ଅକ୍ଷୟ ତୃତୀୟା : କମିଲା ସୁନା ଦାମ
ଆଜି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ବା ଅକ୍ଷୟ ତୃତୀୟା । ମାନ୍ୟତା ରହିଛି କି ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଭକ୍ତଙ୍କ ଉପରେ ରହିଥାଏ । ଏଣୁ ଏହି ଦିନ ଲୋକମାନେ ମୂଲ୍ୟବାନ ଧାତୁ ସୁନାକୁ ଘରକୁ କିଣି ଆଣନ୍ତି । ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କେବେ ଶେଷ ହୁଏ ନାହିଁ । ଏହି ଦିନ ସୁନା କିଣିଲେ ଘର ବର୍ଷସାରା ଧନରେ ପୂରି ରୁହେ ବୋଲି ବିଶ୍ଵାସ କରାଯାଏ । ଅକ୍ଷୟ ତୃତୀୟାରେ ଗହଣା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମେ । କିଛି ନ ହେଲେ ବି ଲୋକେ ନିଜ ସମ୍ବଳ ଅନୁଯାୟୀ ରୁପା କିମ୍ବା ସୁନାର ଗୋଟିଏ କଏନ ବି ଘରକୁ କିଣନିଅନ୍ତି । ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଶସ୍ତା ହୋଇଛି ସୁନା ରୁପା ଦର ।
ଏପ୍ରିଲ ୨୦ ଅକ୍ଷୟ ତୃତୀୟା ଅବସରରେ MCXରେ, ସକାଳୁ ସକାଳୁ ପ୍ରାରମ୍ଭିକ ବ୍ୟବସାୟରେ ସୁନା ମୂଲ୍ୟ ୧.୦୮ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ୧,୫୨,୯୩୪ ଟଙ୍କାରେ କାରବାର ହୋଇଥିଲା, ଯେତେବେଳେ ରୁପା ୧.୮୮ ପ୍ରତିଶତ ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୫୨,୩୦୪ ଟଙ୍କାରେ କାରବାର କରିଥିଲା । ପୂର୍ବ ସେସନରେ ସୁନା ୧୦ ଗ୍ରାମକୁ ୧,୫୪,୬୦୯ ଟଙ୍କା ଓ ରୁପା ୩.୮% ବୃଦ୍ଧି ସହିତ ୨,୫୮,୦୭୯ ଟଙ୍କା ପ୍ରତି କିଲୋଗ୍ରାମକୁ ବନ୍ଦ ହୋଇଥିଲା ।
ତେବେ ବିଶ୍ଵ ବଜାରରେ ଆମେରିକୀୟ ଡଲାର ମଜବୁତ ହେବା ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା (ବିଶେଷ କରି ଆମେରିକା-ଇରାନ ମଧ୍ୟରେ ସଂଘର୍ଷ) ଯୋଗୁଁ ନିବେଶକଙ୍କ ଆଗ୍ରହ କମିବା ଏହି ଦର ହ୍ରାସର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଜି ରାଜ୍ୟରେ ସୁନା ଦର ରହିଛି:
- ୨୪ କ୍ୟାରେଟ (ଶୁଦ୍ଧ ସୁନା): ୧୦ ଗ୍ରାମ ପିଛା ପ୍ରାୟ ₹୧,୫୫,୨୯୦ରୁ ₹୧,୫୫,୭୭୦ ମଧ୍ୟରେ ରହିଛି ।
- ୨୨ କ୍ୟାରେଟ (ଅଳଙ୍କାର ସୁନା): ୧୦ ଗ୍ରାମ ପିଛା ଦର ପ୍ରାୟ ₹୧,୪୨,୩୫୦ରୁ ₹୧,୪୨,୭୯୦ ମଧ୍ୟରେ ରହିଛି ।
- ୧୮ କ୍ୟାରେଟ ସୁନା: ୧୦ ଗ୍ରାମ ପିଛା ଦର ପ୍ରାୟ ₹୧,୧୬,୪୭୦ରୁ ₹୧,୧୬,୮୩୦ ମଧ୍ୟରେ ରହିଛି।
- ଅନ୍ତର୍ଜାତୀୟ ବଜାରରେ ବି ସୁନା ଶସ୍ତା
ବିଶ୍ଵ ବଜାରରେ ବି ସ୍ପଟ୍ ସୁନା ୦.୪% ହ୍ରାସ ପାଇ $୪,୮୦୯.୭୧ ପ୍ରତି ଆଉନ୍ସରେ ପହଞ୍ଚିଛି, ଯାହା ୦୧୫୫ GMT ଅନୁଯାୟୀ, ଏପ୍ରିଲ ୧୩ ତାରିଖ ପରଠାରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଜୁନ୍ ଡେଲିଭରି ପାଇଁ ଆମେରିକୀୟ ସୁନା ଫ୍ୟୁଚର୍ସ ୧% ହ୍ରାସ ପାଇ $୪,୮୨୯.୪୦ ରେ ପହଞ୍ଚିଛି । ସ୍ପଟ୍ ରୁପା ବି ୦.୫ ପ୍ରତିଶତ କମି ପ୍ରତି ଆଉନ୍ସ ପିଛା ୮୦.୩୬ ଡଲାରରେ ପହଞ୍ଚିଛି ।
- ଭାରତରେ ସୁନା ଦର କାହିଁକି ବଢେ ?
ଅନ୍ତର୍ଜାତୀୟ ବଜାର ଦର, ଆମଦାନୀ ଶୁଳ୍କ, ଟିକସର ଉତ୍ଥାନ-ପତନ ମୁଖ୍ୟତଃ ଭାରତରେ ସୁନା ମୂଲ୍ୟକୁ ପ୍ରଭାବିତ କରିଥାଏ । ଭାରତରେ ସୁନା ଗଭୀର ଭାବରେ ସାଂସ୍କୃତିକ ଅର୍ଥ ବହନ କରେ । ଏହା ଅନେକ ଲୋକଙ୍କ ପସନ୍ଦର ନିବେଶ ବିକଳ୍ପ ହୋଇଥିବାବେଳେ ବିଶେଷକରି ବିବାହ ଏବଂ ପର୍ବପର୍ବାଣି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ବଜାର ପରିସ୍ଥିତିରେ ନିରନ୍ତର ପରିବର୍ତ୍ତନ ସହିତ ନିବେଶକ ଏବଂ ବ୍ୟବସାୟୀମାନେ ଉତ୍ଥାନ-ପତନ ଉପରେ ନଜର ରଖନ୍ତି । ସେହି ଅନୁସାରେ ବଜାରରେ ସୁନା ରୁପା ଦରର ମୂଲ୍ୟ ନିର୍ଦ୍ଧାରଣ କରାଯାଏ ।
- ଆଜି କେଉଁ ସହରରେ କେତେ ଦାମ ?
ସହରର ନାମ ୨୨K ସୁନା (ପ୍ରତି ୧୦ ଗ୍ରାମ) ୨୪K ସୁନା (ପ୍ରତି ୧୦ ଗ୍ରାମ)
ଦିଲ୍ଲୀ ୧,୪୨,୭୪୦ ଟଙ୍କା ୧,୫୫,୭୩୦ ଟଙ୍କା
ଅହମଦାବାଦ ୧,୪୨,୬୪୦ ଟଙ୍କା ୧,୫୫,୬୩୦ ଟଙ୍କା
ପୁଣେ ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
ମୁମ୍ବାଇ ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
ହାଇଦ୍ରାବାଦ ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
ଚେନ୍ନାଇ ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
ବେଙ୍ଗାଲୁରୁ ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
କୋଲକାତା ୧,୪୨,୭୯୦ ଟଙ୍କା ୧,୫୫,୫୮୦ ଟଙ୍କା
ଭୁବନେଶ୍ଵର ୧,୪୨,୩୫୦ ଟଙ୍କା ୧,୫୫,୨୯୦

