବହାର କରୁଛି ।

ଏହି ଯାତ୍ରାର ମୁଖ୍ୟ ଅଂଶ ହେଉଛି ‘କ୍ୟାଚ୍ ଦେମ୍ ୟଙ୍ଗ୍’ ଅଭିଯାନ । ଏହା ମାଧ୍ୟମରେ ସ୍କୁଲସ୍ତରରୁ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିକାଶ ପାଇଁ ଏକ ସୁବ୍ୟବସ୍ଥିତ ମାର୍ଗ ପ୍ରସ୍ତୁତ କରାଯାଉଛି । ପ୍ରଥମେ ୧୬ ଜଣ ପ୍ରତିଭାବାନ ଯୁବକ-ଯୁବତୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ, ପରେ ବିଭିନ୍ନ ସ୍କୁଲରେ ବ୍ୟବସ୍ଥିତ ଭାବେ ପ୍ରତିଭା ଚିହ୍ନଟ କରି ଆହୁରି ୧୭ ଜଣ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଆଥଲେଟିକ୍ସ ବିକାଶ ପାଇଁ ଚିହ୍ନଟ କରିଛି ।

ଟିପିଏସ୍‌ଓଡିଏଲ୍‌ର ଏହି ଅଭିଯାନ କେବଳ ପ୍ରଶିକ୍ଷଣ ଦେବାରେ ସୀମିତ ନୁହେଁ । ଚୟନ ହୋଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ, ନିୟମିତ ଅଭ୍ୟାସ, ବିଶେଷଜ୍ଞଙ୍କ ମାର୍ଗଦର୍ଶନ, ପୋଷଣ ସମ୍ପର୍କିତ ପରାମର୍ଶ, ପ୍ରଦର୍ଶନର ନିୟମିତ ମୂଲ୍ୟାଙ୍କନ ଏବଂ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ଦିଆଯାଉଛି । ଏହି ସମସ୍ତ ସହାୟତା ସେମାନଙ୍କୁ କେବଳ କ୍ରୀଡ଼ାରେ ଦକ୍ଷ ହେବାରେ ନୁହେଁ, ବରଂ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ଗଢ଼ିବାରେ ମଧ୍ୟ ସହାୟକ ହେଉଛି ।

ଯାହାର ଫଳାଫଳ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି । ଟିପିଏସ୍‌ଓଡିଏଲ୍‌ର ସହାୟତାପ୍ରାପ୍ତ କ୍ରୀଡ଼ାବିତ୍‌ମାନେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଛନ୍ତି । ଏଥିସହ ୪ ଜଣ କ୍ରୀଡ଼ାବିତ୍ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ ୨୦୨୬ ଦିଲ୍ଲୀ ଷ୍ଟେଟ୍ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ପୁଷ୍ପାବତୀ ରାଇତା ୬୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉପଯୁକ୍ତ ସହାୟତା ଓ ସୁଯୋଗ ମିଳିଲେ ତୃଣମୂଳ ସ୍ତରର ପ୍ରତିଭା କିପରି ଆଗକୁ ବଢ଼ିପାରେ, ପୁଷ୍ପାବତୀ ତାହାର ଏକ ଜ୍ଵଳନ୍ତ ଉଦାହରଣ ।

ଟିପିଏସ୍‌ଓଡିଏଲ୍‌ ଏହି ଅଭିଯାନରେ ସମସ୍ତଙ୍କୁ ସାମିଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛି । କମ୍ପାନୀ ପକ୍ଷରୁ ଦିବ୍ୟାଙ୍ଗ ଓ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ କ୍ରୀଡ଼ା ସାମଗ୍ରୀ ଓ ଉପକରଣ ଯୋଗାଇ ଦିଆଯାଇଛି । ବାଲିଗୁଡ଼ା, ମାଲକାନଗିରି ଓ କୋରାପୁଟର ରେଡ୍‌କ୍ରସ୍ ବ୍ଲାଇଣ୍ଡ ସ୍କୁଲ୍‌ର ୨୦୦ରୁ ଅଧିକ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇଛନ୍ତି । ସେହିପରି କୋଦଳାସ୍ଥିତ ସାଇମା ସ୍ପେଶାଲ୍ ସ୍କୁଲ୍‌କୁ ଦିଆଯାଇଥିବା ସହାୟତା ମାଧ୍ୟମରେ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ କ୍ରୀଡ଼ାରେ ଭାଗନେବାର ସୁଯୋଗ ମିଳିଛି । ଭାରୋତ୍ତୋଳନ ଭଳି କ୍ରୀଡ଼ାରେ ଆଗ୍ରହ ରଖୁଥିବା ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ମଧ୍ୟ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଇଛି । ସାମଗ୍ରିକ ଭାବରେ ସମୁଦାୟରେ ସମସ୍ତଙ୍କ ପାଇଁ କ୍ରୀଡ଼ାର ସୁଯୋଗ ସୃଷ୍ଟି କରିବା ଟିପିଏସ୍‌ଓଡିଏଲ୍‌ର ମୂଳ ଲକ୍ଷ୍ୟ ।

ଏ ସମ୍ପର୍କରେ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କ୍ରୀଡ଼ା କେବଳ ପଦକ ଜିତିବାର ମାଧ୍ୟମ ନୁହେଁ; ଏହା ଆତ୍ମବିଶ୍ୱାସ, ଶୃଙ୍ଖଳା, ଦୃଢ଼ ମନୋବଳ ଏବଂ ପ୍ରତ୍ୟେକ ଯୁବକ-ଯୁବତୀଙ୍କ ଜୀବନରେ ଆହୁରି ଭଲ କରିପାରିବାର ବିଶ୍ୱାସ ଗଢ଼ିବାର ଏକ ମାଧ୍ୟମ । ଟିପିଏସ୍‌ଓଡିଏଲ୍‌ରେ ଆମେ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ମାର୍ଗଦର୍ଶନ, ପୋଷଣ ସହିତ ବିଭିନ୍ନ ପ୍ରତିଯୋଗିତାର ଅନୁଭୂତି ଦେବାକୁ ପ୍ରତିବଦ୍ଧ । ଆମର ଲକ୍ଷ୍ୟ ହେଉଛି କ୍ରୀଡ଼ାକୁ ଆହୁରି ସମାବେଶୀ କରିବା, ଯାହାଦ୍ୱାରା ବିଭିନ୍ନ ପୃଷ୍ଠଭୂମି ଓ ଭିନ୍ନ ସାମର୍ଥ୍ୟ ଥିବା ପିଲାମାନେ କ୍ରୀଡ଼ାରେ ଭାଗନେବା, ଆଗକୁ ବଢ଼ିବା ଓ ନିଜ ପ୍ରତିଭା ପ୍ରମାଣ କରିବାର ସୁଯୋଗ ପାଇପାରିବେ”।

ଟିପିଏସ୍‌ଓଡିଏଲ୍‌ ତରଫରୁ କ୍ରୀଡ଼ାକୁ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ୩୨୦ରୁ ଅଧିକ ପିଲା ଓ ଯୁବ କ୍ରୀଡ଼ାବିତ୍ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇଛନ୍ତି । ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବାଠାରୁ ଆରମ୍ଭ କରି ନିରନ୍ତର ବିକାଶ ଓ ପ୍ରତିଯୋଗିତାରେ ଭାଗନେବା ପର୍ଯ୍ୟନ୍ତ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ଗଢ଼ି ତୋଳିବା ଦିଗରେ ଟିପିଏସ୍‌ଓଡିଏଲ୍ ଆଗକୁ ବଢ଼ୁଛି ।

କ୍ରୀଡ଼ା ଏବେ ଟିପିଏସ୍‌ଓଡିଏଲ୍‌ର କାର୍ଯ୍ୟସ୍ଥଳୀ ସଂସ୍କୃତିର ମଧ୍ୟ ଏକ ଅଂଶ ପାଲଟିଛି । କମ୍ପାନୀ ତରଫରୁ ବିଭିନ୍ନ ସର୍କଲ୍ ଓ କର୍ପୋରେଟ୍‌ସ୍ତରରେ ବ୍ୟାଡମିଣ୍ଟନ୍, ଟେବୁଲ୍ ଟେନିସ୍, କ୍ୟାରମ୍, ଚେସ୍ ଓ କ୍ରିକେଟ୍ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହା ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳର କର୍ମଚାରୀମାନେ ଏକାଠି ହୋଇ ପ୍ରତିଯୋଗିତାରେ ଭାଗନେବା ସହ ପରସ୍ପର ମଧ୍ୟରେ ସୁସମ୍ପର୍କ ଓ ଦଳୀୟ ଭାବନା ଗଢ଼ି ତୋଳୁଛନ୍ତି । କର୍ପୋରେଟ୍‌ସ୍ତରରେ ପ୍ରତିବର୍ଷ ଆୟୋଜିତ ବ୍ୟାଡମିଣ୍ଟନ୍ ଓ ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଏହି ଅଂଶଗ୍ରହଣ ଓ ଦଳୀୟ ଭାବନାକୁ ଆହୁରି ମଜଭୁତ କରିଛି ।

କମ୍ପାନୀର ବ୍ୟାପକ ସହଯୋଗୀ ପରିବାର ମଧ୍ୟରେ ମଧ୍ୟ ଏହି କ୍ରୀଡ଼ା ସଂସ୍କୃତିର ପ୍ରସାର ହୋଇଛି । ବିଜନେସ୍ ଆସୋସିଏଟ୍‌ସ୍ ସ୍ପୋର୍ଟସ୍ ମିଟ୍ ଏହାର ଏକ ଉଦାହରଣ । ୨୦୨୬ରେ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ୨୦ଟି ବିଜନେସ୍ ଆସୋସିଏଟ୍‌ର ୨୨୦ ଜଣ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଦୌଡ଼ ପ୍ରତିଯୋଗିତା ଓ ଦଳଗତ ଖେଳ ମାଧ୍ୟମରେ ଶାରୀରିକ ସୁସ୍ଥତା, ସାମୂହିକ ସହଯୋଗ ଓ ଦୃଢ଼ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦିଆଯାଇଥିଲା ।

କେବଳ ନିୟମିତ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ଟିପିଏସ୍‌ଓଡିଏଲ୍‌ର କର୍ମଚାରୀ ଓ କ୍ରୀଡ଼ା ପ୍ରଶିକ୍ଷକମାନେ ମାରାଥନ୍ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଛନ୍ତି । ଏହା ମାଧ୍ୟମରେ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ, ନିୟମିତ ବ୍ୟାୟାମ ଓ ସକ୍ରିୟ ରହିବାର ଅଭ୍ୟାସକୁ ଉତ୍ସାହିତ କରାଯାଉଛି ।

ଜାତୀୟ କ୍ରୀଡ଼ା ଦିବସ ଭାରତୀୟ କ୍ରୀଡ଼ାର ଉତ୍କର୍ଷ ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରୁଥିବାବେଳେ, ଟିପିଏସ୍‌ଓଡିଏଲ୍ ବିଶ୍ୱାସ କରେ ଯେ ପ୍ରତ୍ୟେକ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ନିଜ ପ୍ରତିଭା ଦେଖାଇବା, ଆବଶ୍ୟକ ସହାୟତା ଯୋଗାଇଦେବା ଏବଂ ଆଗକୁ ବଢ଼ିବାର ସୁଯୋଗ ମିଳିବା ଦରକାର । କ୍ରୀଡ଼ା ମାଧ୍ୟମରେ ଟିପିଏସ୍‌ଓଡିଏଲ୍ ଦକ୍ଷିଣ ଓଡ଼ିଶାର ଯୁବପିଢ଼ିଙ୍କ ପ୍ରତିଭାକୁ ସଫଳତାରେ ପରିଣତ କରିବା ସହ ଏକ ସୁଦୃଢ଼ କ୍ରୀଡ଼ା ସଂସ୍କୃତି ଗଢ଼ି ତୋଳିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

twenty + ten =