ଆଜି ମୁମ୍ବାଇ-ରାଜସ୍ଥାନ ଟକ୍କର
ଚଳିତ ଆଇପିଏଲ୍ରେ ୧୩ତମ ଲିଗ୍ ମ୍ୟାଚରେ ଆଜି ରାଜସ୍ଥାନ ତା’ର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ରେ ୫ଥର ଚାମ୍ପିଅନ୍ ମୁମ୍ବାଇକୁ ଭେଟିବ । ମୁମ୍ବାଇ ବିଜୟ ଧାରାକୁ ଫେରିବାକୁ ତତ୍ପର ଥିବା ବେଳେ ରାଜସ୍ଥାନ ପୁଣି ଥରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ବ୍ୟଗ୍ର । ଫଳରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ଏହି ମ୍ୟାଚକୁ ନେଇ ନୂଆ ଉତ୍ସାହ ସାଜିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବ୍ୟାଟିଂ ବିସ୍ମୟ ବୈଭବ ଆଜି ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କୁ ଭେଟିବେ । ଉଭୟ ପୂର୍ବରୁ କେବେ ସାମ୍ନା ସାମ୍ନି ହୋଇ ନଥିବାରୁ ଏହି ଲଢ଼େଇ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଗତ ଶନିବାର ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ମ୍ୟାଚ ଖେଳି ନଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସାରିଥିବାରୁ ଆଜି ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଦୀପକ ଚହର ଏକାଦଶରୁ ବାଦ ପଡ଼ିବେ । ସେହିପରି କର୍ବିନ ବସ୍କଙ୍କ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ ଫେରିବେ । ରାଜସ୍ଥାନ ପ୍ରଥମ ଦୁଇଟି ଯାକ ମ୍ୟାଚ ଜିତି ସାରିଥିବାରୁ ଆଜି ବିଜୟ ଏକାଦଶକୁ ଅପରିବର୍ତ୍ତିତ ରଖିବା ଏକ ପ୍ରକାର ନିଶ୍ଚିତ ।

