ଆସିଲା ସୁଭଦ୍ରା ଟଙ୍କା
ଆଜି ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟଙ୍କା ପ୍ରଦାନ କରିଛନ୍ତି । ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିଛି ସୁଭଦ୍ରାର ପଞ୍ଚମ କିସ୍ତି । ନୟାଗଡ଼ ଲାଠିପଡ଼ା ପଡିଆରୁ ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ କିସ୍ତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ୫ ହଜାର ୧୬୩ କୋଟି ୮ ଲକ୍ଷ ୧୦ ହଜାର ଟଙ୍କା । ସେପଟେ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ସାମିଲ କରାଯାଇଛି । ଯେଉଁମାନେ ଏହି ଥର ପ୍ରଥମ କିସ୍ତି ପାଇଛନ୍ତି ।
- ସୁଭଦ୍ରାର ୫ମ କିସ୍ତି ପାଇଲେ ହିତାଧିକାରୀ
ବଲାଙ୍ଗୀରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମ୍ ହଲ୍ରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା । ଆଜି ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ୫ମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଉଦ୍ଘାଟନ ପରେ ବଲାଙ୍ଗୀରର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା । ଜିଲ୍ଲାର ପ୍ରାୟ ୪ ଲକ୍ଷ ୨୯ ହଜାର ହିତାଧିକାରୀ ଏହି କିସ୍ତିର ଲାଭ ପାଇଛନ୍ତି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ସଂଗୀତା ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
- ୫ ବର୍ଷରେ ୫୦,୦୦୦ ପାଇବେ ମହିଳା
ଓଡ଼ିଶା ସରକାରଙ୍କ ଏହି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳା ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ୫,୦୦୦ ଟଙ୍କା ପାଉଛନ୍ତି । ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପାଞ୍ଚ ବର୍ଷ ପାଇଁ ଦୁଇଟି କିସ୍ତିରେ- ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ପାଖାପାଖି ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରାଯାଏ, ଯାହା ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ମୋଟ ୫୦,୦୦୦ ଟଙ୍କା ।

