ଟିପିଏସ୍ଓଡିଏଲ୍ ତରଫରୁ ଆସନ୍ତା ୩୦ ଓ ୩୧ ତାରିଖରେ ବିଦ୍ୟୁତ ଚୋରି ମାମଲାର ସହଜ ସମାଧାନ ନିମନ୍ତେ ସ୍ୱତନ୍ତ୍ର ଶିବିର
– ସମସ୍ତ ଡିଭିଜନ, ସବ-ଡିଭିଜନ ଏବଂ ସେକ୍ସନ କାର୍ଯ୍ୟାଳୟରେ ଶିବିର ଅନୁଷ୍ଠିତ ହେବ ।
– ବିଦ୍ୟୁତ ଚୋରି ମାମଲାଗୁଡ଼ିକର ସହଜ ସମାଧାନ ପାଇଁ ଏକକ ପ୍ଲାଟଫର୍ମ ।
– ଗତ ଲୋକ ଅଦାଲତରେ ପ୍ରାୟ ୪,୬୦୦ରୁ ଅଧିକ ମାମଲାର ସମାଧାନ ହୋଇ ପାରିଛି ।
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଆସନ୍ତା ମାର୍ଚ୍ଚ ୩୦ ଓ ୩୧ ତାରିଖରେ ଏହାର ସମଗ୍ର ବିତରଣ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ସମାଧାନ ଶିବିରର ଆୟୋଜନ କରାଯାଉଅଛି । ଏହି ଶିବିର ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିପିଏସ୍ଓଡିଏଲର ସମସ୍ତ ଡିଭିଜନ୍, ସବ୍-ଡିଭିଜନ୍ ଓ ସେକ୍ସନ୍ କାର୍ଯ୍ୟାଳୟରେ ଆୟୋଜିତ ହେବ ।
ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ଅନଧିକୃତ ବିଦ୍ୟୁତ ବ୍ୟବହାର ଏବଂ ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ଗ୍ରାହକମାନଙ୍କୁ ଏକ ସୁବିଧାଜନକ ଏବଂ ଏକକ ପ୍ଲାଟଫର୍ମ ପ୍ରଦାନ କରିବା।
ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ଟିପିଏସ୍ଓଡିଏଲ୍ ତରଫରୁ ପ୍ରାୟ ୪,୬୦୦ରୁ ଅଧିକ ମାମଲା ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା । ଏହି ପଦକ୍ଷେପ ଗ୍ରାହକମାନଙ୍କୁ ଏକ ସରଳ ଏବଂ ବାଧାମୁକ୍ତ ପ୍ରକ୍ରିୟା ମାଧ୍ୟମରେ ବିଦ୍ୟୁତ ସମ୍ବନ୍ଧୀୟ ମାମଲାର ସମାଧାନ କରିବାରେ ସାହାଯ୍ୟ କରିଥିଲା ।
ଏହାକୁ ଆଧାର କରି ଟିପିଏସ୍ଓଡିଏଲ୍ ତରଫରୁ ବିଦ୍ୟୁତ ସମ୍ବନ୍ଧୀୟ ମାମଲାଗୁଡିକର ସମାଧାନ ପାଇଁ ଉପଭୋକ୍ତାମାନଙ୍କୁ ଏହି ସ୍ୱତନ୍ତ୍ର ଶିବିରରେ ଯୋଗଦେବା ପାଇଁ ଆହ୍ୱାନ କରାଯାଉଅଛି । ଯାହା ମାଧ୍ୟମରେ ସେମାନେ ଘଟଣାସ୍ଥଳରେ ଏହାର ସମାଧାନ କରି ବିଦ୍ୟୁତ ବ୍ୟବହାରକୁ ବୈଧ କରିପାରିବେ ଓ ଆଇନଗତ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହି ସ୍ୱତନ୍ତ୍ର ଶିବିରରେ ଏନଫୋର୍ସମେଣ୍ଟ ଅଧିକାରୀ, ଆଇନ ପରାମର୍ଶଦାତା ଓ ସହାୟକ କର୍ମଚାରୀମାନେ ଉପସ୍ଥିତ ରହି ଉପଭୋକ୍ତାଙ୍କୁ ସହଯୋଗ କରିବେ ।
ଉପଭୋକ୍ତାମାନେ ନିକଟସ୍ଥ ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟରେ ଯୋଗ୍ୟତା, ଆବଶ୍ୟକୀୟ ଡକ୍ୟୁମେଣ୍ଟ ଓ ସମାଧାନ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ । ଟିପିଏସ୍ଓଡିଏଲ୍ ତରଫରୁ ସମସ୍ତ ଯୋଗ୍ୟ ଉପଭୋକ୍ତାଙ୍କୁ ଏହି ସୀମିତ ସମୟର ସୁଯୋଗକୁ ଉପଯୋଗ କରି ତାଙ୍କର ମାମଲାଗୁଡ଼ିକୁ ଶୀଘ୍ର ସମାଧାନ କରିବାକୁ ଅନୁରୋଧ କରାଯାଉଅଛି ।

