ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ
ଦିଲ୍ଲୀର ଗ୍ରେଟର କୈଳାଶ-୧ରେ ଥିବା ସଲମାନ ଖାନଙ୍କ ଜିମରେ ଲାଗିଲା ନିଆଁ । ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ହତାହତ ହୋଇନାହିଁ । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ।
ଖବର ମୁତାବକ, ଗୁରୁବାର ରାତି ପ୍ରାୟ ୧୦.୧୫ ମିନିଟରେ ଜିମର ପ୍ରଥମ ମହଲାରେ ନିଆଁ ଲାଗିଥିଲା । ଖବର ପାଇଁ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କାମ ଆରମ୍ଭ କରିଥିଲା । ତୁରନ୍ତ ଜିମରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କୌଣସି କ୍ଷତି ହେବା ଆଗରୁ ସମସ୍ତଙ୍କୁ ବାହାର କରାଯାଇଥିଲା । ଦିଲ୍ଲୀ ପୋଲିସ ଏବଂ ଦମକଳ ବିଭାଗ ଟିମ୍ ତୁରନ୍ତ ପହଞ୍ଚି ଉଦ୍ଧାର କାମ କରିଥିବାରୁ ସମସ୍ତେ ସୁରକ୍ଷିତ ରହିଛନ୍ତି । ନିଆଁକୁ ପରେ ଆୟତ୍ତ କରାଯାଇଥିଲା । ତେବେ ନିଆଁ ଲାଗିବା ପରେ ଜିମର କେତେ କ୍ଷତି ହୋଇ, ଏହାର ସୂଚନା ଯାଞ୍ଚ କରିବା ପରେ ଜଣାପଡିବ ।
ଯେଉଁ ଅଞ୍ଚଳରେ ବହୁତ ଭିଡ଼ ରହିଥାଏ, ସେଠାରେ ନିଆଁ ଲାଗିଥିଲା । ଘଟଣା ପରେ ଏମ ବ୍ଲକ ମାର୍କେଟ କିଛି ସମୟ ପାଇଁ ଆତଙ୍କ ଦେଖାଦେଇଥିଲା । କିନ୍ତୁ ଦମକଳ ଏବଂ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସମ୍ଭାଳିବା ସହିତ ପ୍ରଭାବିତ ସ୍ଥାନକୁ ସୁରକ୍ଷିତ କରିଥିଲା । ଏବେ ଅଧିକାରୀ ନିଆଁ ଲାଗିବାର କାରଣ ଖୋଜାଚାଲିଛି । ପ୍ରାରମ୍ଭିକ ଯାଞ୍ଚରୁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

