Businessରାଜ୍ୟ

ଗ୍ରୀଷ୍ମକାଳୀନ ପ୍ରସ୍ତୁତି…ଉନ୍ନତିକରଣ, ପ୍ରଯୁକ୍ତିବିଦ୍ୟା ଓ ମାନବସମ୍ୱଳ ସହ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍

  • ଗ୍ରୀଷ୍ମ ଦିନେ ୮୫୫ ମେଗାୱାଟର ବିଦ୍ୟୁତ ଆବଶ୍ୟକତା ପୂରଣ ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ
  • ରିଏଲ୍ ଟାଇମ୍ ଗ୍ରୀଡ୍ ନିରୀକ୍ଷଣ ପାଇଁ ଅତ୍ୟାଧୁନିକ ନିୟନ୍ତ୍ରଣ କେନ୍ଦ୍ର
  • ନେଟୱର୍କ ସୁଦୃଢ଼ୀକରଣ ପାଇଁ ୧୪୫.୫ଏମଭିଏ କ୍ଷମତାର ସଂଯୋଗ
  • ଡ୍ରୋନ୍ ମାଧ୍ୟମରେ ରକ୍ଷଣାବେକ୍ଷଣ ଓ ତ୍ରୁଟି ଚିହ୍ନଟ
  • ତୁରନ୍ତ ବିଦ୍ୟୁତ ସେବାର ପୁନରୁଦ୍ଧାର ପାଇଁ ୫,୯୨୫ କର୍ମଚାରୀ ମୁତୟନ

ବ୍ରହ୍ମପୁର: ଚଳିତ ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ବିଜୁଳି ଚାହିଦାକୁ ଧ୍ୟାନରେ ରଖି ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମ୍ପାନୀର ସର୍ବାଧିକ ଚାହିଦା ୮୫୫ ମେଗାଓ୍ୱାଟରେ ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ବେଳେ ଏନେଇ ଆବଶ୍ୟକୀୟ ଟେକ୍ନୋଲୋଜି, ଭିତ୍ତିଭୂମି ଓ ଗ୍ରାହକ ସେବା ବ୍ୟବସ୍ଥାକୁ କମ୍ପାନୀ କାର୍ଯ୍ୟକ୍ଷମ କରାଇଛି ।

ଟିପିଏସ୍ଓଡିଏଲ୍ ଏକ ସଶକ୍ତ ମନିଟରିଂ ସିଷ୍ଟମ୍ କୁ କାର୍ଯ୍ୟକାରୀ କରିଛି । କମ୍ପାନୀର କାର୍ଯ୍ୟରତ କେନ୍ଦ୍ରୀଭୂତ ଶକ୍ତି ପରିଚାଳନା କେନ୍ଦ୍ର ତଥା ପାଓ୍ୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର(ପିଏସସିସି) ବ୍ରହ୍ମପୁରଠାରେ ବ୍ୟବସ୍ଥିତ ହୋଇଥିବା ବେଳେ ଜୟପୁର, ରାୟଗଡ଼ା ଓ ଫୁଲବାଣୀଠାରେ ଏରିଆ ପାଓ୍ୱାର ସିଷ୍ଟମ୍ କଣ୍ଟ୍ରୋଲ ସେଣ୍ଟର(ଏପିଏସସିସି)ଗୁଡ଼ିକ ରହିଛି । ଏହି କେନ୍ଦ୍ରଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା -ସ୍କାଡା ଦ୍ୱାରା ପରିଚାଳିତ ହେଉଛି, ଯାହାକୁ ବ୍ୟବହାର କରି କମ୍ପାନୀ ବିଜୁଳି ବିତରଣ ବ୍ୟବସ୍ଥା, ଯେପରି ୩୩ କେଭି ଫିଡର, ୧୧ କେଭି ଫିଡର ଓ ପ୍ରାଇମେରୀ ସବଷ୍ଟେସନଗୁଡ଼ିକର ତଦାରଖ କରିପାରୁଛି ।

ଏହି ସିଷ୍ଟମ ସହଯୋଗରେ କମ୍ପାନୀ ଶୀଘ୍ର ବିଜୁଳିଜନିତ ତ୍ରୁଟି ଚିହ୍ନଟ କରିବାରେ ସମର୍ଥ ହୋଇପାରିଛି । ସେହିପରି ଭୁବନେଶ୍ୱରଠାରେ ରହିଥିବା ଟିପିସିଓଡିଏଲ୍ ଟେକ୍ନୋଲୋଜି ସେଣ୍ଟର କମ୍ପାନୀ ପାଇଁ ବ୍ୟାକଅପ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଭାବେ କାମ କରୁଛି, ଯାହା ଅଧିକ ବିଶ୍ୱସନୀୟ ସେବାକୁ ସୁନିଶ୍ଚିତ କରୁଛି । ଜରୁରୀକାଳୀନ ପରିସ୍ଥିତିରେ ନିରବଚ୍ଛିନ୍ନ ବିଜୁଳି ସେବା ମିଳିପାରୁଛି ।

ଗ୍ରୀଷ୍ମ ଋତୁରେ ବିଜୁଳି ବ୍ୟବହାର ସର୍ବାଧିକ ଥିବା ବେଳେ ଭିତ୍ତିଭୂମିର ତଦାରଖ ତଥା ଲୋଡ୍ ମ୍ୟାନେଜମେଣ୍ଟ ଏକାନ୍ତ ଆବଶ୍ୟକ ହୋଇପଡ଼େ । ଏଥିପାଇଁ ରିଅଲ ଟାଇମ ମନିଟରିଂ ସାଙ୍ଗକୁ ସମୟ ଉପଯୋଗୀ ନିଷ୍ପତ୍ତି ନେବାକୁ ପଡ଼େ । କମ୍ପାନୀର ସ୍କାଡା ଟେକ୍ନୋଲୋଜି ଏହି ପ୍ରକ୍ରିୟାକୁ ସରଳ ଓ ସମୟସାପେକ୍ଷ କରିପାରିଛି ।

ଗ୍ରୀଷ୍ମ ନିମନ୍ତେ ଭିତ୍ତିଭୂମି ଉନ୍ନତିକରଣକୁ ଟିପିଏସ୍ଓଡିଏଲ୍ ଗୁରୁତ୍ୱ ଦେଇଛି । ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଓ ସବଷ୍ଟେସନଗୁଡ଼ିକର ଉନ୍ନତିକରଣ କରାଯାଇଛି । କମ୍ପାନୀ ନିଜର ସବ୍-ଟ୍ରାନ୍ସମିସନ୍ ସିଷ୍ଟମରେ ୧୪୫.୫ ଏମଭିଏ କ୍ଷମତା ଜୋଡ଼ି ଥିବା ବେଳେ ଯୋଗାଣ ନେଟଓ୍ୱର୍କରେ ୯୬ ଏମଭିଏ କ୍ଷମତା ବଢ଼ାଯାଇଛି ।

ଟିପିଏସ୍ଓଡିଏଲ୍ ପକ୍ଷରୁ ବିଜୁଳି ନେଟଓ୍ୱର୍କକୁ ମଧ୍ୟ ବିସ୍ତାର କରାଯାଇଛି । କମ୍ପାନୀ ଅତିରିକ୍ତ ୫୨.୩୧ ସର୍କିଟ କିଲୋମିଟର ସବ୍-ଟ୍ରାନ୍ସମିସନ୍ ଲାଇନ, ୧୪୫ ସର୍କିଟ୍ କିଲୋମିଟରର ୧୧ କେଭି ଲାଇନ, ୧୫୫୨ ସର୍କିଟ୍ କିଲୋମିଟରର ଏଲ୍.ଟି ଲାଇନ ସ୍ଥାପନ କରି ନିଜର ବିଦ୍ୟୁତ ନେଟଓ୍ୱର୍କକୁ ବ୍ୟାପକ କରିଛି । ଯାହାଫଳରେ ସର୍ବାଧିକ ଚାହିଦା ସମୟରେ ଉପଯୁକ୍ତ ଭୋଲଟେଜ ସ୍ତର ବଜାୟ ରଖିବା ସହ ଗୁଣାତ୍ମକ ବିଜୁଳି ଯୋଗାଣ ସମ୍ଭବପର ହୋଇପାରିଛି । ସେହିପରି ଉଚ୍ଚ ଲୋଡ୍ ସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ପାଇଁ ଟିପିଏସ୍ଓଡିଏଲ୍ ନିଜର ସବଷ୍ଟେସନଗୁଡ଼ିକରେ ୩୩ କେଭି ଫିଡରର କେନ୍ଦ୍ରୀକୃତ ନିୟନ୍ତ୍ରଣକୁ ସଂସ୍ଥାଗତ କରିଛି । ଏହାସହ, ଟିପିଏସ୍ଓଡିଏଲ୍ ୪୦ ଉଚ୍ଚ କ୍ଷମତା ବିଶିଷ୍ଟ ପାଓ୍ୱାର ଟ୍ରାନ୍ସଫର୍ମରକୁ ମରାମତି କରିଛି ଓ ୧୫୨ଟି ନୂତନ ଭାକ୍ୟୁମ୍ ସର୍କିଲ ବ୍ରେକର ସ୍ଥାପନ କରିଛି । ଏହି ଉନ୍ନତିକରଣ ହେତୁ ଉଚ୍ଚ ଚାହିଦା ସମୟରେ ମଧ୍ୟ ବିଦ୍ୟୁତ ଯୋଗାଣରେ ସ୍ଥିରତା ଆସିପାରିବ ।

ରକ୍ଷଣାବେକ୍ଷଣ ନିମନ୍ତେ କମ୍ପାନୀ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଜାରି ରଖିଛି । ୩୩ କେଭି ନେଟଓ୍ୱର୍କ ପାଇଁ ଡ୍ରୋନ୍ ଭିତ୍ତିକ ସର୍ଭେ ପ୍ରଣାଳୀକୁ ଗ୍ରହଣ କରିଛି । ଡ୍ରୋନ୍ ଉଚ୍ଚ ରିଜୋଲ୍ୟୁସନ୍ ର ଚିତ୍ର ଉତ୍ତୋଳନ କରୁଛି, ଯାହାଫଳରେ ମାନୁଆଲ ଯାଞ୍ଚ ସମୟରେ ଦୃଶ୍ୟମାନ ହେଉନଥିବା ଛୋଟ ଛୋଟ ତ୍ରୁଟି ସହ ଅତ୍ୟଧିକ ଉତପ୍ତ କେନ୍ଦ୍ରକୁ ଚିହ୍ନଟ କରିବା ସହଜ ହୋଇଛି ।

ସେହିପରି ଗ୍ରାହକ ସେବା, ଯୋଗାଯୋଗ ଓ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ମଧ୍ୟ ଟିପିଏସ୍ଓଡିଏଲ୍ ଏକ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରୁଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଉପଭୋକ୍ତା ନିକଟରେ ସୂଚନା ପହଞ୍ଚାଯାଉଥିବା ବେଳେ କଲସେଣ୍ଟର ମାଧ୍ୟମରେ ଅଧିକ ପରିମାଣର ଅଭିଯୋଗ ଦାଖଲ ନିମନ୍ତେ ଅତିରିକ୍ତ ମାନବ ସମ୍ୱଳ ନିୟୋଜିତ କରାଯାଇଛି । ସେହିପରି ଅଭିଯୋଗ ଦାଖଲ ବ୍ୟବସ୍ଥାକୁ ସରଳ ଓ ସମୟୋପଗୀ କରାଯାଇଛି । ଏସଏମଏସ୍ ଆଲର୍ଟ ଓ କଲ୍-ବ୍ୟାକ୍ ଭଳି ବିକଳ୍ପ ମଧ୍ୟ ମହଜୁଦ ରହିଛି ।

ବିଜୁଳି ପୁନରୁଦ୍ଧାରକୁ ତ୍ୱରିତ କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ସମଗ୍ର ଦକ୍ଷିଣ ଓଡ଼ିଶାରେ ୫୯୨୫ କର୍ମଚାରୀଙ୍କୁ ନିୟୋଜିତ କରିଛି । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ ପ୍ରତିଷେଧକ ରକ୍ଷଣାବେକ୍ଷଣ ଓ ବିତରଣ ସବଷ୍ଟେସନଗୁଡ଼ିକର ନବୀକରଣ ଓ ସୁରକ୍ଷା ଉପରେ ଧ୍ୟାନ ଦେଉଛନ୍ତି ।

କମ୍ପାନୀର ଗ୍ରୀଷ୍ମକାଳୀନ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ- ଗ୍ରୀଷ୍ମ ଋତୁରେ ବିଶ୍ୱସନୀୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ସଶକ୍ତ ଭିତ୍ତିଭୂମି, ଉନ୍ନତ ମନିଟରିଂ ସିଷ୍ଟମ୍ ଓ ଏକ ଉଚ୍ଚ ପ୍ରତିକ୍ରିୟାଶୀଳ ମାନବସମ୍ୱଳ ଓ ବ୍ୟବସ୍ଥା ସହାୟତାରେ ଆମେ ବଢ଼ୁଥିବା ବିଦ୍ୟିୁତ ଚାହିଦାକୁ ପୂରଣ କରିବା ନିମନ୍ତେ ପ୍ରସ୍ତୁତ ରହିଛୁ ।

ଏହି ବ୍ୟାପକ ପଦକ୍ଷେପ ସହିତ, ଗ୍ରୀଷ୍ମ ଋତୁରେ ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ, ନିରାପଦ ଓ ଗୁଣାତ୍ମକ ବିଜୁଳି ଯୋଗାଇବା ନେଇ ଟିପିଏସ୍ଓଡିଏଲ୍ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

seven + 5 =