Business

ସୁକିନ୍ଦାରେ ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରୁଛି ଟାଟା ଷ୍ଟିଲ୍ ଫାଉଣ୍ଡେସନ

  • ସରକାରୀ ଯୋଜନାର ସମନ୍ୱୟରେ ସୃଷ୍ଟି ହେଉଛି ସ୍ଥାୟୀ ଜୀବିକା

ସୁକିନ୍ଦା, ୧୦/୪: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦନ ବୃଦ୍ଧି କରିବା ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେମାନଙ୍କୁ ଏକ ମିନି ରାଇସ୍ ମିଲ୍ ଏବଂ ପେଟ୍ରୋଲ ଚାଳିତ ୱାଟର ପମ୍ପ ଯୋଗାଇ ଦିଆଯାଇଛି।

ରାଜ୍ୟ ସରକାରଙ୍କ କୃଷି ବିଭାଗ, ମିଶନ ଶକ୍ତି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମନ୍ୱୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଏହି ପ୍ରୟାସ ଯୋଗୁ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ସ୍ଥାନୀୟ ‘ଗୋଜବାୟାଣୀ’ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ ଜଣ ସଦସ୍ୟା ସରକାରୀ ସବସିଡିର ଲାଭ ଉଠାଇବା ସହ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବାରେ ସମର୍ଥ ହୋଇପାରିଛନ୍ତି।

ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଧାନ ପ୍ରକ୍ରିୟାକରଣ ସହଜ ହୋଇଛି। ଏହି ମିନି ରାଇସ୍ ମିଲ୍ ଘଣ୍ଟା ପ୍ରତି ୭୫ କିଲୋଗ୍ରାମ ଧାନ ପ୍ରକ୍ରିୟାକରଣ କ୍ଷମତା ରଖୁଛି, ଯାହା ଗାଁ ଲୋକଙ୍କ ପାଇଁ ଶସ୍ତା ଏବଂ ସହଜଲଭ୍ୟ ହୋଇପାରିଛି। ତେବେ ଏହି ସୁବିଧାକୁ ଦୀର୍ଘସ୍ଥାୟୀ କରିବା ତଥା ଯନ୍ତ୍ରପାତି ରକ୍ଷଣା ବେକ୍ଷଣ ପାଇଁ କିଲୋଗ୍ରାମ ପିଛା ମାତ୍ର ୧ ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହାସହ ପେଟ୍ରୋଲ ୱାଟର ପମ୍ପ ବ୍ୟବହାର ଦ୍ୱାରା ଜଳସେଚନ କ୍ଷେତ୍ର ବୃଦ୍ଧି ପାଇଛି, ଯାହା କୃଷି କାର୍ଯ୍ୟକୁ ଅଧିକ ଲାଭଦାୟକ କରିପାରିଛି।

ଏହି ମିନି ରାଇସ୍ ମିଲର ମୂଲ୍ୟ ୩୫,୦୦୦ ଟଙ୍କା ହୋଇଥିବା ବେଳେ ସରକାରୀ ଯୋଜନାରେ ୨୦,୦୦୦ ଟଙ୍କାର ସବସିଡି ମିଳିଛି। ସେହିଭଳି ୨୫,୦୦୦ ଟଙ୍କା ମୂଲ୍ୟର ୱାଟର ପମ୍ପ ପାଇଁ ୧୫,୦୦୦ ଟଙ୍କାର ସବସିଡି ପ୍ରଦାନ କରାଯାଇଛି। ବାକି ଅର୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜେ ବହନ କରିଛନ୍ତି, ଯାହା ସେମାନଙ୍କ ମଧ୍ୟରେ ମାଲିକାନା ଭାବ ଏବଂ ଦାୟିତ୍ୱବୋଧ ଭରିଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ସଂଗଠିତ କରିବା, କାଗଜପତ୍ର କାର୍ଯ୍ୟ ଏବଂ ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିବାରେ ଟିଏସଏଫ୍ ଗ୍ରାସରୁଟ୍ ଗଭର୍ଣ୍ଣାନ୍ସ ଟିମ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଫାଉଣ୍ଡେସନର ଗ୍ରାସରୁଟ୍ ଗଭର୍ଣ୍ଣାନ୍ସ ଏବଂ ବିକେନ୍ଦ୍ରୀକରଣ ଯୋଜନାର ସଦସ୍ୟା ନିରୁପମା ମହାନ୍ତ ଏବଂ କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ସଦସ୍ୟାମାନଙ୍କୁ ସଂଗଠିତ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧିରେ ସହଯୋଗ କରିଛନ୍ତି।

ଏହି ସଫଳତା ସମ୍ପର୍କରେ ଗୋଜବାୟାଣୀ ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ରେବତୀ ମହାନ୍ତ କହିଛନ୍ତି ଯେ, ସମସ୍ତ ସଦସ୍ୟାଙ୍କ ମିଳିତ ଉଦ୍ୟମ ଯୋଗୁଁ ଆଜି ଆମେ ଏହି ସଫଳତା ପାଇଛୁ ଏବଂ ଆଗକୁ ଆହୁରି ଉନ୍ନତି କରିବାକୁ ଆମେ ସଂକଳ୍ପବଦ୍ଧ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ କହିଛନ୍ତି ଯେ, ସରକାରୀ ବିଭାଗଗୁଡ଼ିକ ସହ ସମନ୍ୱୟ ରକ୍ଷା କରି କିଭଳି ତୃଣମୂଳସ୍ତରରେ ସ୍ଥାୟୀ ପରିବର୍ତ୍ତନ ଅଣାଯାଇପାରିବ, ଏହା ତାର ଏକ ଉଦାହରଣ। ଆଗାମୀ ଦିନରେ ଏହି ମଡେଲକୁ ଅନ୍ୟ ପଞ୍ଚାୟତ ଏବଂ ବ୍ଲକରେ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

10 − eight =