କ୍ରୀଡା

ଆଜି CSK-PBKS ଟକ୍କର

ଚଳିତ ଆଇପିଏଲ୍‌ର ସପ୍ତମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ପରସ୍ପରକୁ ଭେଟିବେ । ୫ଥର ଚାମ୍ପିଅନ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିବାରୁ ଯଥା ସମ୍ଭବ ସହଳ ବିଜୟ ଖାତା ଖୋଲିବା ପାଇଁ ବ୍ୟଗ୍ର । ପଞ୍ଜାବ କିଙ୍ଗସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲେ ହେଁ ସବୁ ବିଭାଗରେ ସଂଘର୍ଷ କରିଥିଲା । ତେଣୁ ଆଜି ସମସ୍ତ ତ୍ରୁଟି ସୁଧାରିବା ପାଇଁ ଜୋରଦାର ପ୍ରୟାସ କରିବ । ଫଳରେ ମ୍ୟାଚଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ ।

 

ଚିପକ ଷ୍ଟାଡ଼ିୟମ୍‌ରେ ପ୍ରଥମ ମ୍ୟାଚ ଖେଳାଯିବ । ଆହତ ମହେନ୍ଦ୍ର ସିଂହ ଧୋନି ଖେଳୁ ନଥିବାରୁ ସୁପରକିଙ୍ଗ୍ସ ରଣନୀତିରେ ସାମାନ୍ୟ ପଛରେ ପଡ଼ି ଯାଇଛି । ବ୍ୟାଟିଂରେ ମଧ୍ୟ ବହୁ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳର ସବୁ ବ୍ୟାଟର ଫେଲ୍ ମାରିଥିଲେ । ଗୁଜରାଟ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସ ବ୍ୟାଟରମାନେ ମଧ୍ୟ ନିରାଶ କରିଥିଲେ । କେବଳ କୁପର କନ୍ନଲିଙ୍କ ଲଢୁଆ ଇନିଂସ ବଳରେ ଦଳ ବିଜୟ ହାସଲ କରିଥିଲା । ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଉଭୟ ଦଳର ବିଜୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ ଉଭୟ ଦଳ ୩୨ଥର ସାମ୍ନା ସାମ୍ନି ହୋଇଛନ୍ତି ଓ ୧୬ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।

ଗତ ବର୍ଷ ଉଭୟ ଦଳ ମଧ୍ୟରେ ୨ଟି ମ୍ୟାଚ ଖେଳା ଯାଇଥିଲା ଓ ପଞ୍ଜାବ କିଙ୍ଗ୍‌ସ ଉଭୟ ମ୍ୟାଚ ଜିତିଥିଲା । ଅବଶ୍ୟ ଗତ ସିଜନରେ ଚେନ୍ନାଇ ସଂଘର୍ଷ କରିଥିଲା ଓ ପଞ୍ଜାବ ଦମ୍‌ଦାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଚେନ୍ନାଇ ଏଥର ଯୁବ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି । ଅବଶ୍ୟ ସଞ୍ଜୁ ସାମସନଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରିଥିବା ଆଲୋଚନା ହେଉଥିଲେ ହେଁ ଓପନିଂ ବିଭାଗରେ ପରିବର୍ତ୍ତନ କିଛି ମାତ୍ରାରେ ପ୍ରଭାବ ପକାଇଛି । ଗତ ସିଜନରେ ଅୟୂଷ ମାହତ୍ରେ ଓ ଉର୍ଭିଲ ପଟେଲ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏଥର ଋତୁରାଜ ଓ ସାମସନ ଓପନ କରୁଛନ୍ତି । ମାହତ୍ରେ ୩ନଂ ସ୍ଥାନରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଉର୍ଭିଲଙ୍କୁ ଏକାଦଶରେ ସ୍ଥାନ ମିଳୁନାହିଁ ।

ପଞ୍ଜାବ କିଙ୍ଗ୍‌ସର ଗତ ସିଜନ ଓ ଏବେର ଦଳ ମଧ୍ୟରେ କେବଳ ଜଣେ ଖେଳାଳି ପରିବର୍ତ୍ତନ ହୋଇଛି । ଏହି ଖେଳାଳି ଜଣଙ୍କ ପଦାର୍ପଣରେ ପଞ୍ଜାବ କିଙ୍ଗ୍‌ସକୁ ବିଜୟୀ କରାଇଛନ୍ତି । ଗତ ସିଜନରେ ଜୋସ ଇଂଲିଶ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ । ଏଥର କୁପର କନ୍ନଲି ଏହି ସ୍ଥାନରେ ଶ୍ରେଷ୍ଠ ବିକଳ୍ପ ଭାବେ ପ୍ରମାଣିତ କରିଛନ୍ତି । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ଶ୍ରେୟାସ ଆୟରଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଆୟର ପ୍ରଥମ ମ୍ୟାଚରେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ସମୟରେ ତାଙ୍କ କହୁଣୀରେ ବଲ୍ ବାଜିଥିଲା । ଆଘାତ ସ୍ଥାନରେ ଫୁଲା ରହିଥିବା କୋଚ ପ୍ରକାଶ କରିଛନ୍ତି ।

ଗତ ଟି-ଟ୍ୱେଣ୍ଟି ବିଶ୍ୱକପ ସମୟରେ ଚିପକ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ଥିଲା । ଆଜି ମଧ୍ୟ ବ୍ୟାଟରମାନେ ପିଚ୍ର ଫାଇଦା ଉଠାଇବେ । ତେବେ ପିଚ୍‌ରେ ହାଲକା ଘାସ ରଖାଯାଇଥିବାରୁ ନୂଆ ବଲ୍ ସୁଇଂ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

Share

Leave a Reply

Your email address will not be published. Required fields are marked *

three × three =