ଆମେରିକା ଓ ୟୁରୋପରେ ବଡ଼ ବିକ୍ଷୋଭ
ଇରାନ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପରେ ବଡ଼ ବିକ୍ଷୋଭ । ଇରାନ ଯୁଦ୍ଧ ଓ ଟ୍ରମ୍ପଙ୍କ ନୀତି ବିରୋଧରେ ଆମେରିକା ଏବଂ ୟୁରୋପରେ ଲକ୍ଷାଧିକ ଲୋକ “ନୋ କିଙ୍ଗସ” ବିକ୍ଷୋଭ କରୁଛନ୍ତି । ଆମେରିକା ଏବଂ ୟୁରୋପର ବିଭିନ୍ନ ସହରରେ “ନୋ କିଙ୍ଗସ” ରାଲି ମାଧ୍ୟମରେ ଲକ୍ଷାଧିକ ଲୋକ ପ୍ରତିବାଦ କରିଛନ୍ତି ।
ଆମେରିକା ବ୍ୟତୀତ ପ୍ରାୟ ଏକ ଡଜନରୁ ଅଧିକ ଦେଶରେ ଏହି ରାଲି ଆୟୋଜିତ ହୋଇଥିଲା । ଲଣ୍ଡନରେ ମଧ୍ୟ ଇରାନ ଯୁଦ୍ଧ ଏବଂ ବର୍ଣ୍ଣବୈଷମ୍ୟ ବିରୋଧରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ରୋମରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନୀତି ଏବଂ ଇରାନ ଉପରେ ଆକ୍ରମଣ ବିରୋଧରେ ପ୍ରଦର୍ଶନ ହୋଇଥିଲା । ପ୍ୟାରିସରେ ମଧ୍ୟ ଆମେରିକୀୟ ଏବଂ ଶ୍ରମିକ ସଂଘ ପକ୍ଷରୁ ଟ୍ରମ୍ପଙ୍କ ନୀତି ବିରୋଧରେ ପ୍ରତିବାଦ କରାଯାଇଥିଲା । ହ୍ୱାଇଟ ହାଉସର ମୁଖପାତ୍ର ଆବିଗେଲ ଜ୍ୟାକସନ ଏହି ବିକ୍ଷୋଭକୁ “ବାମପନ୍ଥୀ ପାଣ୍ଠି ପରିଚାଳିତ ନେଟୱାର୍କ”ର ଏକ କାର୍ଯ୍ୟକ୍ରମ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସାଧାରଣ ଜନତାଙ୍କର ଏଥିରେ କୌଣସି ସମର୍ଥନ ନାହିଁ ।
ତେବେ ଏହାରି ମଧ୍ୟରେ ଇରାନରେ ଆରମ୍ଭ ହୋଇପାରେ ଗ୍ରାଉଣ୍ଡ ଅପରେସନ । ଏଥିପାଇଁ ମଧ୍ୟପ୍ରାଚ୍ୟରେ ପହଞ୍ଚି ସାରିଛନ୍ତି ଆମେରିକାର ସୈନ୍ୟ । ଆମେରିକା ସେଣ୍ଟ୍ରାଲ କମାଣ୍ଡର ସୂଚନା ଅନୁଯାୟୀ ‘ୟୁଏସଏସ ତ୍ରିପୋଲି’ ଯୁଦ୍ଧପୋତରେ ୩ ହଜାର ୫ ଶହ ମାରିନ ଏବଂ ନୌସେନା କର୍ମଚାରୀ ଶନିବାର ମଧ୍ୟପ୍ରାଚ୍ୟରେ ପହଞ୍ଚିଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ଏହା ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସୈନ୍ୟ ଅଭିଯାନ । ଆମେରିକା ସେଣ୍ଟ୍ରାଲ କମାଣ୍ଡ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ସୈନିକମାନେ କମ୍ବାଟ୍ ଡ୍ରେସ୍, ହେଲମେଟ ଏବଂ ଗଗଲ୍ସ ପିନ୍ଧିଥିବାର ଦେଖାଯାଉଛି। ଏହି ମାରିନମାନେ ମଧ୍ୟପ୍ରାଚ୍ୟରେ ପୂର୍ବରୁ ମୁତୟନ ଥିବା ୫୦ ହଜାର ଆମେରିକୀୟ ସୈନିକଙ୍କ ସହ ସାମିଲ ହେବେ
